ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଗତ ୧୨ ତାରିଖ ଦିନ ଜଣେ ଛାତ୍ରୀ ଆତ୍ମାହୁତି ଦେବା ଘଟଣାକୁ ନେଇ ପେଟ୍ରୋଲ ଡିଲର ସଂଘ ଲୋକଙ୍କୁ ଆଉ ବୋତଲରେ ପେଟ୍ରୋଲ ନଦେବାକୁ ନିଷ୍ପତ୍ତି ନେଇଛି । ସଂଘର ନିଷ୍ପତ୍ତି ଅନୁସାରେ ବୋତଲରେ ଆଉ ପେଟ୍ରୋଲ ମିଳିପାରିବ ନାହିଁ । ଯେଉଁମାନେ ପେଟ୍ରୋଲ୍ ନେବେ ସେମାନେ ସାଙ୍ଗରେ ଗାଡ଼ି ନେଇକି ଆସିବାକୁ ପଡ଼ିବ ।
ହେଲେ ଏହାକୁ ନେଇ ଏବେ ଚିନ୍ତାରେ ଅନେକ । ସାଧାରଣ ଭାବରେ ମଟର ପମ୍ପ, ଡଙ୍ଗା ଓ ଜେନେରେଟରରେ ପେଟ୍ରୋଲ୍ ବ୍ୟବହାର ହୁଏ । ଯଦି ପମ୍ପ କର୍ମଚାରୀମାନେ ପେଟ୍ରୋଲ୍ ନଦେବେ ତେବେ ଏହି ସବୁ ମେସିନ୍ କେମିତି ଚାଲିବ ତାହାକୁ ନେଇ ବି ପ୍ରଶ୍ନ ଉଙ୍କି ମାରୁଛି । ସେପଟେ ପରିସ୍ଥିତିର ଗମ୍ଭୀରତାକୁ ଦେଖି ଯୋଗାଣ ମନ୍ତ୍ରୀ ଲୋକସେବା ଭବନରେ ବୈଠକ ଡାକିଥିଲେ ।
ଅନେକ ସମୟରେ ଦେଖାଯାଉଛି କି ପେଟ୍ରୋଲ୍ ପମ୍ପରୁ ପେଟ୍ରୋଲ୍ ନେଇ ଆତ୍ମାହୁତି ଦେଉଛନ୍ତି । ଖାସ୍ କରି ବାଲେଶ୍ୱର ଛାତ୍ରୀ ଆତ୍ମାହୁତି ଘଟଣା ଘଟିବା ପରେ ସଚେତନ ହେଲେ ପେଟ୍ରୋଲ୍ ଆସେସିଏସନ୍ । ସେଇଥି ଲାଗି ତ ଖାଲି ବୋତଲରେ ଆଉ ପେଟ୍ରୋଲ୍ ନଦେବାକୁ ଦାବି କରାଯାଇଛି । ତେବେ ଯେଉଁମାନେ ବୋତଲରେ ପେଟ୍ରୋଲ୍ ନେବାକୁ ଚାହିବେ ସେମାନେ ଆଧାରକାର୍ଡ କପି ଦେବେ ବୋଲି କୁହାଯାଉଛି ।
ସେପଟେ,ଯୋଗାଣ ମନ୍ତ୍ରୀ ଡାକିଥିବା ବୈଠକରେ ନିଷ୍ପତ୍ତି ହୋଇଛି କି, ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ମିଳିବ ନାହିଁ ହେଲେ କାଚ ବୋତଲରେ ପେଟ୍ରୋଲ ମିଳିବ । ପେଟ୍ରୋଲିୟମ ନିୟମ ଅନୁଯାଯୀ ସବୁ ହେବ । ଖାଲି ଏତିକି ନୁହେଁ ବରଂ ଯେଉଁମାନେ ରାସ୍ତା କଡରେ ପେଟ୍ରୋଲ ପ୍ଲାଷ୍ଟିକ ବୋତଲରେ ବିକ୍ରି କରିବେ ସେମାଙ୍କ ବିରୋଧରେ ବି ଆକ୍ସନ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।