ଉତ୍ତରପ୍ରଦେଶରେ ବେଆଇନ ଧର୍ମାନ୍ତରଣର ଏକ ବଡ଼ ରାକେଟ ପର୍ଦ୍ଦାଫାଶ କରିଛି ଆତଙ୍କବାଦ ନିରୋଧୀ ସ୍କ୍ଵାଡ୍। ଏହି ରାକେଟର ମାଷ୍ଟରମାଇଣ୍ଡ ଜମାଲୁଦ୍ଦିନ ଓରଫ ଛାଙ୍ଗୁର ବାବାଙ୍କୁ ଗିରଫ କରାଯାଇଛି। ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ନୀତି ରୋହରା ସରଫ ନସରୀନକୁ ବି ଗିରଫ କରାଯାଇଛି। ଧର୍ମାନ୍ତରଣ ପାଇଁ ବିଦେଶରୁ ୧୦୦ କୋଟି ଟଙ୍କାର ପାଣ୍ଠି ମିଳିଥିବା ତଦନ୍ତରୁ ଜଣାପଡ଼ିଛି।
ସୂଚନା ଅନୁସାରେ, ଜମାଲୁଦ୍ଦିନ ଓରଫ ଛାଙ୍ଗୁର ବାବା ନିଜକୁ ହାଜି ପୀର ଜଲାଲୁଦ୍ଦୀନ ନାମରେ ପ୍ରଚାରିତ କରୁଥିଲା। ଯୁବତୀମାନଙ୍କୁ ସେ ପ୍ରଲୋଭିତ କରି ଧର୍ମାନ୍ତରଣ କରୁଥିବା ଅଭିଯୋଗ ରହିଥିଲା। ଧର୍ମାନ୍ତରଣ ପାଇଁ ଭିନ୍ନ ଭିନ୍ନ ଜାତିର ଝିଅଙ୍କ ଲାଗି ଅଲଗା ଅଲଗା ମୂଲ୍ୟ ଦିଆଯାଉଥିଲା। ବଳରାମପୁରର ଉଟରୌଲା ଅଞ୍ଚଳରେ ଦୀର୍ଘ ଦିନ ଧରି ଏହି ରାକେଟ ଚାଲିଆସୁଥିଲା।
ଏହି ନେଟଓ୍ବର୍କ ପରିଚାଳନା ପାଇଁ ବିଦେଶରୁ ୧୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପାଣ୍ଠି ମିଳିଥିବା ନେଇ ତଥ୍ୟ ହସ୍ତଗତ ହୋଇଛି। ତେବେ ଛାଙ୍ଗୁର ବାବାଙ୍କ ବିରୋଧରେ ରହିଥିବା ଅଭିଯୋଗ ମୁତାବକ, ସେ ଗତ ୩ ବର୍ଷ ଧରି ମୁସଲିମ୍ ରାଷ୍ଟ୍ରଗୁଡିକରୁ ୫୦୦ କୋଟି ଟଙ୍କା ପାଇ ଏକ ଧର୍ମାନ୍ତରୀକରଣ ରାକେଟ୍ ଚଳାଉଥିଲେ । ଏହି ସମୟରେ ସେ ଗରିବ, ବିଧବା ଓ ପଛୁଆ ଦୁର୍ବଳ ବର୍ଗର ମହିଳାଙ୍କୁ ଟାର୍ଗେଟ କରୁଥିଲେ ।
ଉତ୍ତରପ୍ରଦେଶର ଭାରତ-ନେପାଳ ସୀମା ନିକଟରେ ଥିବା ୭ଟି ଜିଲ୍ଲା ଗୁଡିକରେ ସେ ଏହି ଟଙ୍କାକୁ ମୁସଲିମ ବ୍ୟକ୍ତିମାନଙ୍କୁ ଦେଉଥିଲେ । ଏହା ସହିତ ଯେଉଁମାନେ ଲଭ୍ ଜିହାଦ ଜରିଆରେ ହିନ୍ଦୁ ଝିଅମାନଙ୍କୁ ପ୍ରଲୋଭିତ କରି ବିବାହ କରୁଥିଲେ, ସେମାନଙ୍କୁ ନଗଦ ଟଙ୍କା ମଧ୍ୟ ଦେଉଥିଲେ । ଏଡିଜିପିଙ୍କ ସୂଚନା ଅନୁସାରେ, ଜମାଲୁଦ୍ଦିନ ୪୦ରୁ ୫୦ ଇସଲାମିକ ଦେଶକୁ ଯାତ୍ରା କରିଛି। ବଳରାମପୁରରେ ସେ ବହୁ ପରିମାଣର ସମ୍ପତ୍ତି କିଣିଥିବା ତଦନ୍ତରୁ ସୂଚନା ମିଳିଛି।