ଛାତ୍ରକୁ ଧକ୍କା ଦେଇ ପଳଉଥିଲେ, ବନ୍ଧାହେଲେ ଆସାମର ଅଭିନେତ୍ରୀ ନନ୍ଦିନୀ କଶ୍ୟପ, ଜାଣନ୍ତୁ ପୁରା‌ ଖବର

ନନ୍ଦିନୀ କଶ୍ୟପ ଏକ ମହିନ୍ଦ୍ରା ସ୍କର୍ପିଓ ଏସୟୁଭି ଗାଡିକୁ ଦ୍ରୁତ ବେଗରେ ଚଳାଉଥିବା ବେଳେ ରାସ୍ତାରେ ଯାଉଥିବା ସାମିଉଲଙ୍କୁ ଧକ୍କା ଦେଇଥିଲେ। ସାକ୍ଷୀମାନେ ଦାବି କରିଛନ୍ତି ଯେ ଅଭିନେତ୍ରୀ ଘଟଣା ପରେ ଗାଡ଼ି ନ ଅଟକାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସିସିଟିଭି ଫୁଟେଜରେ ଏହା ମଧ୍ୟ ଦେଖାଯାଇଛି ଯେ ସାମିଉଲ ଘରକୁ ଫେରୁଥିବା ବେଳେ ଏକ ଦ୍ରୁତଗାମୀ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ସାମିଉଲଙ୍କୁ ତୁରନ୍ତ ଗୌହାଟୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଚାରି ଦିନ ପରେ ଅପୋଲୋ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ମଙ୍ଗଳବାର ରାତିରେ ସେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ନନ୍ଦିନୀଙ୍କୁ ମଙ୍ଗଳବାର ରାତିରେ ଉତ୍ତର ଗୌହାଟୀର ରାଜଧାନୀ ଥିଏଟରର ରିହର୍ସାଲ ସ୍ଥାନରୁ ଦିସପୁର ପୋଲିସ ଗିରଫ କରିଥିଲା ଏବଂ ପରେ ପାନବଜାର ଅଲ ୱିମେନ ପୋଲିସ ଷ୍ଟେସନକୁ ସ୍ଥାନାନ୍ତର କରାଯାଇଥିଲା। ବୁଧବାର ୧ଟା ୩୦ ସମୟରେ ତାଙ୍କୁ ଔପଚାରିକ ଭାବେ ଗିରଫ କରାଯାଇଥିଲା।

ଡିସିପି ଜୟନ୍ତ ସାରଥି ବୋରାଙ୍କ କହିବା ଅନୁସାରେ, ପ୍ରାରମ୍ଭରେ ଏହି ମାମଲା ଜାମିନଯୋଗ୍ୟ ଧାରାରେ ରୁଜୁ ହୋଇଥିଲା। କିନ୍ତୁ ସାମିଉଲଙ୍କ ମୃତ୍ୟୁ ପରେ ଭାରତୀୟ ନ୍ୟାୟ ସଂହିତା ଧାରା ୧୦୫ ଏବଂ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଧାରା ୧୨୫ବି ଅନୁଯାୟୀ ଜାମିନ ଅଯୋଗ୍ୟ ଧାରା ଯୋଡ଼ାଯାଇଛି। ନନ୍ଦିନୀଙ୍କୁ ବୁଧବାର ଏକ ସ୍ଥାନୀୟ ଅଦାଲତରେ ହାଜର କରାଯିବ। ସାମିଉଲଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ ନନ୍ଦିନୀ ପ୍ରାରମ୍ଭରେ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

କିନ୍ତୁ ପରେ କୌଣସି ସାହାଯ୍ୟ କରି ନ ଥିଲେ। ପୋଲିସ ନନ୍ଦିନୀଙ୍କ ଦୁଇଟି ଗାଡ଼ି ଜବତ କରି ଫରେନସିକ ସାଇନ୍ସ ଲାବୋରେଟୋରୀ କୁ ପଠାଇଛି ଏବଂ ଅଞ୍ଚଳର ସିସିଟିଭି ଫୁଟେଜ ସଂଗ୍ରହ କରି ତଦନ୍ତ ଜାରି ରଖିଛି। ଅଲ ଆସାମ ପଲିଟେକନିକ ଷ୍ଟୁଡେଣ୍ଟସ୍ ୟୁନିଅନ ଦିସପୁର ପୋଲିସ ଷ୍ଟେସନରେ ଏକ ଏଫଆଇଆର ଦାଖଲ କରି ସାମିଉଲଙ୍କ ପାଇଁ ତୁରନ୍ତ ନ୍ୟାୟ ଦାବି କରିଛି। ସୋସିଆଲ ମିଡିଆରେ ମଧ୍ୟ ନନ୍ଦିନୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଉଠୁଛି।