ଏଫ୍ଏମ୍ କଲେଜ୍ ଆଇସିସି କମିଟି ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ । ହାତରେ ଲାଗିଛି ରିପୋର୍ଟର ଏକ୍ସକ୍ଲୁସିଭ୍ କପି । ଯେଉଁଥିରେ ଅଭିଯୁକ୍ତ ସମୀର ସାହୁଙ୍କୁ କ୍ଲିନ୍ଚିଟ୍ ଦିଆଯାଇଛି । ଯାହା ସୌମ୍ୟାଶ୍ରି ଙ୍କୁ ଅବସାଦ ଭିତରକୁ ଠେଲି ଦେଇଥିଲା । ଫୁଟ୍ବଲ୍ ପଡ଼ିଆ ପାଖରେ ଅଧ୍ୟାପକ ସମୀର ସାହୁ, ତାଙ୍କୁ ଫେବର ମାଗିଥିଲେ । ହେଲେ ଆଭ୍ୟନ୍ତରୀଣ କମିଟି ଆଗରେ ଏହାର ପ୍ରମାଣ କେମିତି ଦେଇଥାନ୍ତେ ସୌମ୍ୟାଶ୍ରି।
ତଦନ୍ତ ପରେ କମିଟି ରିପୋର୍ଟରେ କହିଥିଲା ଯେ, ଅଭିଯୁକ୍ତ ଅଧ୍ୟାପକଙ୍କୁ କ୍ଲିନ୍ଚିଟ୍ । ପଡ଼ିଆରେ ବିଭାଗୀୟ ମୁଖ୍ୟ ସୌମ୍ୟାଶ୍ରିଙ୍କୁ ଫେବର ମାଗିବା କଥା ସାବ୍ୟସ୍ତ ହୋଇନାହିଁ । ବରଂ ଘଟଣା ପରେ ସୌମ୍ୟାଶ୍ରୀ ସାର୍ଙ୍କ ପାଖକୁ ନୋଟ୍ ଆଣିବା ପାଇଁ ଯାଇଛନ୍ତି ଏବଂ ସେ ନିଜକୁ ଆଦୌ ଅସୁରକ୍ଷିତ ମନେ କରିନାହାନ୍ତି ବୋଲି କମିଟି ଆଗରେ ସ୍ପଷ୍ଟ କରିଛନ୍ତି। ତେଣୁ ଯାଞ୍ଚ ସତ୍ତ୍ୱେ ଶାରୀରିକ ନିର୍ଯାତନା ସମ୍ୱନ୍ଧିତ କୌଣସି ପ୍ରମାଣ କମିଟିର ହସ୍ତଗତ ହୋଇନି ।
ଅଭିଯୋଗ ଭିତ୍ତିହୀନ ଓ ବିନା ପ୍ରମାଣରେ କେହି କାହାରି ଚରିତ୍ର ସଂହାର ନକରନ୍ତୁ ବୋଲି ଉଲ୍ଲେଖ ରହିଛି। ଅନୁମାନ କରାଯାଉଛି କଲେଜ ଆଇସିସି କମିଟିର ଏହି ରିପୋର୍ଟ ସୌମ୍ୟାଶ୍ରି ଙ୍କୁ ଗଭୀର ମାନସିକ ଆଘାତ ଦେଇଥାଇପାରେ । ଅଭିଯୁକ୍ତ ସମୀର ସାହୁଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନଥିବା କମିଟି ରିପୋର୍ଟରେ କହିବା ପରେ ଭାଙ୍ଗି ପଡ଼ିଥିଲେ ସୌମ୍ୟାଶ୍ରୀ।
କମିଟି ରିପୋର୍ଟରୁ ଜଣାପଡ଼ିଛି ଯେ, କଲେଜର ସେକ୍ସୁଆଲ ହାରାସମେଣ୍ଟ୍ ସେଲ୍ କିମ୍ବା ଇଣ୍ଟରନାଲ କମ୍ପଲେଣ୍ଟ୍ କମିଟିକୁ ନଯାଇ କାହିଁକି ସୌମ୍ୟାଶ୍ରୀ ପ୍ରଥମେ ପୋଲିସ ଓ ଗଣମାଧ୍ୟମକୁ ଗଲେ ବୋଲି ତାଙ୍କୁ ପାଲଟା ପ୍ରଶ୍ନ କରାଯାଇଥିଲା । ଏସବୁ ଘଟଣା ସୌମ୍ୟାଶ୍ରୀଙ୍କୁ ଆତ୍ମାହୁତି ଭଳି ଚରମ ପଦକ୍ଷେପକୁ ବାଛି ନେବାକୁ ବାଧ୍ୟ କରିଥିଲା କି, ସେନେଇ କ୍ରାଇମବ୍ରାଞ୍ଚ ତଦନ୍ତରୁ ସ୍ପଷ୍ଟ ହେବ।