ପୁରୀରେ ଦଳାଚକଟା ଘଟଣା, ବଳି ପଡିବେ କି ବଡ ଅଫିସର, ସଙ୍କେତ ଦେଲେ ଆଇନ ମନ୍ତ୍ରୀ, ଜାଣନ୍ତୁ ପୁରା‌ ଖବର

ଖୁବ ଶିଘ୍ର ବଳିପଡିବେ ବଡ ଅଫିସର। ପୁରୀରେ ହୋଇଥିବା ଦଳଚକଟା ଘଟଣାରେ ପ୍ରଶାସନର ଅବହେଳା ନେଇ ସରକାର ଏହି ପଦକ୍ଷେପ ଗ୍ରହଣ କରୁଛନ୍ତି। ଖୁବ ଶିଘ୍ର ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ଆଜି ପୁରୀ ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ମନ୍ତ୍ରୀ। ସେ କହିଛନ୍ତି ଯାହା ବି ଘଟଣା ଘଟିଛି ତାହା ପ୍ରଶାସନର ଅବହେଳା।

ତେବେ ସେ ବାରମ୍ବାର ଗୋଟିଏ କଥା କହିଥିଲେ ଯେ, ଏହି ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତି କରିସାରିଛନ୍ତି। ଖୁବ ଶିଘ୍ର ଘୋଷଣା କରିବେ। ଫଳରେ ଏହା ନିଶ୍ଚିତ ଯେ, କେହି ଜଣେ ବଳି ପଡିବେ।

ତେବେ ଆଇନ ମନ୍ତ୍ରୀଙ୍କ କହିବା କଥା ଯେ, ଗତକାଲି ରାତିରୁ ଭକ୍ତମାନେ ଶରଧାବାଲିରେ ଶୋଇଥିଲେ। ତେବେ ପହଡ ଖୋଲିବା ପରେ ପଛରେ ଥିବା ଭକ୍ତମାନେ ମାଡି ଆସିବାରୁ ଯେଉଁମାନେ ଶୋଇଥିଲେ ସେମାନେ ଉଠିପାରି ନ ଥିଲେ। ଫଳରେ ଏପରି ଦୁର୍ଘଟଣା ଘଟି ତିନି ଜଣଙ୍କର ମୃତ୍ୟୁ ହୋଇଥିବାର ସେ ସ୍ବୀକାର କରିଥିଲେ। ତେବେ ଯେଉଁମାନେ ଆହତ ହୋଇଛନ୍ତି ସେମାନେ ବିପଦ ମୁକ୍ତ ହୋଇଛନ୍ତି ବୋଲି ସେ କହିଛନ୍ତି।

ମୃତକମାନେ ହେଲେ ଖୋର୍ଦ୍ଧା ଗୋବର୍ଦ୍ଧନପୁର ଅଞ୍ଚଳର ବାସନ୍ତୀ ସାହୁ (୩୬), ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳର ପ୍ରେମକାନ୍ତ ମହାନ୍ତି (୭୮) ଏବଂ ବାଲିପାଟଣା ଅଠାନ୍ତର ଅଞ୍ଚଳର ପ୍ରଭାତୀ ଦାସ । ସେହିପରି ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଠେଲାପେଲାରେ ପ୍ରାୟ ୫୦ ଜଣ ଆହତ ହୋଇଥିବା ସୂଚନା ରହିଛି । ଭକ୍ତଙ୍କ ଭିଡ଼ ଭିତରେ ଚାର କାଠ ବୋଝେଇ ଟ୍ରକ ପଶିଥିଲା ବୋଲି କହିଛନ୍ତି ପ୍ରତ୍ୟେକ୍ଷଦର୍ଶୀ ।

ପରଲୋକଗତ ଭକ୍ତମାନଙ୍କ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହିତ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି।