ସିଗାରେଟ୍ ପରି କ୍ଷତିକାରକ ସିଙ୍ଗଡ଼ା ଓ ଜିଲାପି, ଚେତାବନୀ ଦେଲେ ସରକାର, ଜଳଖିଆ ଦୋକାନରେ ଲାଗିବ ଓ୍ୱାର୍ଣ୍ଣିଂ ବୋର୍ଡ

ବର୍ତ୍ତମାନ ଭାରତରେ ମୋଟାପଣ, ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ହୃଦଘାତ ଭଳି ରୋଗ ବଡ଼ ସମସ୍ୟା ହୋଇଯାଇଛି । ଦୈନନ୍ଦିନ ଜୀବନଶୈଳୀରେ ପରିବର୍ତ୍ତନ, କମ ଶାରିରୀକ ପରିଶ୍ରମ, ଶୋଇବା ଏବଂ ବିଶେଷକରି ଖାଇବା ଏହାର ପ୍ରମୁଖ କାରଣ ଅଟେ । ଭାରତୀୟମାନେ ଦୈନିକ ଜଳଖିଆରେ ଖାଉଥିବା ତେଲ ଜାତୀୟ ଖାଦ୍ୟ ଯଥା ବରା, ପୁରୀ, ସିଙ୍ଗଡ଼ା, ଚା ଏବଂ ତମାଖୁ ଆଦି କେତେ ହାନିକାରକ ତାହା ବିଷୟରେ ମଧ୍ୟ ଅଧିକାଂଶ ଲୋକ ଅନବିଜ୍ଞ ଅଟନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏଥିପାଇଁ ଚିନ୍ତାପ୍ରକଟ କରିଛି । ତେଣୁ ଏ ସବୁରେ କେତେ ପରିମାଣ ଫ୍ୟାଟ୍ ଏବଂ ଚିନି ରହିଛି ତାହା ସମସ୍ତଙ୍କୁ ଅବଗତ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ନିର୍ଦ୍ଦେଶାନାମା ଜାରି କରିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଶରେ ଥିବା ବିଭିନ୍ନ ଜାତୀୟ ସଂସ୍ଥା ଏବଂ ନାଗପୁର ଏମସକୁ ଖାଦ୍ୟ ସମ୍ବନ୍ଧୀୟ ନିର୍ଦ୍ଦେଶନାମା ଜାରି କରିଛି । ଯେଉଁଥିରେ ସମସ୍ତ ସଂସ୍ଥାରେ ତେଲ ଏବଂ ଚିନିର ବୋର୍ଡ ଲଗାଯିବ ।

ଯେଉଁ ଖାଦ୍ୟ ଖାଉଛନ୍ତି ସେଥିରେ କେତେ ଚିନି ଏବଂ ତେଲର ପରିମାଣ ରହିଛି ଉକ୍ତ ବୋର୍ଡରେ ସ୍ପଷ୍ଟଭାବରେ ଲେଖାଯିବ । ଫଳରେ ଜଣେ ସାଧାରଣ ବ୍ୟକ୍ତି ଏହାକୁ ଦେଖି ଅବଗତ ହୋଇପାରିବ ଯେ ସେ ଖାଉଥିବା ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ କେତେ ହାନିକାରକ ଏବଂ ହିତକାରୀ ଅଟେ । ଜଙ୍କ୍ ଫୁଡ୍ ଏବଂ ତମାଖୁ ଦ୍ୱାରା ଆସୁଥିବା ସ୍ୱାସ୍ଥ୍ୟ ସମସ୍ୟାକୁ ରୋକିବାକୁ ଏହା ପ୍ରଥମ ପଦକ୍ଷେପ ବୋଲି କୁହାଯାଉଛି। ଏହି ବୋର୍ଡ ସରକାରୀ ସଂସ୍ଥା ଗୁଡ଼ିକରେ ଏକ ସଠିକ ଚେତାବନୀ ଭଳି କାମ କରିବା ନେଇ ଆଶା କରାଯାଉଛି ।

କେବଳ ସିଙ୍ଗଡ଼ା ଏବଂ ଜିଲାପି ନୁହେଁ ବରଂ ଲଡ଼ୁ, ବଡ଼ା ପାଓଁ ଏବଂ ପକୁଡ଼ି ଉପରେ ମଧ୍ୟ ଏଭଳି ସୂଚନା ଦିଆଯିବ । କାର୍ଡିଓଲୋଜି ଅଫ୍ ଇଣ୍ଡିଆର ନାଗପୁର ଶାଖାର ଅଧ୍ୟକ୍ଷ ଡାକ୍ତର ଅମର ଆମଲେ ମଧ୍ୟ କହିଛନ୍ତି ଯେ ଏସବୁ ଖାଦ୍ୟ ସିଗାରେଟ୍ ଏବଂ ତମାଖୁ ଭଳି ହାନିକାରକ ଅଟେ । ଚିନି ଏବଂ ଟ୍ରାନ୍ସ ଫ୍ୟାଟ୍ ତମାଖୁ ଭଳି ଅଟେ । ତେଣୁ ଲୋକଙ୍କର ଜାଣିବାର ଅଧିକାର ଅଛି ସେମାନେ କଣ ଖାଉଛନ୍ତି ।