ଏଣିକି ଛାଡ଼ପତ୍ର ପରେ ପତ୍ନୀଙ୍କୁ ମିଳିବନି ଆଲିମନି! ନିଜ ଖର୍ଚ୍ଚ ପାଇଁ ନିଜେ କରିବେ ରୋଜଗାର, ଜାଣନ୍ତୁ ପୁରା‌ ଖବର

ବିବାହର ମାତ୍ର ୧୮ ମାସ ପରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ନେଇଥିବାବେଳେ ଭରଣପୋଷଣ ବାବଦରେ ସ୍ୱାମୀଙ୍କଠାରୁ ମୁମ୍ବାଇରେ ଏକ ଫ୍ଲାଟ୍‌ ୧୨ କୋଟି ଟଙ୍କା ଓ ଏକ ବିଏମ୍‌ଡବ୍ଲ୍ୟୁ କାର୍‌ ମାଗିଥିଲେ । ସେହି ମାମଲାରେ ସିଜେଆଇ ବି.ଆର୍‌ ଗଭଇଙ୍କ ଖଣ୍ଡପୀଠ ଶୁଣାଣି କରି ମହିଳା ଜଣଙ୍କୁ ଏକ ପ୍ରସ୍ତାବ ଦେବା ସହ ମାମଲାକୁ ସଂରକ୍ଷିତ ରଖିଛନ୍ତି। କୋର୍ଟ କହିଛନ୍ତି, ମହିଳା ଜଣଙ୍କ ଗୋଟିଏ ଫ୍ଲାଟରେ ସନ୍ତୁଷ୍ଟ ହୁଅନ୍ତୁ କିମ୍ଵା ୪ କୋଟି ନେଇ ଭଲ ଚାକିରି ଖୋଜନ୍ତୁ।

ମହିଳା ନିଜର ଆବେଦନରେ ଦର୍ଶାଇଥିଲେ ଯେ, ତାଙ୍କ ସ୍ୱାମୀ ବହୁତ ଧନୀ । ସେ ସିଟି ବ୍ୟାଙ୍କ୍‌ରେ ମ୍ୟାନେଜର ଭାବେ କାମ କରନ୍ତି । ତାଙ୍କର ଆଉ ଦୁଇଟି ବ୍ୟବସାୟ ମଧ୍ୟ ରହିଛି । ସେ ମାନସିକ ରୋଗରେ ପୀଡ଼ିତ ଥିବା ଦର୍ଶାଇ ସ୍ୱାମୀ ତାଙ୍କ ନିକଟରୁ ଛାଡ଼ପତ୍ର ପାଇଁ ଦାବି କରିଛନ୍ତି । ପ୍ରକୃତରେ କିନ୍ତୁ ସେ ମାନସିକ ରୋଗୀ ନୁହନ୍ତି । ସେହିପରି ସ୍ୱାମୀ ତାଙ୍କୁ ପୂର୍ବ ଚାକିରି ଛାଡି଼ବା ଲାଗି ବାଧ୍ୟ କରିଥିଲେ । ସେ ଏକ ସନ୍ତାନ ଚାହୁଁଥିଲେ । କିନ୍ତୁ ସ୍ୱାମୀ ତାଙ୍କୁ ସନ୍ତାନ ଦେଲେ ନାହିଁ । ବରଂ ତାଙ୍କ ବିରୋଧରେ ମିଥ୍ୟା ଏତଲା ରୁଜୁ କରାଇଥିଲେ।

ସେଥିଯୋଗୁ ତାଙ୍କୁ ଅନ୍ୟତ୍ର ଚାକିରି ମିଳୁନାହିଁ । ଏପରିକି ତାଙ୍କ ଓକିଲଙ୍କୁ ମଧ୍ୟ ସ୍ୱାମୀ ଉସ୍‌କାଇଥିବା ସେ ଦର୍ଶାଇଥିଲେ । ଏପରିସ୍ଥଳେ ଭରଣପୋଷଣ ବାବଦକୁ ମହିଳା ସ୍ୱାମୀଙ୍କଠାରୁ ମୁମ୍ବାଇର କଳ୍ପତରୁ କଂପ୍ଲେକ୍ସରେ ଏକ ଫ୍ଲାଟ୍‌, ୧୨ କୋଟି ଟଙ୍କା ଓ ଏକ ବିଏମ୍‌ଡବ୍ଲ୍ୟୁ କାର୍‌ ମାଗିଥିଲେ । ମାମଲାର ଶୁଣାଣି ସମୟରେ ସିଜେଆଇଙ୍କ ଖଣ୍ଡପୀଠ ମହିଳାଙ୍କ ଉଦ୍ଦେଶ୍ୟରେ କହିଥିଲେ, ଆପଣଙ୍କ ବିବାହ ମାତ୍ର ୧୮ ମାସ ତିଷ୍ଠିଛି । ଆପଣ ୧୨ କୋଟି, ବିଏମ୍‌ଡବ୍ଲ୍ୟୁ ମାଗୁଛନ୍ତି । କିନ୍ତୁ ଆପଣ ଶ୍ୱଶୁରଙ୍କ ସମ୍ପତ୍ତି ଉପରେ ଦାବି କରିପାରିବେନି। ଆପଣ ଉଚ୍ଚ ଶିକ୍ଷିତ, ଆଇଟି ବିଶେଷଜ୍ଞ, ଏମ୍‌ବିଏ କରିଛନ୍ତି ।

ଏହି ପେସାରେ ଲୋକଙ୍କର ବହୁତ ଡିମାଣ୍ଡ ରହିଛି । ପୁନେ, ହାଇଦ୍ରାବାଦ, ବେଙ୍ଗାଲୁରୁରେ ଏକ ଭଲ ଚାକିରି ଖୋଜି ନିଜେ ରୋଜଗାର କରନ୍ତୁ । ଜଣେ ଶିକ୍ଷିତ ବ୍ୟକ୍ତିଙ୍କୁ ନିଜର ଆର୍ଥିକ ସ୍ୱାଧୀନତା ଲାଗି ନିଜେ ଉଦ୍ୟମ କରିବା ଆବଶ୍ୟକ । ଆପଣ ନିଜ ଲାଗି ଭରଣପୋଷଣ ନ ମାଗି ନିଜେ ରୋଜଗାର କରି ଚଳିବା ଉଚିତ୍‌ । ଆମେ ଏତଲା ରଦ୍ଦ କରିଦେବୁ । ଯାହାଫଳରେ ଆପଣ ଚାକିରି କରିପାରିବେ । ଏହାପରେ ସିଜେଆଇ ମହିଳାଙ୍କୁ ଗୋଟିଏ ଫ୍ଲାଟ୍‌ ନେଇ ସନ୍ତୁଷ୍ଟ ହେବାକୁ ନଚେତ ୪ କୋଟି ଟଙ୍କା ନେଇ ଏକ ଭଲ ଚାକିରି ଖୋଜିବାକୁ ପ୍ରସ୍ତାବ ରଖିଥିଲେ ।