ଖର୍ଚ୍ଚ ବାବଦରେ ପଚାରିବେ ସରକାର, କେଉଁଠି ଓ କେମିତି ଖର୍ଚ୍ଚ କଲେ ସୁଭଦ୍ରା ଟଙ୍କା? କହିବାକୁ ପଡ଼ିବ, ଜାଣନ୍ତୁ ପୁରା‌ ଖବର

ସୁଭଦ୍ରା ଟଙ୍କା ପାଇ ମହିଳାମାନେ ବହୁତ ଖୁସି । ସୁଭଦ୍ରା ଟଙ୍କା ଦେବାର ବର୍ଷେ ପରେ ଟଙ୍କା କେମିତି ଖର୍ଚ୍ଚ କଲେ ସରକାର ପଚାରିବେ । ବର୍ଷକୁ ଦୁଇଟି କିସ୍ତିରେ ସୁଭଦ୍ରା ଯୋଜନାରେ ପ୍ରାୟ କୋଟିଏ ମହିଳାଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଦେଇଛନ୍ତି ସରକାର । ଏହି ଟଙ୍କାକୁ ମହିଳା ମାନେ କେଉଁଠି ଓ କେମିତି ଖର୍ଚ୍ଚ କଲେ ସର୍ଭେ କରିବେ ।

ତେବେ ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଟଙ୍କା । ଅଗଷ୍ଟ ୯ ତାରିଖରେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରାର ତୃତୀୟ କିସ୍ତି ଟଙ୍କା ପ୍ରଦାନ କରାଯିବ । ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ତେବେ ଯେଉଁ ହିତାଧିକାରୀ ଭାବେ ପ୍ରଥମ ଦୁଇଟି କିସ୍ତିରେ ଟଙ୍କା ପାଇନାହାନ୍ତି, ସେମାନଙ୍କୁ ମଧ୍ୟ ଟଙ୍କା ପ୍ରଦାନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ ।

ପ୍ରାୟ ୧ଲକ୍ଷ ୮୮ହଜାର ମହିଳା ଏପର୍ଯ୍ୟନ୍ତ ସୁଭଦ୍ରା ଟଙ୍କା ପାଇନାହାନ୍ତି । ତୃତୀୟ କିସ୍ତି ଟଙ୍କା ପ୍ରଦାନ ପରେ ଏନେଇ ସମୀକ୍ଷା ହେବ । କେଉଁ କାରଣରୁ ସେମାନେ ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି, ତା’ର ସମୀକ୍ଷା କରାଯିବ । ସେଥିରୁ ଯୋଗ୍ୟ ମହିଳାମାନଙ୍କୁ ପର୍ଯ୍ୟାୟକ୍ରମେ ଟଙ୍କା ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ପ୍ରଭାତୀ ପରିଡ଼ା ।

ଆଗକୁ ଗାଁ ଗାଁରେ ସର୍ଭେ କରିବେ କଲେଜ ପଢ଼ୁଆ ଛାତ୍ରଛାତ୍ରୀ । ୨୨ ହଜାର ମହିଳାଙ୍କୁ ଭେଟି ତଥ୍ୟ ସଂଗ୍ରହ କରି ସରକାରଙ୍କୁ ରିପୋର୍ଟ ଦେବେ । ଆଗମୀ ଦୁଇ ସପ୍ତାହ ଧରି କଲେକ ଛାତ୍ରଛାତ୍ରୀ ସାରା ରାଜ୍ୟରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ସୁଭଦ୍ରା ହିତାଧିକାରୀଙ୍କ ସାକ୍ଷାତକାର ନେବେ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିବା ପରେ, ସୁଭଦ୍ରା ସମୀକ୍ଷାରେ କଲେଜ ଛାତ୍ରଛାତ୍ରୀଙ୍କୁ ନିୟୋଜିତ କରିବା ନେଇ ପ୍ରଶ୍ନ ଉଠାଇଛନ୍ତି ଅଭିଭାବକ ସଙ୍ଘ । ଏକ ମାସ ଧରି ସୁଭଦ୍ରା ସମୀକ୍ଷା ଚାଲିବ । ସର୍ବେକ୍ଷଣ ତଥ୍ୟ ଆଧାରରେ ଆଗାମୀ ସୁଭଦ୍ରା କାର୍ଯ୍ୟକ୍ରମର କାର୍ଯ୍ୟାନ୍ଵୟନ ସ୍ଥିର କରା‌ଯିବ । ଆଇଆଇଏମ୍, ସମ୍ବଲପୁର ସହଯୋଗରେ ମହିଳା ଓ ଶିଶୁ ବିକାଶ ବିଭାଗ ଏହି ସମୀକ୍ଷର ତଥ୍ୟକୁ ବିଶ୍ଳେଷଣ କରି ସମ୍ପୂର୍ଣ୍ଣ ରିପୋର୍ଟ ପ୍ରସ୍ତୁତ କରିବ ।