ଯିଏ ସମସ୍ତଙ୍କୁ ବୁଝାଉଥିଲା ସେ ଏମିତି କରିବ କିପରି: ସୌମ୍ୟାଶ୍ରୀଙ୍କ ରୁମମେଟ୍ ଖୋଲିଲେ ବଡ଼ ଗୁମର

ସାମ୍ନାକୁ ଆସିଲା FM କଲେଜର ମୃତ ଛାତ୍ରୀଙ୍କ ରୁମମେଟ୍‌ଙ୍କ ବେଦନାଭରା କାହାଣୀ । ମୁହଁ ଖୋଲିଲେ ମୃତ ଛାତ୍ରୀଙ୍କ ରୁମମେଟ୍ । ପୂର୍ବ ରାତିରେ ସେ ନ ଖାଇ ବିଚଳିତ ଥିଲେ, କାନ୍ଦୁଥିଲେ ବୋଲି କହିଛନ୍ତି ସୌମ୍ୟାଶ୍ରୀ ଙ୍କ ରୁମମେଟ୍ । ସେ ଆହୁରି କହିଛନ୍ତି ଯେ, ରାତି ୩ଟା ପର୍ଯ୍ୟନ୍ତ ବି ସେ ଶୋଇ ନ ଥିଲେ, ଚାପରେ ଥିଲେ ।

ତାଙ୍କୁ ସାର୍‌ ପରୀକ୍ଷାରୁ ବଞ୍ଚିତ କରିଥିବାରୁ ପୂରା ଚାପରେ ଥିଲେ ସୌମ୍ୟାଶ୍ରୀ । ୯ ଜଣଙ୍କୁ ନୋଟିସ ହେଲା, ମାତ୍ର ପରୀକ୍ଷାରୁ ଏକା ବଞ୍ଚିତ ହୋଇଥିଲେ ସୌମ୍ୟାଶ୍ରୀ । ଘରେ ଜଣାଇବାକୁ ତାଙ୍କୁ ବାରମ୍ବାର କହି ଆସୁଥିଲି । କିନ୍ତୁ ସବୁଠୁ ବଡ଼ କଥା ହେଲା, ଯିଏ ସମସ୍ତଙ୍କୁ ବୁଝାଉଥିଲା ସେ ଏମିତି କରିବ କିପରି ବୋଲି ବଡ ପ୍ରଶ୍ନ କରିଛନ୍ତି ଛାତ୍ରୀଙ୍କ ରୁମମେଟ୍ ।

ସେ ଯେ ଏପରି କାମ କରିଥିବ ମୁଁ ବିଶ୍ୱାସ କରିପାରୁ ନାହିଁ । ଅତ୍ୟଧିକ ଚାପରେ ଥିଲା, କିମ୍ବା ଏହା ଏକ ପ୍ରି ପ୍ଲାନ୍‌ । କଲେଜରୁ ଆସିଲେ ଖାଇବା ଆଣିବ ବୋଲି କହିଥିଲା । ସେ ପିଲା ଆତ୍ମହତ୍ୟା କିପରି କରିପାରିବ ।

ଘଟଣାର ସଠିକ୍‌ ତଦନ୍ତ ହେଲେ ସବୁ ସତ୍ୟ ପଦାକୁ ଆସି ପାରିବ ବୋଲି କହିଛନ୍ତି ମୃତ ଛାତ୍ରୀଙ୍କ ରୁମମେଟ୍ । ସେପଟେ FM କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ଆରମ୍ଭ ହୋଇଛି କ୍ରାଇମବ୍ରାଞ୍ଚର ତଦନ୍ତ । FM କଲେଜ ପରିସରକୁ ଯାଇ ତଦନ୍ତ ଆରମ୍ଭ କଲା କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌ । ଆଇଜି ଏସ୍‌ ସାଇନି ଓ ତଦନ୍ତକାରୀ ଅଧିକାରୀ FM କଲେଜରେ ପହଞ୍ଚିଛନ୍ତି । ସମସ୍ତ ଦିଗକୁ ନେଇ ତଦନ୍ତ କରାଯିବ ବୋଲି କହିଛନ୍ତି ଆଇଜି ।