ଭଲ ଥାଇ ବି କଣ ପାଇଁ ହେଲା ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ, ଯେଉଁ ଦିନ ପୋଡ଼ିଥିଲେ ସେଦିନ ଭଲ ଥିଲେ ହେଲେ…

ଶେଷରେ ଆଖିବୁଜିଲେ ପୁରୀ ଜିଲାର ବଳଙ୍ଗା ପୀଡ଼ିତା। ୧୫ ଦିନ ଧରି ଡାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ପ୍ରାଣ ହରାଇଛନ୍ତି। ଶନିବାର ସନ୍ଧ୍ୟା ୬ଟା ୨୨ ମିନିଟରେ ଦିଲ୍ଲୀ ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତାଙ୍କର ମୃତ୍ୟୁ ଘଟିଛି।

୨୫ ତାରିଖରେ ଦିଲ୍ଲୀ ଏମ୍‌ସ ଯାଇ ପୀଡ଼ିତାଙ୍କ ବୟାନ ରେକର୍ଡ କରିଥିଲା ପୋଲିସ । ପୁଣିଥରେ ୨୮ ତାରିଖରେ ଦିଲ୍ଲୀ ଯାଇ ପୁରୀ ଡିଏସପି ଓ ବଳଙ୍ଗା ଥାନା ଅଧିକାରୀ ପୀଡ଼ିତାଙ୍କ ବୟାନ ତୃତୀୟଥର ପାଇଁ ରେକର୍ଡ କରିଥିଲେ । ଏହାର ଭିଡିଓଗ୍ରାଫି ବି କରାଯାଇଥିଲା । ସେହିଦିନ ପୀଡିତାଙ୍କ ବାପା ଓ ପିଉସୀଙ୍କୁ ମଧ୍ୟ ପଚରା ଉଚରା କରାଯାଇଥିଲା । ୨୮ ତାରିଖରେ ପୀଡିତାଙ୍କର ଦିଲ୍ଲୀ ଏମ୍ସରେ ତୃତୀୟ ଅସ୍ତ୍ରୋପଚାର ହୋଇଥିଲା । ଅଗଷ୍ଟ ୨ ତାରିଖରେ ଦିଲ୍ଲୀ ଏମ୍‌ସରେ ପୀଡ଼ିତା ଆଖି ବୁଜିଛନ୍ତି ।

ବଲଙ୍ଗା ପୀଡିତାଙ୍କ ମୃତ୍ୟୁ ନେଇପୀଡିତାଙ୍କ ପରିବାରର ଜଣେ ସଦସ୍ୟ କହିଛନ୍ତି, ଆମ ଝିଅ ସହିତ ଯାହା ଘଟିଥିଲା ତାହା ହୃଦୟ ବିଦାରକ। ଆମେ ଏଥିରେ ବହୁତ ଦୁଃଖିତ। ସରକାର ଆମ ପାଇଁ ଯାହା କରିଛନ୍ତି ତାହା ପ୍ରଶଂସନୀୟ। କିନ୍ତୁ ଆମେ ଏବେ କ’ଣ ଦେଇ ଗତି କରୁଛୁ, ତାହା କେବଳ ଭଗବାନ ଜାଣନ୍ତି।

ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ବିଷୟରେ ପୀଡିତାଙ୍କ ପରିବାରର ଅନ୍ୟ ଜଣେ ସଦସ୍ୟ କହିଛନ୍ତି, ସେ ପୂର୍ବରୁ ଗୁରୁତର ପୋଡ଼ି ଯାଇଥିଲେ ଏବଂ ପରେ ତାଙ୍କୁ ଦିଲ୍ଲୀ ନିଆଯାଇଥିଲା। ସେ ସୁସ୍ଥ ହେବାକୁ ଲାଗିଥିଲେ। ଗତକାଲି ସକାଳେ ସେ କହିଥିଲେ ଯେ,ସେ ତରଭୁଜ ଖାଇବାକୁ ଚାହୁଁଛନ୍ତି। ଅପରାହ୍ନ ସୁଦ୍ଧା ଆମକୁ କୁହାଗଲା ଯେ,ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି ଏବଂ ସେ ଗୁରୁତର ଅଛନ୍ତି।

ତା’ପରେ, ସନ୍ଧ୍ୟାରେ, ଆମେ ଖବର ପାଇଲୁ ଯେ ତାଙ୍କର ମୃତ୍ୟୁ ହୋଇଛି। ଘରେ ପରିବେଶ ବହୁତ ଯନ୍ତ୍ରଣାଦାୟକ ରହିଛି। ଆମେ ତାଙ୍କ ଶେଷକୃତ୍ୟ ପାଇଁ ପ୍ରସ୍ତୁତି କରୁଛୁ। ପୀଡ଼ିତାଙ୍କ ପରିବାରର ଜଣେ ସଦସ୍ୟ କହିଛନ୍ତି,ତାଙ୍କ ଚିକିତ୍ସା ଚାଲୁଥିଲା। ହଠାତ୍ ଗତକାଲି କିଛି ଅଘଟଣ ଘଟିଗଲା। ସେଥିପାଇଁ କାହାକୁ ଦାୟୀ କରାଯାଉନାହିଁ। ପୁଲିସ ପ୍ରଶାସନ, ରାଜ୍ୟ ସରକାର ଏବଂ ଆମର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆମକୁ ବହୁତ ସାହାଯ୍ୟ କରିଛନ୍ତି। ବଳଙ୍ଗା ପୀଡିତାଙ୍କ ଜଣେ ସମ୍ପର୍କୀୟ କହିଛନ୍ତି,ଆମେ ଯନ୍ତ୍ରଣାରେ ଅଛୁ, ଆମେ ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଛୁ।