ଆମେରିକାରେ ଭାରତକୁ ଧମକ ଦେଲେ ପାକିସ୍ତାନ ସେନା ମୁଖ୍ୟ ମୁନିର, କହିଲେ ମୁଁ ଭାରତରେ ଉପରେ ପକାଇବି ପରମାଣୁ ବୋମା

ଭାରତକୁ ସବୁବେଳେ ପରମାଣୁ ଆକ୍ରମଣର ଧମକ ଦେଉଆସୁଥିବା ପାକିସ୍ତାନ ଏବେ ସାରା ବିଶ୍ବକୁ ପରମାଣୁ ଧମକ ଦେଲାଣି । ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଆମେରିକାରୁ ସାରା ବିଶ୍ବକୁ ଏକ ଧମକ ଦେଇଛନ୍ତି । ସେ କହିଛନ୍ତି, ଯଦି ପାକିସ୍ତାନ ଭାରତ ସହିତ ଯୁଦ୍ଧରେ ଅସ୍ତିତ୍ୱ ହରାଏ, ତେବେ ସେମାନେ ସମଗ୍ର ବିଶ୍ବକୁ ପରମାଣୁ ଯୁଦ୍ଧକୁ ଠେଲିଦେବେ । ସେ କହିଛନ୍ତି, ‘ଆମେ ଏକ ପରମାଣୁ ରାଷ୍ଟ୍ର, ଯଦି ଆମେ ଅନୁଭବ କରୁଛୁ ଯେ ଆମେ ହାରୁଛୁ, ତେବେ ଆମେ ଅଧା ବିଶ୍ୱକୁ ସାଙ୍ଗରେ ନେଇ ଡୁବିବୁ ।’

ଏହା ପ୍ରଥମ ଥର ଘଟାଛି, ଯେ ଆମେରିକା ମାଟିରେ ଏପରି ପରମାଣୁ ବିପଦ ଦେଖା ଦେଇଛି । ମୁନିର କହିଛନ୍ତି ଯେ ଭାରତ ସିନ୍ଧୁ ଜଳ ଚୁକ୍ତି ବନ୍ଦ କରିଦେଇଛି, ଯେଉଁଥିପାଇଁ ୨.୫ କୋଟି ଲୋକ ଭୋକରେ ମରିପାରନ୍ତି । ତେଣୁ ଏହାକୁ ନେଇ ପାକିସ୍ତାନ ସେନା ମୁଖ୍ୟ ଧମକ ଦେଇ କହିଛନ୍ତି, ଯେତେବେଳେ ଭାରତ ସିନ୍ଧୁ ନଦୀ ଉପରେ ଅଧିକ ବନ୍ଧ ନିର୍ମାଣ କରିବ, ସେତେବେଳେ ସେମାନେ ଦଶଟି ମିସାଇଲ୍ ସାହାଯ୍ୟରେ ଏହାକୁ ଧ୍ୱଂସ କରିଦେବେ ।

ପାକିସ୍ତାନର ଫିଲ୍ଡ ମାର୍ଶାଲ କହିଛନ୍ତି, ସିନ୍ଧୁ ନଦୀ ଉପରେ ଭାରତର କୌଣସି ବ୍ୟକ୍ତିଗତ ମାଲିକାନା ନାହିଁ ଏବଂ ଆମ ପାଖରେ ମିସାଇଲ୍‌ର ବି ଅଭାବ ନାହିଁ । ‘ଅପରେସନ ସିନ୍ଦୂର’କୁ ନେଇ ବାୟୁସେନା ମୁଖ୍ୟ ଏ ପି ସିଂହଙ୍କ ପରେ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀଙ୍କର ଏକ ବଡ଼ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି, ପରବର୍ତ୍ତୀ ଯୁଦ୍ଧ ଶୀଘ୍ର ହୋଇପରେ । ଆମକୁ ସେହି ମୁତାବକ ପ୍ରସ୍ତୁତ ହେବାକୁ ପଡ଼ିବ । ଏଥର ମଧ୍ୟ ଆମକୁ ମିଳିତ ଭାବେ ଲଢ଼ିବାକୁ ହେବ ।

‘ଅପରେସନ ସିନ୍ଦୂର’ରେ ସରକାର ଆମକୁ ପୂର୍ଣ୍ଣ କ୍ଷମତା ଦେଇଥିଲେ । ‘ଅପରେସନ ସିନ୍ଦୂର’ ବେଳେ ଆମେ ଚେସ୍ ଖେଳିବା ଭଳି ସ୍ଥିତିରେ ଥିଲୁ । ଅର୍ଥାତ୍ ଶତ୍ରୁପକ୍ଷର ପରବର୍ତ୍ତୀ ଚାଲ୍ କ’ଣ ହେବ ଏବଂ ଅମେ କ’ଣ କରିବା ଆବଶ୍ୟକ, ତାହା ନେଇ ଆମକୁ ଜଣାନଥିଲା । ସେହିଭଳି ପାକିସ୍ତାନ ମଧ୍ୟ ଆମ ଚାଲ୍ ବାବଦରେ କାଣିଚିଏ ବି ଜାଣିନଥିଲା । କିନ୍ତୁ ଏଥର ଯୁଦ୍ଧ ହେଲେ କଡ଼ା ଜବାବ ଦିଆଯିବ।