ଭୁବନେଶ୍ୱରରୁ ଆସୁଥିଲା ନାଇଟ କୋଚ୍ ବସ, ହଠାତ୍ ରାତି ୨ଟାରେ ପଛକୁ ଗଡିବାକୁ ଲାଗିଲା ବସ୍, ଜାଣନ୍ତୁ ପୁରା‌ ଘଟଣା

ନାଇଟ୍‌କୋଚ୍‌ ବସ୍‌ ଯାତ୍ରା ବର୍ତ୍ତମାନ ଯାତ୍ରୀମାନଙ୍କ ପାଇଁ ବିପଦପୂର୍ଣ୍ଣ ପାଲଟିଛି । କେତେବେଳେ ଜଣେ ଡ୍ରାଇଭର ରାତି ତମାମ ବସ୍‌ ଚଳାଇ ଦୁର୍ଘଟଣାର ଶିକାର ହେଉଛନ୍ତି ତ ପୁଣି ଅନ୍ୟ କେତେବେଳେ ନିଶାସେବନ କରି ଡ୍ରାଇଭର ବସ୍‌ ଚଳାଉଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି । ଯାଞ୍ଚ ବ୍ୟବସ୍ଥା କଡ଼ାକଡି ହେଉନଥିବାରୁ ଯାତ୍ରୀଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟିହୋଇଛି ।

ରବିବାର ରାତିରେ ଭୁବନେଶ୍ବରରୁ ରାଉରକେଲା ଫେରୁଥିବା ଏକ ଘରୋଇ ଯାତ୍ରୀବାହୀ ବସ୍‌ ‘ୱିନର୍‌ ‘ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି । ବସ୍‌ରେ ରାଉରକେଲା ଫେରୁଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଚାଳକଙ୍କ ଭୁଲ୍‌ ଯୋଗୁ ଏଭଳି ଅଘଟଣ ଘଟିଲା ବୋଲି ଯାତ୍ରୀମାନେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ, ରବିବାର ରାତି ପ୍ରାୟ ୨ଟାରେ ଖମାର ନିକଟରେ ବସ୍‌ ଚାଲୁଥିବାବେଳେ ଚାଳକ ଷ୍ଟିୟରିଂ ଉପରେ ଶୋଇ ପଡ଼ିଥିଲେ । ଆକ୍ସିଲେଟର ଉପରୁ ଗୋଡ଼ ଖସିଯିବାରୁ ବସ୍‌ର ଗତି ମନ୍ଥର ହୋଇଯାଇଥିଲା । ସେତେବେଳେ କ୍ୟାବିନ୍‌ରେ ଥିବା ହେଲ୍‌ପର୍‌ ଓ କଣ୍ଡକ୍ଟର୍‌ ମଧ୍ୟ ଶୋଇପଡ଼ିଥିବାରୁ କିଛି ଜାଣି ପାରିନଥିଲେ । ବସ୍‌ର ଗତି ଧୀମା ହେଉଥିବା ଦେଖି ସିଟ୍‌ରେ ବସିଥିବା ଯାତ୍ରୀମାନେ ପରିସ୍ରା କରିବାକୁ ଗେଟ୍‌ ଖୋଲିଥିଲେ ।

ସେହି ସମୟରେ ଜଣେ ଯାତ୍ରୀ ଚଳନ୍ତାବସ୍‌ର ଷ୍ଡିୟରିଂ ଉପରେ ଡ୍ରାଇଭର ଶୋଇଥିବା ଦେଖି ପାଟି କରିଥିଲେ । କ୍ୟାବିନ୍‌ରେ ଶୋଇଥିବା କଣ୍ଡକ୍ଟର ଓ ହେଲ୍‌ପର୍‌ଙ୍କୁ ଧକ୍କାମାରି ଉଠାଇଥିଲେ । ହେଲ୍‌ପର ବ୍ରେକ୍‌ ଲଗାଇଦେବାରୁ ବସ୍‌ ଅଟକି ଯାଇଥିଲା । ପରେ ସିଟ୍‌ରେ ବସିଥିବା ଯାତ୍ରୀମାନେ ଭୟରେ ତଳକୁ ଓହ୍ଲାଇ ଆସି ହେଲ୍‌ପର୍‌, କଣ୍ଡକ୍ଟରଙ୍କ ସହ ପାଟିତୁଣ୍ଡ କରିଥିଲେ । ଖବରପାଇ ଖମାର ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପ୍ରାୟ ୨ ଘଣ୍ଟା ପରେ ଅନ୍ୟଜଣେ ଚାଳକ ବସ୍‌ଟିକୁ ଚଳାଇ ରାଉରକେଲା ଫେରିଥିଲେ ।

ସୂଚନାଯୋଗ୍ୟ ଯେ, ରାଉରକେଲାରୁ କଟକ, ଭୁବନେଶ୍ବର, ବାଲେଶ୍ବର, ବ୍ରହ୍ମପୁର, ମୟୂରଭଞ୍ଜ, ଭଦ୍ରକ ସମେତ ରାଜ୍ୟର ପ୍ରମୁଖ ସହରକୁ ଦୈନିକ ୪୫ରୁ ଅଧିକ ନାଇଟ୍‌କୋଚ୍‌ ବସ୍‌ ଯାତାୟତ କରୁଛି । କିଛିବସ୍‌ରେ ଜଣେ ଲେଖାଏଁ ଚାଳକ ରାତିତମାମ ବସ୍‌ ଚଳାଉଛନ୍ତି । ବିନା ଫିଟ୍‌ନେସ୍‌, ଓଭରଲୋଡିଂ, ରୁଟ୍‌ ପର୍‌ମିଟ୍‌ ନଥାଇ ମଧ୍ୟ କିଛି ବସ୍‌ ଗଡୁଛି । ଫଳରେ ଯାତ୍ରୀଙ୍କ ସୁରକ୍ଷା ବାଜିରେ ଲାଗୁଛି । ଏହାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ନିୟମିତ ବ୍ୟବଧାନରେ ବସ୍‌ଗୁଡ଼ିକୁ ଯାଞ୍ଚ କରିବାକୁ ଦାବିହେଉଛି ।