ପାହାଡ଼ ଜଙ୍ଗଲ ଭିତରେ ଗୁମ୍ଫାରୁ ପରିବାର ସହ ଠାବ ହେଲେ ଋଷୀୟ ମହିଳା, କଣ କରୁଥିଲେ ଜାଣି ହେବେ ତାଜୁବ୍

କର୍ଣ୍ଣାଟକର ଉତ୍ତର କନ୍ନଡ ଜିଲ୍ଲାର ଗୋକର୍ଣ୍ଣରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଋଷୀୟ ମହିଳା ନିଜ ଦୁଇ ଛୁଆଙ୍କ ସହ ଜଙ୍ଗଲ ମଧ୍ୟରେ ଥିବା ଏକ ଗୁମ୍ଫାରୁ ଉଦ୍ଧାର ହୋଇଛନ୍ତି। ମହିଳାଙ୍କ ନାମ ନୀନା କୁଟିନା ଓରଫ ମୋହିନୀ। ସେ ଆଧ୍ୟାତ୍ମିକ ଶାନ୍ତି ଖୋଜିବାକୁ ଭାରତ ଆସିଥିଲେ ଏବଂ ଗତ ଦୁଇ ସପ୍ତାହ ଧରି ସେ ତାଙ୍କ ଝିଅମାନଙ୍କ ସହିତ ରାମତୀର୍ଥ ପାହାଡ଼ରେ ଥିବା ଏକ ଗୁମ୍ଫାରେ ରହୁଥିଲେ।

ପୋଲିସର ସୂଚନା ଅନୁଯାୟୀ, ନୀନା ତାଙ୍କ ଝିଅ ପ୍ରେୟା ଏବଂ ଅମାଙ୍କ ସହ ଏକ ଗୁମ୍ଫାରେ ରହୁଥିଲେ। ସେଠାରେ ସେ ରୁଦ୍ରଙ୍କ ଏକ ମୂର୍ତ୍ତି ରଖିଥିଲେ ଏବଂ ଦିନରାତି ପୂଜା ଏବଂ ଧ୍ୟାନ କରୁଥିଲେ। ଚାରିପାଖରେ ଘନ ଜଙ୍ଗଲ, ଢାଲ ଏବଂ ବିପଦପୂର୍ଣ୍ଣ ପାହାଡ଼ ଥିଲା। ସେ କାହାରି ସହିତ ଯୋଗାଯୋଗରେ ନଥିଲେ ଏବଂ ସମ୍ପୂର୍ଣ୍ଣ ଏକାକୀ ରହୁଥିଲେ। ସମ୍ପ୍ରତି ହୋଇଥିବା ଭୂସ୍ଖଳନ ପରେ ସେହି ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ଗୁମ୍ଫା ବାହାରେ ପୋଷାକ ଶୁଖୁଥିବା ପୋଲିସ ଦେଖିବାକୁ ପାଇଥିଲା।

ଗୁମ୍ଫା ଚାରିପାଖରେ ପୋଷାକ ଦେଖି ସର୍କଲ୍ ପୋଲିସ ଇନ୍ସପେକ୍ଟର ଶ୍ରୀଧରଙ୍କ ଟିମକୁ ସନ୍ଦେହ ହୋଇଥିଲା। ସେମାନେ ବୁଦା ଦେଇ ଗୁମ୍ଫାରେ ପହଞ୍ଚିବା ପରେ ସେଠାରେ ନୀନା ଏବଂ ତାଙ୍କ ଦୁଇ ଝିଅଙ୍କୁ ଦେଖିଥିଲେ। ଉଭୟ ପିଲା ସୁସ୍ଥ ଥିବା ଜଣାପଡିଛି। ତେବେ ଉକ୍ତ ମହିଳା ଏବଂ ପିଲାମାନେ ଏତେ ଦିନ ଧରି ସେଠାରେ ବିନା ସାହାଯ୍ୟରେ କିପରି ରହିଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ତେବେ ପୋଲିସ ନୀନା ଏବଂ ତାଙ୍କ ପିଲାମାନଙ୍କୁ ଗୋକର୍ଣ୍ଣର ଜଣେ ସାଧ୍ୱୀଙ୍କ ଦ୍ୱାରା ପରିଚାଳିତ ଏକ ଆଶ୍ରମରେ ରଖିଛି। ସେମାନଙ୍କ ପାଇଁ ରହିବା ଏବଂ ଖାଦ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହା ସହିତ ସେମାନଙ୍କୁ ବେଙ୍ଗାଲୁରୁ ନେଇ ଦେଶାନ୍ତର ପ୍ରକ୍ରିୟା ଆରମ୍ଭ କରାଯାଉଛି। ଉତ୍ତର କନ୍ନଡ ଏସପି ଏମ ନାରାୟଣ କହିଛନ୍ତି ଯେ ମହିଳାଙ୍କ ଭିସା ୨୦୧୭ରେ ହିଁ ଶେଷ ହୋଇଯାଇଥିଲା। ସେ ବିଜନେସ ଭିସାରେ ଭାରତ ଆସିଥିଲେ ଏବଂ ଗୋଆ ଦେଇ ଗୋକର୍ଣ୍ଣରେ ପହଞ୍ଚିଥିଲେ।