ସୌମ୍ୟାଶ୍ରୀଙ୍କୁ ସବୁବେଳେ ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରୁଥିଲେ ଅଧ୍ୟକ୍ଷ ସମୀର୍ ସାହୁ, ରାଜି କରେଇବାକୁ କରୁଥିଲେ ଏମିତି କିଛି

ବାଲେଶ୍ବର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଘଟିଛି ହୃଦୟ ବିଦାରକ ଘଟଣା। ଜଣେ ସହକାରୀ ପ୍ରଫେସରଙ୍କ ଦ୍ବାରା ନିର୍ଯାତନାର ଶିକାର ହୋଇ ଆସୁଥିବା ଛାତ୍ରୀ ମହାବିଦ୍ୟାଳୟ କ୍ୟାମ୍ପସ୍ରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ପୀଡ଼ିତା ଛାତ୍ରୀଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ଯାଇଛି। ସେ ବର୍ତ୍ତମାନ ଏମ୍ସ ଭୁବନେଶ୍ବରରେ ଜୀବନମରଣ ସହ ସଂଘର୍ଷ କରୁଛନ୍ତି।

ଘଟଣାକୁ ନେଇ ବାଲେଶ୍ବର ସହରରେ ଉତ୍ତେଜନା ପ୍ରକାଶ ପାଇଛି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ତ୍ବରିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କଲେଜର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷ ଓ ଅଭିଯୁକ୍ତ ସହକାରୀ ପ୍ରଫେସର ସମୀର କୁମାର ସାହୁଙ୍କୁ ନିଲମ୍ବିତ କରିଛନ୍ତି। ଏଥି ସହିତ ସହକାରୀ ପ୍ରଫେସର ଶ୍ରୀ ସାହୁଙ୍କୁ ଗିରଫ କରାଯାଇଛି।

ପୀଡ଼ିତା ଛାତ୍ରୀ ଭୋଗରାଇ ଅଞ୍ଚଳର। ସେ ଏଫ୍ଏମ୍ କଲେଜରେ ଇଣ୍ଟିଗ୍ରେଟେଡ୍ ବିଏଡ୍ ଦ୍ବିତୀୟ ବର୍ଷର ଛାତ୍ରୀ। ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ଜଣେ କର୍ମକର୍ତ୍ତା। ଗତ କିଛିମାସ ହେବ ତାଙ୍କୁ ବିଏଡ୍ ବିଭାଗର ବିଭାଗୀୟ ମୁଖ୍ୟ (ଏଚ୍ଓଡି) ତଥା ସହକାରୀ ପ୍ରଫେସର ସମୀର କୁମାର ସାହୁ ହଇରାଣ କରିଆସୁଥିଲେ। ତାଙ୍କୁ ଅସଦାଚରଣ ସହ ପରୋକ୍ଷରେ ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରୁଥିବା ନେଇ ସେ ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି)ରେ ଜୁଲାଇ ୧ରେ ଅଭିଯୋଗ କରିଥିଲେ। ପ୍ରାୟ ୩ ଦିନ ତଳେ କମିଟି ଏ ନେଇ କଲେଜର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷଙ୍କୁ ରିପୋର୍ଟ ପ୍ରଦାନ କରିଥିଲା। ତେବେ, ଏଥିରେ ଅଭିଯୁକ୍ତ ଏଚ୍ଓଡି ସମୀର କୁମାରଙ୍କୁ ସୁହାଇଲା ଭଳି ରିପୋର୍ଟ ପ୍ରଦାନ ସହ ମାମଲାର ସମାଧାନ ପାଇଁ ଛାତ୍ରୀଙ୍କ ଉପରେ ଚାପ ପକାଯାଇଥିଲା ବୋଲି କୁହାଯାଉଛି।

ଦିନ ପ୍ରାୟ ସାଢ଼େ ୧୧ଟା ସମୟରେ ଛାତ୍ରୀଜଣକ କମିଟିର ରିପୋର୍ଟ ସମ୍ପର୍କରେ ପଚାରିବାକୁ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠକୁ ଯାଇଥିଲେ। ଅଧ୍ୟକ୍ଷ ତାଙ୍କୁ ସମାଧାନ କରିବାକୁ ଚାପ ପକାଇବା ସହ ବଦନାମର ଭୟ ଦେଖାଇଥିଲେ ବୋଲି କୁହାଯାଉଛି। ଏହାପରେ ଛାତ୍ରୀଜଣକ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଆଗରେ ଶରୀରରେ ପେଟ୍ରୋଲ ଢାଳି ନିଜକୁ ନିଆଁ ଲଗାଇ ଦେଇଥିଲେ। ଉପସ୍ଥିତ ଛାତ୍ରଛାତ୍ରୀ, କଲେଜ କର୍ତ୍ତୃପକ୍ଷ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ଏମ୍ସ ସ୍ଥାନାନ୍ତର କରାଯାଇଛି। ପୀଡ଼ିତାଙ୍କୁ ଉଦ୍ଧାର କରିବାକୁ ଯାଇ ଯୁକ୍ତ ୩ର ଛାତ୍ର ଜ୍ୟୋତିପ୍ରକାଶ ବିଶ୍ବାଳ ଆହତ ହୋଇଛନ୍ତି। ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା ବିଦ୍ୟୁତ୍ ବେଗରେ ପ୍ରଚାରିତ ହେବାପରେ ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ, ବିଧାୟକ ମାନସ କୁମାର ଦତ୍ତ, ଏସ୍ପି ରାଜପ୍ରସାଦ, ଉପଜିଲ୍ଲାପାଳ ମଧୁସ୍ମିତା ସାମନ୍ତରାୟ ପ୍ରମୁଖ ମହାବିଦ୍ୟାଳୟ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ।

ଅପରାହ୍ଣ ସାଢ଼େ ୬ଟା ପର୍ଯ୍ୟନ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ, ଛାତ୍ରୀଙ୍କ ଅଭିଭାବକ, ଏସ୍ପି, ସାଂସଦ ପ୍ରମୁଖଙ୍କ ଉପସ୍ଥିତିରେ ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି କ’ଣ ରିପୋର୍ଟ ଦେଇଥିଲା, ଛାତ୍ରୀ ଜଣଙ୍କ କାହିଁକି ଏଭଳି ନିଷ୍ପତ୍ତି ନେଲେ ତାକୁ ନେଇ ଆଲୋଚନା ହୋଇଥିଲା। ଏ ସମ୍ପର୍କରେ ଏସ୍ପି ରାଜପ୍ରସାଦ କହିଛନ୍ତି, ମହାବିଦ୍ୟାଳୟ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ଯଦି କିଛି ତ୍ରୁଟି ଥିବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ପୀଡ଼ିତା ଛାତ୍ରୀଙ୍କ ଅଭିଯୋଗ ଆଧାରରେ ମହାବିଦ୍ୟାଳୟରେ ଗଠିତ ହୋଇଥିବା ଆଇସିସି କମିଟି ସମ୍ପର୍କରେ ପୁଲିସ ଅବଗତ ଥିଲା; ଏହାସତ୍ତ୍ବେ ପୁଲିସ ତତ୍ପରତା ଦେଖାଇ ନଥିଲା ବୋଲି ଅଭିଯୋଗ ହୋଇଛି। ସେହିପରି, ପୀଡ଼ିତା ଏ ସମ୍ପର୍କରେ ସାଂସଦଙ୍କୁ ଅବଗତ କରିଥିଲେ ମଧ୍ୟ କାହିଁକି ନ୍ୟାୟ ପାଇଲେନି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଏହିଭଳି ଏକ ସମ୍ବେଦନଶୀଳ ଘଟଣା ପରେ ଅଭିଯୁକ୍ତ ସହକାରୀ ପ୍ରଫେସରଙ୍କ ବିରୋଧରେ ଲମ୍ବା ଅଭିଯୋଗ ଆସିଛି।

କଲେଜର ବହୁ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି, ସହକାରୀ ପ୍ରଫେସର ବ୍ୟାକ୍ ଲଗାଇ ଦେବା, ଫେଲ୍ କରିଦେବା ଆଦି ଭୟ ଦେଖାଇ ବିଭିନ୍ନ ଉପାୟରେ ହଇରାଣ କରି ଆସୁଥିଲେ। ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀ ଗତ ୧ ତାରିଖରେ ଏ ନେଇ ଅଭିଯୋଗ କରିବା ପରେ ୨ ତାରିଖରେ ୩ ଜଣ ପୁରାତନ ଛାତ୍ରଛାତ୍ରୀ ସଂପୃକ୍ତ ସହକାରୀ ପ୍ରଫେସରଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଆଜି ମହାବିଦ୍ୟାଳୟରେ ପୁଲିସର ତଦନ୍ତ ବେଳେ ବହୁ ପୁରାତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀ ଅଭିଯୁକ୍ତ ସହକାରୀ ପ୍ରଫେସରଙ୍କ ବିରୋଧରେ ମୁହଁ ଖୋଲିଛନ୍ତି। ସମସ୍ତ ଘଟଣାର ତଦନ୍ତ କରାଯିବ ବୋଲି ଏସ୍ପି ଗଣମାଧ୍ୟମକୁ କହିଛନ୍ତି।