ଏଣିକି ଚାଉଳ ବଦଳରେ ମିଳିବ ଟଙ୍କା! ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ପିଏମ ନୋଡାଲ ଅଧିକାରୀ, ଜାଣନ୍ତୁ ପୁରା‌ ଖବର

ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ମିଳିବ ୧୧ ଦିନର ମଧ୍ୟାହ୍ନ ଭୋଜନ ଚାଉଳ ଏବଂ ଟଙ୍କା । ରାଜ୍ୟର ସମସ୍ତ ଶିଶୁ (ବାଲ୍‌)ବାଟିକାଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ୧୧ ଦିନର ଚାଉଳ ସହ ରନ୍ଧନ ବାବଦ ଟଙ୍କା ପ୍ରଦାନ କରାଯିବ। ପ୍ରଧାନ ଶିକ୍ଷକମାନେ ତୁରନ୍ତ ପିଲାଙ୍କୁ ଏହା ବଣ୍ଟନ କରି ସରକାରଙ୍କୁ ଜଣାଇବେ।

ପିଏମ୍ ପୋଷଣ ରାଜ୍ୟ ନୋଡାଲ୍ ଅଧିକାରୀ ଭବାନୀ ପ୍ରସାଦ ମିଶ୍ର ଏନେଇ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି । ଏଥିପ୍ରତି ଜିଲା ଶିକ୍ଷା ଅଧିକାରୀ ଏବଂ ଜିଲାପାଳ ଗୁରୁତ୍ୱ ଦେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାର କୁହାଯାଇଛି।

ସୂଚନାନୁସାରେ,ଚଳିତ ବର୍ଷ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ୧୧ ଦିନ (ଏପ୍ରିଲ୍‌ ୨୩ରୁ ମେ’ ୫ ପର୍ଯ୍ୟନ୍ତ) ସ୍କୁଲ ଛୁଟି ରହିଥିଲା । ଏହି ସମୟରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ନ ମିଳିବା ଅଭିଯୋଗ ଆସିବା ପରେ ଏହାକୁ ନେଇ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ମଧ୍ୟାହ୍ନଭୋଜନ ରାଜ୍ୟ କ୍ଷେତ୍ରୀୟ ଅଧିକାରୀ ଭବାନୀ ପ୍ରସାଦ ମିଶ୍ର ଜିଲା ସ୍ତରରୁ ତଥ୍ୟ ଲୋଡ଼ିଥିଲେ। ଏହାକୁ ଆଧାର କରି ସରକାରଙ୍କ ପକ୍ଷରୁ ୧୧ ଦିନର ଚାଉଳ ସହ ରନ୍ଧନ ବାବଦ ଅର୍ଥ ଛାତ୍ରୀଛାତ୍ରଙ୍କୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ମଧ୍ୟାହ୍ନଭୋଜନ ରାଜ୍ୟ କ୍ଷେତ୍ରୀୟ ଅଧିକାରୀ ସବୁ ଜିଲାପାଳଙ୍କୁ ପତ୍ର ଲେଖିଛନ୍ତି।

ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କ ଉପସ୍ଥିତିରେ ପ୍ରଧାନଶିକ୍ଷକ ଏହି ଚାଉଳ ବଣ୍ଟନ କରିବେ। ସେହିପରି ଏହି ସମୟର ରନ୍ଧନ ଦ୍ରବ୍ୟ ବାବଦ ଅର୍ଥକୁ ସିଧାସଳଖ ଛାତ୍ରଛାତ୍ରୀ ବା ସେମାନଙ୍କ ଅଭିଭାବକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଡିବିଟି ମୋଡ୍‌ରେ ପ୍ରଦାନ କରାଯିବ। କଠିନ ପରିସ୍ଥିତିରେ ଆକାଉଣ୍ଟ ଟ୍ରାନ୍ସଫର୍ ସମ୍ଭବ ନ ହେଲେ ପେମେଣ୍ଟ ରେଜିଷ୍ଟର୍‌ରେ ଉଲ୍ଲେଖ କରି ପ୍ରଦାନ କରିବାକୁ କୁହାଯାଇଛି ।