ଗୁରୁବାର ବ୍ରିଟେନ୍ ଓ ଭାରତ ମଧ୍ୟରେ ବହୁ ପତୀକ୍ଷିତ ମୁକ୍ତ ବାଣିଜ୍ୟ ଚୁକ୍ତି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ରିଟେନ ଗସ୍ତ ସମୟରେ ଦୁଇ ଦେଶର ବାଣିଜ୍ୟ ମନ୍ତ୍ରୀଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହି ଟ୍ରେଡ୍ ଡିଲ୍କୁ ନେଇ ଉଭୟ ଦେଶ ବେଶ୍ ଖୁସି ଅଛନ୍ତି। ବ୍ରେକ୍ଜିଟ୍ରୁ ଓହରିବା ପରେ ବ୍ରିଟେନ୍ର ଏହା ବଡ଼ ବିଜୟ ବୋଲି ୟୁକେବାସିନ୍ଦା କହୁଥିବା ବେଳେ ଭାରତ ପାଇଁ ଏକ ବଡ଼ ସୁଯୋଗର ଆଣିଛି। ଏଥିରେ ଭାରତ ବିପୁଳ ଲାଭବାନ ହେବ। ହେଲେ ଏହି ଟ୍ରେଡ୍ ଡିଲ୍ ଦ୍ୱାରା ଉଭୟ ଦେଶର ଜନତା କିଭଳି ଲାଭବାନ ହେବେ ? ସାଧାରଣ ଲୋକଙ୍କ ପାଇଁ କେଉଁ ସବୁ ଜିନିଷର ମୂଲ୍ୟ କମିଯିବ ଆସନ୍ତୁ ଜାଣିବା।
ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ବ୍ରିଟେନ ପ୍ରତିପକ୍ଷ କିର୍ ଷ୍ଟାର୍ମରଙ୍କ ଉପସ୍ଥିତିରେ ଭାରତର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ବ୍ରିଟେନ୍ର ବ୍ୟାପାର ମନ୍ତ୍ରୀ ଜୋନାଥନ ରେନୋଲ୍ଡ୍ସ ଏହି ରାଜିନାମାରେ ସ୍ୱାକ୍ଷର କରିଛନ୍ତି । ରାଜିନାମାକୁ ଲାଗୁ କରିବା ପାଇଁ ଏବେ ବ୍ରିଟିଶ ସଂସଦର ମଞ୍ଜୁରି ଲୋଡ଼ାଯିବ । ତେବେ ଏଥିପାଇଁ ବର୍ଷେ ସମୟ ଲାଗିପାରେ ବୋଲି ଅନୁମାନ ରହିଥିବାବେଳେ ଭାରତର କେନ୍ଦ୍ରୀୟ କ୍ୟାବିନେଟ୍ରୁ ଏହାକୁ ମଞ୍ଜୁରି ମିଳିସାରିଛି । ଏହି ଚୁକ୍ତି ଅନୁସାରେ ଭାରତରୁ ବ୍ରିଟେନ୍କୁ ରପ୍ତାନି ହେଉଥିବା ସାମଗ୍ରୀ ଉପରେ ସେଠାରେ ଆଦୌ ଟାରିଫ୍ ଲାଗିବ ନାହିଁ।
ଅନ୍ୟପକ୍ଷରେ, ବ୍ରିଟେନ୍ରୁ ଆମଦାନି ହେଉଥିବା ସାମଗ୍ରୀ ଉପରେ ହାରାହାରି ଟାରିଫ୍ ୧୫%ରୁ ଖସି ୩% ହେବ। ଫଳରେ ଭାରତୀୟଙ୍କ ପାଇଁ ସେଠାକାର ସାମଗ୍ରୀ ଶସ୍ତା ହେବ । ୮୫% ସାମଗ୍ରୀ ୧୦ ବର୍ଷରେ ସମ୍ପୂର୍ଣ୍ଣ ରୂପେ ଟାରିଫ୍ମୁକ୍ତ ହେବ। ଏଥିରେ ଅନେକ ସାମଗ୍ରୀ ଶସ୍ତାରେ ଉପଲବ୍ଧ ହେବ। ବ୍ରିଟେନ୍ରୁ ଆମଦାନି ହେଉଥିବା ସ୍କଚ୍ ହ୍ୱିସ୍କି ଏବଂ ଜିନ୍ସ ଉପରେ ଭାରତର ଟାରିଫ୍ ୧୫୦%ରୁ ଖସି ୭୫% ହୋଇଯିବ। ପରେ ଚୁକ୍ତି ଅନୁସାରେ ଏହି ଟାରିଫ୍କୁ ୧୦ ବର୍ଷ ସୁଦ୍ଧା କମାଇ ୪୦%କୁ କମାଇ ଦିଆଯିବ। ସେହିଭଳି ବ୍ରିଟେନ୍ର ଲଗଜୁରୀ କାର୍ ଯେପରିକି ଜାଗୁଆର୍, ଲ୍ୟାଣ୍ଡ୍ ରୋଭର, ରୋଲ୍ସ ରଏସ୍ ଆଦି ଉପରେ ଲାଗୁଥିବା ୧୦୦% ଟାରିଫ୍। କୋଟା ସିଷ୍ଟମ୍ ଅଧୀନରେ ୧୦% ପର୍ଯ୍ୟନ୍ତ ଆସିଯିବ।
ଫଳରେ ଏସବୁ କାର୍ଗୁଡ଼ିକ ଭାରତରେ ୨୦ରୁ ୩୦% ଶସ୍ତା ହେବ । ବ୍ରିଟେନ୍ରୁ ଆସୁଥିବା ସାଲ୍ମନ୍, ଚକୋଲେଟ୍, ବିସ୍କୁଟ ଏବଂ ସଫ୍ଟଡ୍ରିଙ୍କ୍ ଉପରେ ଟାରିଫ୍ କମିବ। ଫଳରେ ଏ ଉତ୍ପାଦଗୁଡ଼ିକ ଶସ୍ତା ହେବ। ୟୁକେର କସ୍ମେଟିକ୍ସ, ମେଡିକାଲ ଉପକରଣ ଏବଂ ଏରୋସ୍ପେସ୍ ଉପକରଣ ଉପରେ କମ୍ ଟାରିଫ୍ ଲାଗିବା ଦ୍ୱାରା ଏସବୁ ସାମଗ୍ରୀ ଶସ୍ତା ହେବ। ଟାରିଫ୍ ୧୫%ରୁ କମ୍ ହୋଇ ୩%କୁ ଆସିଯିବ । ସେହିଭଳି ବ୍ରିଟେନ୍ରୁ ଆସୁଥିବା ବ୍ରାଣ୍ଡେଡ୍ ପୋଷାକ, ଫ୍ୟାଶନ୍ ପ୍ରଡକ୍ଟ ଏବଂ ହୋମ୍ୱେର, ଫର୍ଣ୍ଣିଚର, ଇଲେକ୍ଟ୍ରୋନିକ୍ସ ବି କମ୍ ଦରରେ ପାଇପାରିବେ ଭାରତୀୟ।