ରଥଯାତ୍ରା ବିଷୟରେ ଏହିସବୁ କଥା ଅଧିକାଂଶ ଲୋକ ଜାଣି ନଥାନ୍ତି, ପ୍ରତ୍ୟେକ ଓଡ଼ିଆ ନିଶ୍ଚୟ ଜାଣିବା ଉଚିତ୍

ରଥଯାତ୍ରା ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା l ପୁରୀ ତଥା ଦେଶ ବିଦେଶରେ ପାଳିତ ହୋଇ ଆସୁଥିବା ଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ପର୍ବ । ଅଧୁନା ଏହା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ଵାଦଶ ଯାତ୍ରାର ମଧ୍ୟରେ ପ୍ରଧାନ ।ଏହା ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଦକ୍ଷିଣାମୁଖୀ ଯାତ୍ରା, ନବଦିନ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩. ନେତ୍ରୋତ୍ସବ, ୪. ଶ୍ରୀଗୁଣ୍ଡିଚା, ୫. ହେରାପଞ୍ଚମୀ, ୬. ଆଡ଼ପ ପର୍ବ, ୭. ବାହୁଡ଼ା ଯାତ୍ରା ଓ ୮. ନୀଳାଦ୍ରି ବିଜେ । ପୁନଶ୍ଚ ରଥଯାତ୍ରା ୫ ଭାଗରେ ବିଭକ୍ତ। ଯଥା ୧. ଅନ୍ତର୍ବେଦୀ, ୨. ମହାବେଦୀ ମହୋତ୍ସବ, ୩. ଆଡ଼ପ ଉତ୍ସବ, ୪. ଦକ୍ଷିଣାମୁଖୀ ଉତ୍ସବ ଓ ୫. ନୀଳାଦ୍ରି ବିଜୟ । ଏହାକୁ ଗୁଣ୍ଡିଚା ପଞ୍ଚକ କୁହଯାଏ । ରଥଯାତ୍ରା ବହୁ ପ୍ରାଚୀନ ବୋଲି ଗବେଷକମାନେ ମତ ପ୍ରଦାନ କରିଛନ୍ତି।

ଋକ୍ ବେଦ ଓ ଅଥର୍ବ ବେଦ ଇତ୍ୟାଦିରେ ରଥ ଶବ୍ଦର ପ୍ରୟୋଗ ଦେଖାଯାଏ । ପରବର୍ତ୍ତୀ କାଳରେ ଶତପଥ ବ୍ରାହ୍ମଣ ଗ୍ରନ୍ଥରେ ମଧ୍ୟ ଏହାର ଆଭାସ ମିଳିଥାଏ । ଖ୍ରୀଷ୍ଟପୂର୍ବ ଦ୍ଵିତୀୟ ଶତାଦ୍ଦୀରୁ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାଦ୍ଦୀ ମଧ୍ୟରେ ଖୋଦିତ ହୋଇଥିବା କେତେକ ପ୍ରାଚୀନ ଭାସ୍କର୍ଯ୍ୟକୁ ଅନୁଧ୍ୟାନ କଲେ ସୂର୍ଯ୍ୟଙ୍କ ରଥଯାତ୍ରାର ସମ୍ୟକ୍ ନିଦର୍ଶନ ମିଳିଥାଏ । ତେଣୁ ସୂର୍ଯ୍ୟଙ୍କ ରଥଯାତ୍ରାର ପରବର୍ତ୍ତୀ ପରିକଳ୍ପନା ହେଉଛି ପୁରୁଷୋତ୍ତମ କ୍ଷେତ୍ରସ୍ଥ ମହାପ୍ରଭୁଙ୍କ ରଥଯାତ୍ରା। ଯେଉଁ ସବୁ ରଥଯାତ୍ରାର ଉଲ୍ଲେଖ ହେଇଛି ସେଥି ମଧ୍ୟରେ ପୁରୀର ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହେଉଛି ସବୁଠାରୁ ଅଧିକ ଜନାଦୃତ ଓ ପ୍ରସାରିତ । କେତେକ ଗବେଷକ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବୌଦ୍ଧ ପରମ୍ପରାରୁ ସୃଷ୍ଟି ହୋଇଛି ବୋଲି ଅନୁମାନ କରନ୍ତି । କାରଣ ଖ୍ରୀଷ୍ଟୀୟ ପଞ୍ଚମ ଶତାଦ୍ଦୀର ପ୍ରାରମ୍ଭରେ ଚୀନ ପରିବ୍ରାଜକ ଫାଇୟାନ୍ ଖୋଟାନରେ ଅନୁଷ୍ଠିତ ରଥଯାତ୍ରାର ଯେଉଁ ବିବରଣୀ ଲିପିବଦ୍ଧ କରିଛନ୍ତି, ତାହା ଆଜିସୁଦ୍ଧା ପ୍ରଚଳିତ ଜଗନ୍ନାଥଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ସହ ମେଳ ଖାଉଛି । ଏହି ରଥ ଯାତ୍ରା ର ନାମ କରଣ ର ମଧ୍ଯ କିମ୍ବଦନ୍ତୀ ଅଛି l

ପୌରାଣିକ ତଥ୍ୟ ଓ କିମ୍ବଦନ୍ତୀ ତଥା ପୌରାଣିକ ଆଖ୍ୟାୟିକା ଅନୁଯାୟୀ, ଜାରା ଶବର ଶରରେ ପ୍ରାଣ ଛାଡ଼ିଲେ ଦ୍ଵାରକାଧିପତି ଶ୍ରୀକୃଷ୍ଣ । ଶେଷତମ ଆତ୍ମୀୟ ଭାବରେ ପାଣ୍ଡବଗଣ ସଖା ଶ୍ରୀକୃଷ୍ଣଙ୍କ ଶରୀରକୁ ଦାହ କରିବା ପାଇଁ ଚେଷ୍ଟାକରି ବିଫଳ ହେଲେ, କାରଣ ଅଗ୍ନିର ଦାହିକା ଶକ୍ତି ନିକଟରେ ପୂର୍ଣ୍ଣବ୍ରହ୍ମ ସ୍ଵରୂପ ଶ୍ରୀକୃଷ୍ଣଙ୍କ ଶରୀରକୁ ପଞ୍ଚଭୂତରେ ବିଲୀନ କରିବାର ସାମର୍ଥ୍ୟ ନ ଥିଲା । ଶୂନ୍ୟବାଣୀ ହେଲା- କୃଷ୍ଣଙ୍କର ନାଭିକମଳ ଅଗ୍ନିରେ ଭସ୍ମ ହେବନାହିଁ, ତୁମେମାନେ ତାହାକୁ ମହୋଦଧିରେ ବିସର୍ଜନ କରିଦିଅ ପାଣ୍ଡବମାନେ ତାହାହିଁ କଲେ। ଶ୍ରୀକୃଷ୍ଣଙ୍କର ଅର୍ଦ୍ଧଦଗ୍ଧ ପିଣ୍ଡ ଦାରୁରୂପରେ ବାଙ୍କୀ ମୁହାଣରେ ଆବିର୍ଭାବ ହେଲା । ସମୁଦ୍ରରେ ଭାସୁଥିବା ସେହି ଦାରୁକୁ ଆଣି ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀଗୁଣ୍ଡିଚା ମନ୍ଦିରରେ ରଖିଥିଲେ । ସ୍ଵୟଂ ମହାପ୍ରଭୁ ଜଣେ ବୃଦ୍ଧ ବେଶରେ ଆସି ସେହି ଦାରୁରେ ମୂର୍ତ୍ତି ପ୍ରସ୍ତୁତ କଲେ। ସର୍ତ୍ତ ଥିଲା ମୂର୍ତ୍ତି ସମ୍ପୂର୍ଣ୍ଣ ନହେବା ଯାଏ ଦ୍ଵାର ଖୋଲାଯିବ ନାହିଁ । ମାତ୍ର ପନ୍ଦର ଦିନ ପରେ ଦ୍ଵାର ଖୋଲାଗଲା ମୂର୍ତ୍ତିନିର୍ମାଣ କରୁଥିବା ବୃଦ୍ଧ ଉଭାନ ହୋଇଗଲେ । କେବଳ ଅଧାଗଢା ମୂର୍ତ୍ତି ରହିଗଲା ଅଧାଗଢ଼ା ମୂର୍ତ୍ତିକୁ ଶ୍ରୀମନ୍ଦିରରେ ପ୍ରତିଷ୍ଠା କରାଗଲା । ସେହି ସମୟରେ ମହାପ୍ରଭୁ କହିଥିଲେ : ହେ ରାଜା, ବର୍ଷକୁ ଥରେ ଜନ୍ମଭୂମିକୁ ଆଣିବ। ସେଥିପାଇଁ ଶ୍ରୀଜୀଉମାନେ ଗୁଣ୍ଡିଚାଘରକୁ ବୁଲି ଯାଆନ୍ତି ଓ ବାହୁଡ଼ନ୍ତି।

ସ୍କନ୍ଧ ପୁରାଣ ଅନୁସାରେ – ଜଗନ୍ନାଥଙ୍କ ରଥ ଚକ ସଂଖ୍ୟା ୧୬ (ଷୋହଳ), ବେଦୀ ଉପରୁ ରଥର ଉଚ୍ଚତା ୨୩ (ତେଇଶି) ହାତ, ଚାରୋଟି ତୋରଣ ହେବ । ଗରୁଡଧ୍ଵଜ ରକ୍ତ ଚନ୍ଦନ କାଠରେ ହେବ। ବଳଦେବଙ୍କ ରଥର ୧୪ (ଚଉଦ)ଟି ଚକ, ବେଦୀ ଉପରୁ ରଥର ଉଚ୍ଚତା ୨୨ (ବାଇଶ) ହାତ। ସୁଭଦ୍ରା ଦେବୀଙ୍କ ରଥର ଚକ ସଂଖ୍ୟା ୧୨(ବାର), ବେଦୀ ଉପରୁ ଉଚ୍ଚତା ୨୧ (ଏକୋଇଶ) ହାତ। ଏହି ରଥଯାତ୍ରାକୁ ନବଦିନାତ୍ମିକା ଯାତ୍ରା କୁହାଯାଏ। ଏହାର ତିନୋଟି ଅଙ୍ଗ । ପ୍ରଥମ ଅଙ୍ଗ -ପୂର୍ବ ଯାତ୍ରା, ଦ୍ଵିତୀୟ ଯାତ୍ରା- ଗୁଣ୍ଡିଚା ମଣ୍ଡପରେ ଅବସ୍ଥାନ ବା ଆଡ଼ପ, ତୃତୀୟ ଅଙ୍ଗ- ବାହୁଡା ଯାତ୍ରା l

ଗ୍ରନ୍ଥରେ ହୋଇଥିବା ବର୍ଣ୍ଣନା ଅନୁଯାୟୀ , ସେ ସମୟରେ ରଥର ସାଜସଜ୍ଜା ଉତ୍ତମମାନର ଥିଲା। ଏହା ଦର୍ଶନ କରି ସମସ୍ତେ ବିସ୍ମୟ ପ୍ରକାଶ କରୁଥିଲେ। ରଥ ସଦ୍ୟ ସୁବର୍ଣ୍ଣ ଛାଉଣୀ ହେବା ଭଳି ପ୍ରତୀୟମାନ ହେଉଥିଲା ଓ ଏହା ସୁମେରୁ ପର୍ବତ ସଦୃଶ ଅତି ଉଚ୍ଚ ଥିଲା। ରଥଗୁଡିକ ଉଜ୍ଜ୍ଵଳ ଦର୍ପଣ ଓ ଶହ ଶହ ଚାମର ଦ୍ଵାରା ସଜ୍ଜିତ ହେଉଥିଲା। ରଥ ଉପରେ ସୁନ୍ଦର ଚାନ୍ଦୁଆ ଟଣା ହେଉଥିଲା ଏବଂ ଅଗ୍ର ଭାଗରେ ଅତି ସୁନ୍ଦର ପତକା ଶୋଭା ପାଉଥିଲା। ରଥଗୁଡିକ ମଧ୍ୟ ପାଟବସ୍ତ୍ର ଏବଂ ନାନା ପ୍ରକାର ଚିତ୍ର ଦ୍ଵାରା ସୁଜ୍ଜିତ ହେଉଥିଲା। ଘଣ୍ଟା, ଘଣ୍ଟି, କିଙ୍କିଣୀ ପ୍ରଭୃତି ବିବିଧ ବାଦ୍ୟ ମଧ୍ୟ ବାଜୁଥିଲା। ସେତେବେଳେ ଠାକୁରମାନଙ୍କ ପହଣ୍ଡି ଦଇତାମାନଙ୍କ ଦ୍ଵାରା ହେଉଥିଲା। ଶ୍ରୀଜଗନ୍ନାଥଙ୍କ ବାହକ ଦଇତାମାନେ ମତ୍ତହସ୍ତୀ ତୁଲ୍ୟ ଶକ୍ତିଶାଳୀ ଥିଲେ । ପହଣ୍ଡି ସମୟରେ ପହଣ୍ଡି ସ୍ଥାନଠାରୁ ରଥ ପର୍ଯ୍ୟନ୍ତ ତୁଳା ନିର୍ମିତ ଉଚ୍ଚାଗଦି ବା ତୁଳୀ ବିଛାଇ ଦିଆଯାଉଥିଲା ଏବଂ ଦଇତାମାନେ ଶ୍ରୀଜଗନ୍ନାଥଙ୍କୁ ଗୋଟିଏ ଗଦିରୁ ଅନ୍ୟ ଏକ ଗଦିକୁ ବହନ କରି ନେଇଯାଉଥିଲେ, ଏହି ସମୟରେ କେତେକ ତୁଳା ଖଣ୍ଡ ଖଣ୍ଡ ହୋଇ ଛିଡି଼ ଯାଉଥିଲା ଏବଂ ତୁଳା ସବୁ ଆକାଶରେ ଉଡୁଥିଲା ଓ ଗଦି ଫାଟିବା ସମୟରେ ପ୍ରଚଣ୍ଡ ଶବ୍ଦ ସୃଷ୍ଟି ହେଉଥିଲା।

ବର୍ତ୍ତମାନ ଗଜପତି ମହାରାଜ ରଥ ଉପରେ ଛେରାପହଁରା କଲା ପରି ସେତେବେଳେ ହେଉନଥିଲା। ରାଜା ରଥ ତଳେ ପଥରେ ଛେରା ପହଁରା କରୁଥିଲେ । ପ୍ରତାପରୁଦ୍ର ଦେବ ନିଜେ ସୁନା ଛାଉଣୀ ଦ୍ଵାରା ପଥ ପରିଷ୍କାର କରୁଥିଲେ, ରାଜା ପଥ ମଧ୍ୟରେ ସୁଗନ୍ଧି ଚନ୍ଦନ ଜଳ ସିଞ୍ଚନ କରୁଥିଲେ । ସେ ସମୟରେ ରଥଟଣାରେ ଗୌଡ଼ ନାମକ ସମ୍ପ୍ରଦାୟ ନିଯୁକ୍ତ ହେଉଥିଲେ । ତାଙ୍କ ସହିତ ହସ୍ତୀମାନଙ୍କୁ ମଧ୍ୟ ରଥଟଣା କାର୍ଯ୍ୟରେ ଲଗାଯାଉଥିଲା । ଶ୍ରୀଚୈତନ୍ୟ ସେତେବେଳେ ରଥ ଆଗରେ ଭାବ ବିହ୍ଵଳିତ ନୃତ୍ୟ ଓ ସଂକୀର୍ତ୍ତନ କରୁଥିଲେ । ଶ୍ରୀଚୈତନ୍ୟ ଏକ ସଙ୍ଗେ ସାତଟି ଦଳରେ ନୃତ୍ୟ କରୁଥିଲେ । ତତ୍କାଳୀନ ସମୟରେ ବଳଗଣ୍ଡିଠାରେ ରଥ ଦୀର୍ଘ ସମୟ ରହିବାର ପ୍ରଥା ଥିଲା । ସେହି ସ୍ଥାନରେ ଜଗନ୍ନାଥଙ୍କ ନିକଟରେ ବିପୁଳ ପରିମାଣର ଭୋଗ ଲାଗିବାର ନିୟମ ବା ଚଳଣି ମଧ୍ୟ ଥିଲା ।

ରଥଖଳାରେ ରଥ ନିର୍ମାଣ କାମ ପରମ୍ପରା ଅନୁସାରେ ପୁରୀରେ ପ୍ରତିବର୍ଷ ସମ୍ପୁର୍ଣ୍ଣ ଭାବେ ନୂଆ କାଠରେ ରଥ ତିଆରି କରାଯାଏ । ରଥଯାତ୍ରା ପରେ ରଥଗୁଡ଼ିକୁ ଭାଙ୍ଗି ଦେଇ, କାଠଗୁଡ଼ିକୁ ମନ୍ଦିର ରୋଷଘରେ ବ୍ୟବହାର କରାଯାଉଥିଲା, ୨୦୧୨ ମସିହାଠାରୁ ରଥର କିଛି ଅଂଶକୁ ବିକ୍ରି କରାଯାଉଛି ।

ବହୁ ପ୍ରାଚୀନ ସମୟରୁ ମହାପ୍ରଭୁମାନଙ୍କର ରଥ ନିର୍ମାଣ ନିମନ୍ତେ ନୟାଗଡ଼, ଖୋର୍ଦ୍ଧା, ଦଶପଲ୍ଲା, ରଣପୁର ଇତ୍ୟାଦି ଜଙ୍ଗଲରୁ ଆବଶ୍ୟକୀୟ କାଠ ନଦୀ ମାଧ୍ୟମରେ ପୁରୀକୁ ଆସୁଥିଲା। ଏହି କାଠସବୁ ନଦୀରେ ଭେଳା କରି ଅଣାଯାଉଥିଲା। ପୁରୀ ଠାରୁ ୧୦କି.ମି ଦୂର ମାଳତିପାଟପୁର ନିକଟସ୍ଥ କାଠ ପୋଲ ଠାରୁ ଏହି କାଠଗୁଡିକ ଶଗଡ଼ରେ ବୁହା ଯାଉଥିଲା। ପୁରୀରେ ପ୍ରତିଷ୍ଠିତ କେତେକ ମଠ ରଥକାଠ ବୁହାଯିବା ପାଇଁ ଶଗଡ଼ମାନ ଯୋଗାଉଥିଲେ l ଏହି ପରମ୍ପରା ବହୁ ବର୍ଷ ଧରି ଲୁପ୍ତ ହୋଇଯାଇଅଛି। ସମ୍ପ୍ରତି ପରିବହନ ମାର୍ଗର ସୁବିଧା ଦୃଷ୍ଟିରୁ ଟ୍ରକ ଯୋଗେ ଏହି କାଠ ଆସି ପୁରୀ ବଡ଼ଦାଣ୍ଡ ତଥା ରଥଖଳାଠାରେ ରଖାଯାଉଛି।