ଅଚାନକ୍ ହାର୍ଟ ଆଟାକ୍ ଯୋଗୁଁ ମୃତ୍ୟୁ ପାଇଁ ଦାୟୀ କରୋନା ଭ୍ୟାକ୍ସିନ? ଜାଣନ୍ତୁ କଣ କହୁଛି ରିସର୍ଚ୍ଚ

ଦେଶରେ କରୋନା ମହାମାରୀ ପରେ ହୃଦଘାତର ଅନେକ ମାମଲା ସାମନାକୁ ଆସୁଛି । କେତେକଙ୍କୁ ଚାଲିବା ସମୟରେ, ବ୍ୟାୟାମ କରୁଥିବା ସମୟରେ ଏବଂ କେତେକଙ୍କୁ ବସିବା ସମୟରେ ହୃଦଘାତ ହେଉଛି। କ୍ରମାଗତ ବୃଦ୍ଧି ପାଉଥିବା ହୃଦଘାତ ମାମଲା ସମ୍ପର୍କରେ ଦାବି କରାଯାଉଥିଲା ଯେ କୋଭିଡ୍ ଟୀକା ଯୋଗୁଁ ଏପରି ହେଉଛି ।

ତେବେ ଆଇସିଏମଆର (ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ) ଓ ଏମ୍ସ (ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହି ଦାବିକୁ ଖାରଜ କରାଯାଇଛି । ଉଭୟ ସଂସ୍ଥା ପକ୍ଷରୁ କରାଯାଇଥିବା ଏକ ତଦନ୍ତରୁ ଜଣାପଡ଼ିଛି ଯେ କୋଭିଡ ଟୀକା ଓ ହୃଦଘାତ ମୃତ୍ୟୁ ସଂପର୍କରେ କୌଣସି ସିଧାସଳଖ ସଂପର୍କ ନାହିଁ ।

ଏହି ରିପୋର୍ଟ ଏପରି ସମୟରେ ଆସିଛି ଯେତେବେଳେ ଅଭିନେତ୍ରୀ ଶେଫାଳି ଜରିଓ୍ବାଲାଙ୍କ ଅସମୟ ମୃତ୍ୟୁ ଦେଶରେ ଚର୍ଚ୍ଚାର ବିଷୟ ହୋଇ ରହିଛି । ପୁଣି କର୍ଣ୍ଣାଟକର ହାସାନ ଜିଲ୍ଲାରେ ହେଉଥିବା କେତେକ ମୃତ୍ୟୁ ଘଟଣା ଲୋକମାନଙ୍କୁ ଚିନ୍ତାରେ ପକାଇଦେଇଛି । ଏହି ଜିଲ୍ଲାରେ ଗତ ୪୦ ଦିନ ମଧ୍ୟରେ ୨୨ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି ଓ ମୃତକଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଯୁବକ ।

ତେବେ ମୃତ୍ୟୁର ମାମଲା ଗୁଡ଼ିକର ଅଧିକାଂଶ କାରଣ ହେଉଛି ଲାଇଫଷ୍ଟାଇଲ। ଯେମିତିକି ଖାଦ୍ୟପାନ, ଚିନ୍ତା, ମଦ, ସିଗାରେଟ୍, ଅନୁମାଂଶିକ କାରଣ ଏବଂ ପୂର୍ବରୁ ଥିବା ରୋଗ। କୋଭିଡ ଟୀକା ସମ୍ପୂର୍ଣ ସୁରକ୍ଷିତ ଅଟେ। ଖାଲି ସେତିକି ନୁହେଁ ଏହାଦ୍ୱାରା ଅନେକ ଲୋକଙ୍କ ଜୀବନ ମଧ୍ୟ ବଞ୍ଚିଛି। ବୈଜ୍ଞାନିକ ଓ ସରକାରଙ୍କ ମତରେ ବିନା କୌଣସି ପ୍ରମାଣରେ ଟୀକା ଉପରେ ପ୍ରଶ୍ନ ଉଠାଇବା ବିପଦଜନକ ହୋଇପାରେ।