ବଜାଉ ଜନଜାତି ପାଣିରେ ଜନ୍ମ, ପାଣିରେ ହିଁ ବଞ୍ଚନ୍ତି ନିଜର ଜୀବନ। ଆଉ ଶେଷରେ ପାଣିରେ ଚାଲିଯାଏ ଜୀବନ। ପାଣି ବିନା ବଜାଉ ଜନଜାତିର କଳ୍ପନା କରିବା ଅସମ୍ଭବ। ଏମାନେ ମାଟିରେ ପାଦ ଦେବାକୁ ଡରନ୍ତି।ଦୁନିଆରେ ଅନେକ ଜନଜାତିର ଲୋକ ବାସ କରନ୍ତି, ଯେଉଁମାନେ ଆଜି ବି ଆଧୁନିକ ସଭ୍ୟତାଠାରୁ ବହୁ ଦୂରରେ। ଏଭଳି ଏକ ଜନଜାତି ହେଉଛି ‘ବଜାଉ’। ଇଣ୍ଡୋନେସିଆ, ମାଲେସିଆ ଓ ଫିଲିଫାଇନ୍ସର ତଟବର୍ତ୍ତୀ ଅଞ୍ଚଳରେ ବସବାସ କରନ୍ତି ଏହି ଜନଜାତି । ଜୀବନର ଅଧିକାଂଶ ସମୟ ଏମାନଙ୍କର ପାଣି ଭିତରେ ବିତେ।
ବହୁତ କମ୍ ସମୟ ସେମାନେ ସ୍ଥଳଭାଗକୁ ଆସନ୍ତି। ପାଣି ଭିତରେ ହିଁ ଏମାନେ ଶିକାର କରନ୍ତି । ଶିକାର ଏମାନଙ୍କର ପେସା। ଏମାନେ ଯେହେତୁ ତଟବର୍ତ୍ତୀ କିମ୍ବା ପାଣି ଭିତରେ ରୁହନ୍ତି, ତେଣୁ ପାଣି ତଳେ ହିଁ ଏମାନଙ୍କର ଜୀବନ ବିତେ। ସେଥିପାଇଁ ବଜାଉ ଜନଜାତିର ଲୋକମାନେ ସେମାନଙ୍କର ଫ୍ରି ଡାଇଭିଂ ଦକ୍ଷତା ପାଇଁ ବେଶ୍ ଜଣାଶୁଣା। ସେମାନେ ୨୦ରୁ ୩୦ ମିଟର ଗଭୀର ଯାଏ ପହଁରି ପାରନ୍ତି। ଆଉ ପାଣି ଭିତରେ ୧୩ ମିନିଟ୍ ଯାଏ ନିଜର ନିଶ୍ୱାସ ରୋକିପାରନ୍ତି ।
ମେଡିକାଲ ରିସର୍ଚ୍ଚରୁ ଜଣାପଡିଛି, ବଜାଉ ଜନଜାତିର ଲୋକଙ୍କ ପ୍ଲୀହା ସାଧାରଣ ଲୋକଙ୍କଠାରୁ ୫୦ ପ୍ରତିଶତ ବଡ଼। ଫଳରେ ସେମାନେ ପାଣିରେ ଅଧିକ ଗଭୀର ଓ ଲମ୍ବା ସମୟ ଧରି ବୁଡିପାରନ୍ତି ଓ ପହଁରିପାରନ୍ତି।ଯେହେତୁ ଏମାନେ ପାଣି ଭିତରେ ଘର କରି ରୁହନ୍ତି, ତେଣୁ ବଜାଉ ଜନଜାତିର ଛୋଟ ପିଲାମାନେ କମ୍ ବୟସରୁ ହିଁ ପହଁରିବା ଓ ବୁଡିବା ଶିଖିଯାଆନ୍ତି। ସମୁଦ୍ର ଉପରେ କେବଳ ସେମାନେ ନିର୍ଭରଶୀଳ ନୁହଁନ୍ତି, ଏହା ତାଙ୍କର ପରିଚୟ ମଧ୍ୟ ।
ସେମାନେ ହାତ ତିଆରି କାଠର ଅସ୍ତ୍ରରେ ସମୁଦ୍ରରୁ ମାଛ, ଅକ୍ଟୋପସ ଶିକାର କରନ୍ତି। ପାଣି ଭିତରେ କାଠ ଖୁଣ୍ଟ ପୋତି ତା ଉପରେ ଘର କରି ରୁହନ୍ତି।ବଜାଉ ଜନଜାତିର ଲୋକ କାଠର ଡଙ୍ଗାରେ ରୁହନ୍ତି ଯାହାକୁ ଲେପା ଲେପା କୁହାଯାଏ। ଡଙ୍ଗା ତାଙ୍କର ଘର ଓ ଯିବା ଆସିବାର ମାଧ୍ୟମ । ସେମାନେ ଖାଦ୍ୟ, ଆୟ ଓ ନିଜର ଦୈନଦିନ ଆବଶ୍ୟକତା ପାଇଁ ସମୁଦ୍ର ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ। ସେମାନଙ୍କର ମୁଖ୍ୟ ଜୀବିକା ହେଉଛି ମାଛ ଧରିବା।
ଏବେ ବଜାଉ ଜନଜାତିର କିଛି ଲୋକ ସମୁଦ୍ର କୂଳରେ କାଠରେ ତିଆରି ଘରେ ରହୁଛନ୍ତି । କିନ୍ତୁ ସେମାନେ ଏବେବି ସମୁଦ୍ର ସହ ଜଡିତ ଅଛନ୍ତି। ଏହି ଜନଜାତିର ଜୀବନଶୈଳୀ ଏବେ ସଙ୍କଟରେ। ବଢୁଥିବା ପର୍ଯ୍ୟଟନ ଯୋଗୁଁ ସେମାନେ ମାଛ ଧରୁଥିବା ଅଂଚଳ ପ୍ରଭାବିତ ହେଉଛି। କିଛି ଲୋକ ଡାଇନାମାଇଟ ବ୍ୟବହାର କରି ସମୁଦ୍ରରୁ ମାଛ ମାରୁଛନ୍ତି। ଯାହାକି ସମୁଦ୍ରର ଜୈବ ବିବିଧତାକୁ ନଷ୍ଟ କରୁଛି।