‘ଫୋନ କର, ନହେଲେ ହେବ ମହାତାଣ୍ଡବ’ ଶ୍ରୀମନ୍ଦିର ପ୍ରତି ଆସୁଛି ବିପଦ! ମନ୍ଦିର କାନ୍ଥରେ ଆତଙ୍କବାଦୀଙ୍କ ଧମକ, ଜାଣନ୍ତୁ ପୁରା‌ ଖବର

ଶ୍ରୀମନ୍ଦିରକୁ ଆତଙ୍କବାଦୀ ଆକ୍ରମଣ ଧମକ ଚେତାବନୀ । ପରିକ୍ରମା ମାର୍ଗରେ ଥିବା ବୁଢ଼ୀ ମା’ ମନ୍ଦିର କାନ୍ଥରେ ଶ୍ରୀମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣ ନେଇ ଲେଖାଯାଇଛି । ଏଥି ସହିତ ଫୋନ୍ ନମ୍ୱର ମଧ୍ୟ ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଧମକ ଦିଆଯାଇଛି । ଯାହାକୁ ନେଇ ପୁରୀରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ସେପଟେ ଏହି ଘଟଣାରେ ଜଣଙ୍କୁ ଅଟକ ରଖିଛି ପୁରୀ ପୋଲିସ ।

ତେବେ ଅଟକ ଥିବା ବ୍ୟକ୍ତି ସାମାନ୍ୟ ମାନସିକ ଭିନ୍ନକ୍ଷମ ଥିବା ପୋଲିସ ପକ୍ଷରୁ କୁହାଯାଇଛି । ପୁରୀ ଏସପି ପିନାକ ମିଶ୍ର କହିଛନ୍ତି, “ବୁଢ଼ୀ ମା’ ମନ୍ଦିର କାନ୍ଥରେ କିଛି ଲେଖାଯାଇଥିବା ନେଇ ଆଜି ସକାଳେ ଖବର ପାଇଥିଲୁ । ସେଥିରେ ମନ୍ଦିରକୁ ନେଇ କିଛି ଆପତ୍ତିଜନକ କଥା ଲେଖା ହୋଇଥିଲା । ମନ୍ଦିର ସୁରକ୍ଷା ସବୁଠାରୁ ଗୁରତ୍ବପୂର୍ଣ୍ଣ । ଏହାକୁ ଆମେ ଗୁରୁତ୍ବ ସହ ନେଇଛୁ। ତେବେ ସେନେଇ ସ୍ପେସାଲ ଟିମ ତଦନ୍ତ କରୁଛନ୍ତି। ସିସିଟିଭି ଫୁଟେଜର ଯାଞ୍ଚ ଚାଲିଛି।

ସ୍ପେସାଲ ଟିମ୍‌କୁ କିଛି ସୁରାକ ମିଳିଛି । ଘଟଣାର ତଦନ୍ତ ଚାଲିଛି ।” ପୁରୀ ଜଗନ୍ନାଥ ମନ୍ଦିର ଦକ୍ଷିଣ ପାର୍ଶ୍ୱ ପରିକ୍ରମା ମାର୍ଗ ବୁଢ଼ି ମା’ ମନ୍ଦିର ୨ଟି କାନ୍ଥରେ ଧମକପୂର୍ଣ୍ଣ ବାର୍ତ୍ତା ଲେଖାଯାଇଛି । ଗୋଟିଏ ପାର୍ଶ୍ବରେ ଲେଖାାଯାଇଛି ଯେ, ମନ୍ଦିର ଭାଙ୍ଗିବେ ଆତଙ୍କବାଦୀ। ଆଉ ଏକ ପାର୍ଶ୍ବରେ କିଛି ଫୋନ ନମ୍ବର ମଧ୍ୟ ଦିଆଯାଇ ଫୋନ କର, ନକଲେ ମହାତାଣ୍ଡବ ହେବ ବୋଲି ଧମକପୂର୍ଣ୍ଣ ବାର୍ତ୍ତା ଲେଖାଯାଇଛି। ଏହା ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମ ମଧ୍ୟ ଲେଖାଯାଇଛି । ୨ଟି ସ୍ଥାନରେ ଏପରି ଧମକପୂର୍ଣ୍ଣ ଲେଖା ଦେଖିବାକୁ ମିଳିଛି ।

ତେବେ କିଏ ଓ କାହିଁକି ଏଭଳି କରିଛି ତାହା ଜଣାପଡ଼ିନାହିଁ । ଏକାଧିକ ସ୍ଥାନରେ ସିସିଟିଭି ଲାଗିଛି । ସିକ୍ୟୁରିଟି ଗାର୍ଡ ମଧ୍ୟ ମୁତୟନ ହୋଇଛନ୍ତି । ଆତଙ୍କବାଦୀଙ୍କ ନାଁ ନେଇ କିଏ ଏପରି ଲେଖିଲା ? ତା’କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ ଏହି ଘଟଣାକୁ ନେଇ ପୁରୀ ପୋଲିସର ତଦନ୍ତ ଆରମ୍ଭ କରିଛି। ତୁରନ୍ତ ପୋଲିସ ସିସିଟିଭି ଯାଞ୍ଚ କରି ଏଭଳି କିଏ କାର୍ଯ୍ୟ କରିଛି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।