ଆତଙ୍କବାଦୀଙ୍କ ଭଳି ଟ୍ରେନିଂ ନେଇ ମନ୍ଦିର ଭିତରକୁ ଯାଇଥିଲେ, ଚଷମାରେ କ୍ୟାମେରା ଲଗାଇ କରିଥାନ୍ତେ ଏମିତି କାମ

ଶ୍ରୀମନ୍ଦିର ଭିତରେ ହିଡେନ୍ କ୍ୟାମେରା । କ୍ୟାମେରା ଥିବା ଚଷମା ପିନ୍ଧି ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିଲେ ପୁରୀ ଗଜପତି ନଗରର ଯୁବକ। ଧରା ପଡିବା ପରେ କାଗଜ ପତ୍ରରେ ଲେଖାପଢ଼ା କରି ଯୁବକକୁ ଛାଡ଼ି ଦେଇଛି ସିଂହଦ୍ବାର ପୁଲିସ। ଅଭିନବ ଉପାୟରେ ଶ୍ରୀମନ୍ଦିର ଭିତରେ କଏଦ କରିଥିଲା ଫୋଟୋ ଭିଡିଓ । ନିଜ ଚଷମାରେ ହିଡେନ୍ କ୍ୟାମେରା ଲେନ୍ସ ଲଗାଇ ଭିତର ଭିଜୁଆଲ ଉତ୍ତୋଳନ କରୁଥିଲା ।

ଚଷମାରେ ଲାଗିଥିବା ଲେନ୍ସରୁ ଫୋଟୋ ଭିଡିଓ ଗୁଡ଼ିକ ସିଧାସଳଖ ମୋବାଇଲ୍‌କୁ ଯାଉଥିଲା । ବେହରଣ ଦ୍ଵାର ନିକଟରେ ସନ୍ଦେହ ହେବାରୁ ଯୁବକକୁ ପୁଲିସ ଧରିଥିଲା । ଯୁବକକୁ ଧରିବା ସହ ପଚରାଉଚୁରା କରିବା ପରେ ଛାଡିଦେଇଛି ପୁଲିସ । ସେହିପରି ଏଏସ୍‌ଆଇ ସୋସିଆଲ ମିଡିଆ ଏକ୍ସ ଆକାଉଣ୍ଟରେ ମଧ୍ୟ ଶ୍ରୀମନ୍ଦିର ଓ ରତ୍ନଭଣ୍ଡାର ଫଟୋ କିଛି ସମୟ ପାଇଁ ପୋଷ୍ଟ ହୋଇଥିଲା ।

ରତ୍ନଭଣ୍ଡାର ମରାମତି କାମରେ ନିୟୋଜିତ ଥିବାବେଳେ ଏଏସଆଇର ଏକ୍ସ ଆକାଉଣ୍ଟରେ ଶ୍ରୀମନ୍ଦିର ଭିତର ଫଟୋ ପୋଷ୍ଟ ହେବାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏଭଳି ଅନେକ ଘଟଣା ବାରମ୍ବାର ଘଟୁଥିଲେ ବି ବର୍ତ୍ତମାନ ସୁଦ୍ଧା ସେଭଳି ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ । ପୂର୍ବରୁ ଅନେକ ଥର ଶ୍ରୀମନ୍ଦିର ଭିତରୁ ଫଟୋ, ଭିଡିଓ ଭାଇରାଲ ହୋଇଛି । ଅନେକ ଲୋକ ମୋବାଇଲ ସହ ଶ୍ରୀମନ୍ଦିର ଭିତରୁ ଧରା ପଡୁଛନ୍ତି ମଧ୍ୟ। ମାତ୍ର କାର୍ଯ୍ୟାନୁଷ୍ଠାନ ଶୂନ ।