ଜିଏସ୍‌ଟି କମିଲା ପରେ ଏହି ସବୁ ବାଇକ ଶସ୍ତା… ଜାଣନ୍ତୁ କେଉଁ ବାଇକ ଆଜିଠାରୁ ଶସ୍ତା ହୋଇଗଲା

ନବରାତ୍ର ଆରମ୍ଭ ହେଉଛି। ନବରାତ୍ରର ପ୍ରଥମ ଦିନରୁ ମୋଦି ସରକାର ଦେଇଛନ୍ତି ପୂଜା ଭେଟି। ଆଜିଠୁ ଲାଗୁହେଲା ନେକ୍ସଟ୍ ଜେନ୍ ଜିଏସଟି। ଦେଶ ହିତରେ ସଂଶୋଧିତ ନୂଆ ସାମଗ୍ରୀ ଓ ସେବା ଶୁଳ୍କ(ଜିଏସ୍‍ଟି)ରେ ଏଭଳି ଆର୍ଥିକ ସଂସ୍କାର କରାଯାଇଛି। ନାଗରିକ ଦେବ ଭବଃ ଧାରାରେ ଏହାକୁ ସଞ୍ଚୟ ଉତ୍ସବ ରୂପେ ପାଳନ କରିବେ ଦେଶବାସୀ। ଜିଏସଟିରେ ଅନେକ ସାମଗ୍ରୀ ଓ ସେବା ସରଳ ଓ ଶସ୍ତା ହୋଇଛି। ଆସନ୍ତୁ ଏହା ଉପରେ ନଜର ପକେଇବା।

ଆଜିଠୁ ଶସ୍ତା ହେଲା ଦୈନନ୍ଦିନ ସାମଗ୍ରୀ, ଆଶ୍ବସ୍ତ ହେଲେ ମଧ୍ୟବିତ୍ତଙ୍କଠୁ ଆରମ୍ଭ କରି ଚାଷୀ। ଆଜିଠୁ କେବଳ ତିନିଟି ସ୍ଲାବରେ ଜିଏସଟି। ଆଉ ନାହିଁ ୧୨ ପ୍ରତିଶତ ଓ ୧୮ ପ୍ରତିଶତ ଜିଏସଟି ସ୍ଲାବ। ୫ ପ୍ରତିଶତ ଓ ୧୮ ପ୍ରତିଶତ ସ୍ଲାବରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ। ଅଧିକାଂଶ ସାମଗ୍ରୀ ଶସ୍ତା ହେବ। ୩୩ ଜୀବନ ରକ୍ଷାକାରୀ ଔଷଧରେ ଶୂନ ଟିକସ ରହିବ।

ସେହିପରି ଆୟକର ସ୍ଲାବରେ ୧୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ କରୁଥିବା କରଦାତାଙ୍କୁ ଆୟକର ମୁକ୍ତ କରାଯାଇଛି । ଉଭୟ ଆର୍ଥିକ ଫାଇଦାକୁ ଯୋଡିଲେ ଏହା ଦ୍ୱାରା ଦେଶବାସୀ ବାର୍ଷିକ ୨.୫ଲକ୍ଷ କୋଟି ଟଙ୍କା ସଞ୍ଚୟ କରିପାରିବେ । ଆର୍ଥିକ ଦୃଷ୍ଟିରୁ ଏହା ସିଧାସଳଖ ଦେଶକୁ ଫାଇଦା ଦେବ ।

ତମାଖୁ ଓ ବିଳାସପୂର୍ଣ୍ଣ ସାମଗ୍ରୀ ଉପରେ ୪୦ ପ୍ରତିଶତ ଟିକସ ଲାଗୁ ହୋଇଛି। ଜୀବନ ବୀମା ଓ ସ୍ବାସ୍ଥ୍ୟବୀମାରୁ ଛାଡ଼ ହୋଇଛି ଜିଏସଟି। ଗତ ତିନି ତାରିଖରେ ଜିଏସଟି ପରିଷଦରେ ନିଆଯାଇଥିବା ଐତିହାସିକ ନିଷ୍ପତ୍ତି ଆଜିଠୁ ଲାଗୁ ହୋଇଛି । ନୂଆ ଜିଏସଟି ହାର ସାଧାରଣ ଗ୍ରାହକଙ୍କୁ ଅଧିକ ଲାଭ ଦେବ।

ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀରେ ହୋଇଛି ବଡ଼ ହ୍ରାସ। ସାମ୍ପୁ, ଟୁଥବ୍ରସ୍, ଟୁଥପେଷ୍ଟ, ସାଇକେଲ, ରୋଷେଇ ସାମଗ୍ରୀ, ନମକିନ, ଚକୋଲେଟ୍, କଫି, ନୁଡଲ୍ସ, ଘିଅ, ଲହୁଣି, ଥର୍ମୋମିଟର, ମେଡିକାଲରେ ବ୍ୟବହୃତ ଅକ୍ସିଜେନ୍, ଜୀବନ ରକ୍ଷାକାରୀ ଔଷଧ ଓ ବିଭିନ୍ନ କୃଷି ଯନ୍ତ୍ରପାତି ବି ଶସ୍ତା ହୋଇଛି। ଏସବୁ ଆଜିଠୁ ୫ ପ୍ରତିଶତ ଜିଏସଟି ସ୍ଲାବରେ ସାମିଲ ହୋଇଛି। ସେହିଭଳି ଜୀବନ ବୀମା, ସ୍ବାସ୍ଥ୍ୟବୀମା, ଛେନା, ପନୀର, ରୁଟି, ପିଜା ବ୍ରେଡ, ପାଉଡର କ୍ଷୀର, ପରଟା, ମ୍ୟାପ୍, ଚାର୍ଟ, ଗ୍ଲୋବ, ପେନସିଲ୍, ଖାତା ବହି, ରବର ଆଜିଠୁ ଜିରୋ ଜିଏସଟି। ଅର୍ଥାତ ଏସବୁ ସାମଗ୍ରୀ ଉପରେ ଆଉ ଜିଏସଟି ଦେବାକୁ ପଡ଼ିବ ନାହିଁ।

ତେବେ ନୂଆ ୪୦ ପ୍ରତିଶତ ଜିଏସଟି ସ୍ଲାବକୁ ହାନିକାରକ ଓ ଅତି ବିଳାସପୂର୍ଣ୍ଣ ସାମଗ୍ରୀ ପାଇଁ ଲାଗୁ କରାଯାଇଛି। ସେହି ଜିନିଷଗୁଡ଼ିକ ହେଉଛି ପାନ ମସଲା, ସିଗାରେଟ୍ , ଗୁଟଖା, ତମାଖୁ ଦ୍ରବ୍ୟ, ଜର୍ଦା, କୋଲଡ୍ରିଙ୍କସ୍ ଇତ୍ୟାଦି।

ଚାଷୀଙ୍କଠାରୁ ଆରମ୍ଭ କରି ଘର ନିର୍ମାଣ କରୁଥିବା ଲୋକଙ୍କ ମୁହଁରେ ଖୁସି ଖେଳାଇଦେଇଛି ମୋଦି ସରକାରଙ୍କ ଐତିହାସିକ ନିଷ୍ପତ୍ତି। ଜିଏସଟି ସ୍ଲାବ ବଦଳିବା ପରେ ସବୁଠୁ ଅଧିକ ଆଶ୍ବସ୍ତ ହୋଇଛନ୍ତି ମଧ୍ୟବିତ୍ତ । ନୂଆ ଜିଏସଟି ହାର ଇଲେକ୍ଟ୍ରୋନିକ୍ସ ଏବଂ ଅଟୋମୋବାଇଲ ସେକ୍ଟରକୁ ଦେଇଛି ବଡ଼ ଉତ୍ସାହ। ଆଜିଠୁ ଶସ୍ତା ହେଲା ଟିଭି, ଏୟାର କଣ୍ଡିସନର, ବାଇକ୍, ପେଟ୍ରୋଲ-ଏଲପିଜି ଓ ସିଏନଜି କାର, ଅଟୋ ପାର୍ଟ୍ସ, ମନିଟର ଓ ପ୍ରୋଜେକ୍ଟର ଏବଂ ସିମେଣ୍ଟ। ଏହି ସାମଗ୍ରୀ ଉପରେ GST ୨୮%ରୁ ୧୮କୁ ହ୍ରାସ କରାଯାଇଛି।