ସୋମବାର ବିଏମ୍ସି ମୁଖ୍ୟାଳୟରେ ଅଭିଯୋଗ ଶୁଣାଣି ଚାଲିଥିଲା । ମେୟରଙ୍କ ପ୍ରକୋଷ୍ଠକୁ ଲାଗିଥିବା ପ୍ରକୋଷ୍ଠରେ ଅତିରିକ୍ତ କମିଶନର ରତ୍ନାକର ସାହୁ ଲୋକଙ୍କ ଅଭିଯୋଗ ଶୁଣୁଥିଲେ । ବିଏମ୍ସିର ଅନ୍ୟ ବରିଷ୍ଠ ଅଧିକାରୀ ମାନେ ବି ଅଭିଯୋଗ ଶୁଣାଣିରେ ଉପସ୍ଥିତ ଥିଲେ । ଅଚାନକ ବିଜେପି କର୍ପୋରେଟର ଜୀବନଙ୍କ ସହ ୬ରୁ ୭ଜଣ ଦୁର୍ବୃତ୍ତ ଅଭିଯୋଗ ପ୍ରକୋଷ୍ଠକୁ ପଶିଥିଲେ ।
ସ୍ୱଚ୍ଛ ସୁପରଭାଇଜରଙ୍କ ଉପରେ ହୋଇଥିବା ତଦନ୍ତର ରିପୋର୍ଟ ବଦଳାଇବାକୁ ଦାବି କରିଥିଲେ । କିନ୍ତୁ ଅତିରିକ୍ତ କମିଶନର ରତ୍ନାକର ସାହୁ ଏଥିରେ ହସ୍ତକ୍ଷେପ କରିବେନି ବୋଲି କହିଥିଲେ । ଏହାକୁ ନେଇ ପ୍ରତିକ୍ରିୟାଶୀଳ ହେବା ସହ ତାଙ୍କୁ ବିଜେପିର କାର୍ଯ୍ୟକର୍ତ୍ତା ମାନେ ଆକ୍ରମଣ କରିଥିଲେ। ଅଭିଯୋଗ ପ୍ରକୋଷ୍ଠରୁ କାର୍ ଯାଏଁ ପ୍ରାୟ ୫୦ ମିଟର ଘୋଷାଡ଼ି ଘୋଷାଡ଼ି ନେଇଥିଲେ ।
ମଝିରେ ମୁହଁକୁ ଗୋଇଠା ଓ ବିଧା ମାରୁଥିଲେ । ଏଥିରେ ରତ୍ନାକର ସାହୁଙ୍କ ମୁଣ୍ଡ ଓ ବେକରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ଏକ କାର୍ରେ ପୂରାଇବା ବେଳେ ମେୟର ଓ ଅନ୍ୟ କର୍ପୋରେଟର ଧାଇଁ ଆସିବାରୁ ଆକ୍ରମଣକାରୀ ତାଙ୍କୁ ଛାଡ଼ି ପଳାଇଥିଲେ । ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ପରେ ଦୁର୍ବୃତ୍ତମାନେ ମେୟର ସୁଲୋଚନା ଦାସଙ୍କୁ ଘେରି ଗାଳିଗୁଲଜ କରିଥିଲେ ।
ଆକ୍ରମଣର ଶିକାର ହେଲା ପରେ ଶ୍ରୀ ରତ୍ନାକର ଖାରବେଳ ନଗର ଥାନାରେ ଏକ ଲିଖିତ ଅଭିଯୋଗ ଆଣିଛନ୍ତି। ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏପର୍ଯ୍ୟନ୍ତ ୫ ଜଣଙ୍କୁ ଗିରଫ କରିଛି। ଗତକାଲି ସଂଜୀବ ମିଶ୍ର ଓ ସଚିକାନ୍ତ ସ୍ବାଇଁ ନାମରେ ୨ ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି। ପୁଲିସ ସୋମବାର ଦିନ ତିନିଜଣ ଅଭିଯୁକ୍ତ (ଜୀବନ ରାଉତ, ରଶ୍ମି ରଞ୍ଜନ ମହାପାତ୍ର ଓ ଦେବାଶିଷ ପ୍ରଧାନ)ଙ୍କୁ ଗିରଫ କରିଥିଲା।