ବିବାହର ମାତ୍ର ୧୮ ମାସ ପରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ନେଇଥିବାବେଳେ ଭରଣପୋଷଣ ବାବଦରେ ସ୍ୱାମୀଙ୍କଠାରୁ ମୁମ୍ବାଇରେ ଏକ ଫ୍ଲାଟ୍ ୧୨ କୋଟି ଟଙ୍କା ଓ ଏକ ବିଏମ୍ଡବ୍ଲ୍ୟୁ କାର୍ ମାଗିଥିଲେ । ସେହି ମାମଲାରେ ସିଜେଆଇ ବି.ଆର୍ ଗଭଇଙ୍କ ଖଣ୍ଡପୀଠ ଶୁଣାଣି କରି ମହିଳା ଜଣଙ୍କୁ ଏକ ପ୍ରସ୍ତାବ ଦେବା ସହ ମାମଲାକୁ ସଂରକ୍ଷିତ ରଖିଛନ୍ତି। କୋର୍ଟ କହିଛନ୍ତି, ମହିଳା ଜଣଙ୍କ ଗୋଟିଏ ଫ୍ଲାଟରେ ସନ୍ତୁଷ୍ଟ ହୁଅନ୍ତୁ କିମ୍ଵା ୪ କୋଟି ନେଇ ଭଲ ଚାକିରି ଖୋଜନ୍ତୁ।
ମହିଳା ନିଜର ଆବେଦନରେ ଦର୍ଶାଇଥିଲେ ଯେ, ତାଙ୍କ ସ୍ୱାମୀ ବହୁତ ଧନୀ । ସେ ସିଟି ବ୍ୟାଙ୍କ୍ରେ ମ୍ୟାନେଜର ଭାବେ କାମ କରନ୍ତି । ତାଙ୍କର ଆଉ ଦୁଇଟି ବ୍ୟବସାୟ ମଧ୍ୟ ରହିଛି । ସେ ମାନସିକ ରୋଗରେ ପୀଡ଼ିତ ଥିବା ଦର୍ଶାଇ ସ୍ୱାମୀ ତାଙ୍କ ନିକଟରୁ ଛାଡ଼ପତ୍ର ପାଇଁ ଦାବି କରିଛନ୍ତି । ପ୍ରକୃତରେ କିନ୍ତୁ ସେ ମାନସିକ ରୋଗୀ ନୁହନ୍ତି । ସେହିପରି ସ୍ୱାମୀ ତାଙ୍କୁ ପୂର୍ବ ଚାକିରି ଛାଡି଼ବା ଲାଗି ବାଧ୍ୟ କରିଥିଲେ । ସେ ଏକ ସନ୍ତାନ ଚାହୁଁଥିଲେ । କିନ୍ତୁ ସ୍ୱାମୀ ତାଙ୍କୁ ସନ୍ତାନ ଦେଲେ ନାହିଁ । ବରଂ ତାଙ୍କ ବିରୋଧରେ ମିଥ୍ୟା ଏତଲା ରୁଜୁ କରାଇଥିଲେ।
ସେଥିଯୋଗୁ ତାଙ୍କୁ ଅନ୍ୟତ୍ର ଚାକିରି ମିଳୁନାହିଁ । ଏପରିକି ତାଙ୍କ ଓକିଲଙ୍କୁ ମଧ୍ୟ ସ୍ୱାମୀ ଉସ୍କାଇଥିବା ସେ ଦର୍ଶାଇଥିଲେ । ଏପରିସ୍ଥଳେ ଭରଣପୋଷଣ ବାବଦକୁ ମହିଳା ସ୍ୱାମୀଙ୍କଠାରୁ ମୁମ୍ବାଇର କଳ୍ପତରୁ କଂପ୍ଲେକ୍ସରେ ଏକ ଫ୍ଲାଟ୍, ୧୨ କୋଟି ଟଙ୍କା ଓ ଏକ ବିଏମ୍ଡବ୍ଲ୍ୟୁ କାର୍ ମାଗିଥିଲେ । ମାମଲାର ଶୁଣାଣି ସମୟରେ ସିଜେଆଇଙ୍କ ଖଣ୍ଡପୀଠ ମହିଳାଙ୍କ ଉଦ୍ଦେଶ୍ୟରେ କହିଥିଲେ, ଆପଣଙ୍କ ବିବାହ ମାତ୍ର ୧୮ ମାସ ତିଷ୍ଠିଛି । ଆପଣ ୧୨ କୋଟି, ବିଏମ୍ଡବ୍ଲ୍ୟୁ ମାଗୁଛନ୍ତି । କିନ୍ତୁ ଆପଣ ଶ୍ୱଶୁରଙ୍କ ସମ୍ପତ୍ତି ଉପରେ ଦାବି କରିପାରିବେନି। ଆପଣ ଉଚ୍ଚ ଶିକ୍ଷିତ, ଆଇଟି ବିଶେଷଜ୍ଞ, ଏମ୍ବିଏ କରିଛନ୍ତି ।
ଏହି ପେସାରେ ଲୋକଙ୍କର ବହୁତ ଡିମାଣ୍ଡ ରହିଛି । ପୁନେ, ହାଇଦ୍ରାବାଦ, ବେଙ୍ଗାଲୁରୁରେ ଏକ ଭଲ ଚାକିରି ଖୋଜି ନିଜେ ରୋଜଗାର କରନ୍ତୁ । ଜଣେ ଶିକ୍ଷିତ ବ୍ୟକ୍ତିଙ୍କୁ ନିଜର ଆର୍ଥିକ ସ୍ୱାଧୀନତା ଲାଗି ନିଜେ ଉଦ୍ୟମ କରିବା ଆବଶ୍ୟକ । ଆପଣ ନିଜ ଲାଗି ଭରଣପୋଷଣ ନ ମାଗି ନିଜେ ରୋଜଗାର କରି ଚଳିବା ଉଚିତ୍ । ଆମେ ଏତଲା ରଦ୍ଦ କରିଦେବୁ । ଯାହାଫଳରେ ଆପଣ ଚାକିରି କରିପାରିବେ । ଏହାପରେ ସିଜେଆଇ ମହିଳାଙ୍କୁ ଗୋଟିଏ ଫ୍ଲାଟ୍ ନେଇ ସନ୍ତୁଷ୍ଟ ହେବାକୁ ନଚେତ ୪ କୋଟି ଟଙ୍କା ନେଇ ଏକ ଭଲ ଚାକିରି ଖୋଜିବାକୁ ପ୍ରସ୍ତାବ ରଖିଥିଲେ ।