ଏମ୍ସରେ ଦୀର୍ଘ ୫୫ଘଣ୍ଟାର ଜୀବନ ମରଣ ସହ ଲଢ଼େଇ କରିବା ପରେ ହାରିଯାଇଛନ୍ତି ଫକୀର ମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ ବିଏଡ୍ ଦ୍ବିତୀୟ ବର୍ଷର ଛାତ୍ରୀ ସୌମ୍ୟାଶ୍ରୀ ବିଶି(୨୦)। ଭୁବନେଶ୍ବର ଏମ୍ସର ବର୍ଣ୍ଣ ବିଭାଗର ଆଇସିୟୁର ଭେଣ୍ଟିଲେଟର ଜରିଆରେ ଚିକିତ୍ସାଧୀନ ସୌମ୍ୟାଶ୍ରୀଙ୍କର ସୋମବାର ରାତି ୧୧ଟା ୪୬ମିନିଟ୍ରେ ମୃତ୍ୟୁ ଘଟିଛି।
୮ଜଣିଆ ବିଶେଷଜ୍ଞ ଡାକ୍ତରଙ୍କ ସକଳ ପ୍ରଚେଷ୍ଟା ସତ୍ତ୍ବେ ଛାତ୍ରୀଙ୍କୁ ବଞ୍ଚାଇବା ସମ୍ଭବ ହୋଇପାରିନାହିଁ। ମୃତ୍ୟୁ ପରେ ଶବକୁ ବିଳମ୍ବିତ ରାତିରେ କଡ଼ା ସୁରକ୍ଷା ମଧ୍ୟରେ ବ୍ୟବଚ୍ଛେଦ କରାଯାଇଛି। ଏମ୍ସ ପକ୍ଷରୁ ଜାରୀ ସୂଚନା ଅନୁସାରେ ସୌମ୍ୟାଶ୍ରୀଙ୍କୁ ଦୁଇ ଦିନ ତଳେ ଅର୍ଥାତ ୧୨ତାରିଖ ଦିନ ବାଲେଶ୍ବର ଜିଲା ହସ୍ପିଟାଲରୁ ସନ୍ଧ୍ୟା ୫ଟା ୧୫ମିନିଟ୍ରେ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କୁ ଆଇସିୟୁରେ ଭେଣ୍ଟିଲେଟରରେ ରଖାଯିବା ସହ ଆବଶ୍ୟକ ଉନ୍ନତ ଚିକିତ୍ସା କରାଯାଉଥିଲା। ତେବେ ଶରୀରର ୯୫ ପ୍ରତିଶତ ପୋଡ଼ିଯାଇଥିବାରୁ ତାଙ୍କ କିଡ୍ନୀ, ଫୁସ୍ଫୁସ୍ ଓ ଲିଭର ଗୁରୁତର କ୍ଷତିଗ୍ରସ୍ତ ହୋଇଥିଲା। ଦିଲ୍ଲୀ ଏମ୍ସ ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ତାଙ୍କର ଡାଏଲିସିସ୍ କରାଯାଉଥିଲା। ଅବସ୍ଥା ଆରମ୍ଭରୁ ସଙ୍କଟାପନ୍ନ ରହିଥିଲା।
ତେବେ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘୋଷଣା କରିବା ପରେ ବିଳମ୍ବିତ ରାତିରେ ଏମ୍ସ ପଛ ଫାଟକ ଦେଇ ତାଙ୍କର ଶବକୁ ବ୍ୟବଚ୍ଛେଦ ପାଇଁ ନିଆଯିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ଶହଶହ ପୁଲିସ ଓ ଯୁବକର୍ମୀଙ୍କ ବଳୟ ମଧ୍ୟରେ ସୌମ୍ୟାଶ୍ରୀଙ୍କ ମରଶରୀରକୁ ବ୍ୟବଚ୍ଛେଦ ପାଇଁ ନିଆଯିବା ସମୟରେ ବିଜେଡିର ଯୁବକର୍ମୀମାନେ ଏହାକୁ ତୀବ୍ର ବିରୋଧ କରିଥିଲେ। ରାତି ଅଧରେ ଶବ ବ୍ୟବଚ୍ଛେଦକୁ ବିରୋଧ କରିବା ସହ ଏହା ପଛରେ ସରକାରଙ୍କ ମନ୍ଦ ଉଦ୍ଦେଶ୍ୟ ଥିବା ଅଭିଯୋଗ କରିଥିଲେ। କିଛି କର୍ମୀ ରାସ୍ତା ଉପରେ ଶୋଇ ଆମ୍ବୁଲାନ୍ସ ଯିବାକୁ ଦେଇ ନ ଥିଲେ। କିନ୍ତୁ ପୁଲିସ ସେମାନଙ୍କୁ ବଳପୂର୍ବକ ଉଠାଇ ଦେଇଥିଲା।
ସୋମବାର ଏମ୍ସ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପରେ ରାଷ୍ଟ୍ରପତି ଆଜି ପୀଡ଼ିତାଙ୍କୁ ବର୍ଣ୍ଣ ୟୁନିଟ୍ ମଧ୍ୟରେ ଦେଖିଥିଲେ ଏବଂ ତାଙ୍କର ସ୍ୱାସ୍ଥ୍ୟ, ଚିକିତ୍ସା ଆଦି ସମ୍ପର୍କରେ ଡ଼ାକ୍ତରୀ ଟିମ୍ ଓ ପୀଡ଼ିତାଙ୍କ ପରିବାରର ସଦସ୍ୟଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ମାତ୍ର ସେତେବେଳକୁ ପୀଡ଼ିତାଙ୍କର ମୃତ୍ୟୁ ଘଟି ସାରିଥିବା ସାଧାରଣରେ ଆଲୋଚନା ଚାଲିଥିଲା। ବିଳମ୍ବିତ ସନ୍ଧ୍ୟାରେ ଏଫ୍ଏମ୍ ସ୍ୱୟଂ ଶାସିତ କଲେଜ ଅଧ୍ୟକ୍ଷଙ୍କୁ ଗିରଫ କରି ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଯିବା ସୂଚନା ମିଳିବା ପରେ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟିଥିବା ଚର୍ଚ୍ଚା ନିଶ୍ଚିତ ମନେ ହୋଇଥିଲା।