ପୁଣି ଜଣେ ଅଧ୍ୟାପକଙ୍କ କଳା କାରନାମା, ଛାତ୍ରୀ ସହ ଜୋର୍ ଜବରଦସ୍ତ ରଖୁଥିଲେ ଶାରୀରିକ ସମ୍ପର୍କ, ଜାଣନ୍ତୁ ପୁରା‌ ଘଟଣା

ସାରା ରାଜ୍ୟ ବାଲେଶ୍ୱର ଫକୀର ମୋହନ ମହାବିଦ୍ୟାଳୟ ଘଟଣାକୁ ନେଇ ଏବେ ଉଠୁଥିବା ପଡୁଥିବାବେଳେ ଏହି ଘଟଣାକୁ ନେଇ ଗୁରୁବାର ରାଜ୍ୟରେ ବନ୍ଦର ଆହ୍ୱାନ କରାଯାଇଛି । ଏହି ବନ୍ଦ ଆଜି ଜାରି ରହିଥିବା ବେଳେ ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ନିର୍ଯ୍ୟାତନା ଦିଆଯିବା ଏବଂ ଏ ସମ୍ପର୍କରେ ଅଭିଯୁକ୍ତ ଜଣେ ସହାୟକ ପ୍ରଫେସରଙ୍କ ଗିରଫ ଘଟଣା ଏବେ ରାଜ୍ୟ ରାଜନୀତିକୁ ଆହୁରି ସରଗରମ କରି ଦେଇଛି ।

ପୁଲିସର ସୁଚନା ଅନୁଯାୟୀ, ସମ୍ବଲପୁରର ପ୍ରତିଷ୍ଠିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଇନ୍ଟିଗ୍ରେଟେଡ ବିଇଡିର ଦ୍ୱିତୀୟ ବର୍ଷର ଜଣେ ୨୦ ବର୍ଷିୟ ଛାତ୍ରୀ ଏବେ ସହରର ଏଏନ ଗୁହା ଲେନରେ ଏକ ଭଡା ଘରେ ରହି ପାଠ ପଢ଼ୁଛନ୍ତି । ବୁଧବାର ଦିନ ସମୟରେ ଛାତ୍ରୀ ଜଣକ ମହିଳା ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ ଯେ, ବରଗଡ ଜିଲା ବୁଡେନ ଥାନା ଅନ୍ତର୍ଗତ ଦହିତା ନିବାସୀ ତଥା ଜିଏମୟୁରେ ଶିକ୍ଷା ବିଭାଗର ସହକାରୀ ପ୍ରଫେସର ରୂପେ କାର୍ଯ୍ୟରତ ଗୋପିକାନ୍ତ ସୁନା (୩୨) ତାଙ୍କୁ ମିଥ୍ୟା ବିବାହର ପ୍ରଲ୍ଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖିଥିଲେ । ସହକାରୀ ପ୍ରଫେସର ଗୋପୀକାନ୍ତ ତାଙ୍କର ବୁଢ଼ାରଜା ସ୍ଥିତ ପ୍ରଫେସର କଲୋନୀର ସରକାରୀ ବାସଭବନରେ ଛାତ୍ରୀଙ୍କ ସହିତ ଶାରିରୀକ ସମ୍ପର୍କ ରଖୁଥିଲେ । ପରବର୍ତ୍ତୀ ସମୟରେ ସେ ବିବାହ ପାଇଁ ମନା କରି ଦେଇଥିବାରୁ ଗତକାଲି ଛାତ୍ରୀ ମହିଳା ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ ।

ଛାତ୍ରୀଙ୍କ ଅଭିଯୋଗ କ୍ରମରେ ମହିଳା ଥାନାରେ ମାମଲା ସଂଖ୍ୟା ୫୬/୨୦୨୫ ରୁଜୁ କରି ତଦନ୍ତ କରି ପୁଲିସ ସହକାରୀ ପ୍ରଫେସରଙ୍କୁ ତାଙ୍କର ବୁଢ଼ାରଜା ସ୍ଥିତ ବାସଭବନରୁ ଗିରଫ କରି ଅଦାଲତକୁ ଚାଲାଣ କରିଛି । ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବାର ସମ୍ବଲପୁର ପୁଲିସ ସୁଚନା ଦେଇଛି । ଅପରପକ୍ଷରେ ଏହି ଘଟଣାକୁ ନେଇ ଚହଳ ସୃଷ୍ଟି ହୋଇଯାଇଥିବା ବେଳେ ଜିଏମୟୁ କତ୍ତୃପକ୍ଷ ମଧ୍ୟ ଏବେ ଆକ୍ସନ ମୋଡରେ ଆସିଛନ୍ତି ।

ଗୁରୁବାର ମଧ୍ୟାହ୍ନରୁ ଏହି ଖବର ପ୍ରଘଟ ହେବା ପରେ ଜିଏମୟୁ କତ୍ତୃପକ୍ଷ ଚିଠି ସଂଖ୍ୟା ୨୮୦୩, ତା. ୧୭/୭/୨୦୨୫ ଜାରି କରି ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗର ସହକାରୀ ପ୍ରଫେସର ଗୋପିକାନ୍ତ ସୁନାଙ୍କୁ ନିଲମ୍ବିତ କରିଛନ୍ତି । ଏ ସମ୍ପର୍କରେ ଭାରପ୍ରାପ୍ତ କୂଳପତି ପ୍ର. ସୁଶାନ୍ତ କୁମାର ଦାସ କହିଛନ୍ତି ଯେ, ଏ ସମ୍ପର୍କରେ ଛାତ୍ରୀ ଜଣକ ପୁର୍ବରୁ କୌଣସି ଅଭିଯୋଗ କରି ନାହାନ୍ତି କିମ୍ବା ଆମର ଅନ୍ୟ କୌଣସି ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷଙ୍କ ନିକଟକୁ ଅଭିଯୋଗ ଆସି ନାହିଁ ।

ଆମେ ଗତକାଲି ସନ୍ଧ୍ୟା ସମୟରେ ମହିଳା ଥାନାରୁ ସୁଚନା ଆସିଥିଲା ଯେ, ଆମେ ଗୋପିକାନ୍ତ ସୁନାଙ୍କ ନାମରେ ଏକ ଅଭିଯୋଗ ଆସିଛି ଏବଂ ତଦନ୍ତ ସମୟରେ ଉକ୍ତ ଅଭିଯୋଗରେ ସତ୍ୟତା ଥିବାରୁ ତାଙ୍କୁ ଆମେ ଅପରାହ୍ନ ସାଢ଼େ ୪ଟା ସମୟରେ ଗିରଫ କରିଛୁ । ଏହି ଘଟଣାରେ ଯାହା ସହଯୋଗ ଦରକାର ଆମେ ନିଶ୍ଚିତ କରିବୁ । ଇତି ମଧ୍ୟରେ ଉକ୍ତ ସହକାରୀ ପ୍ରଫେସରଙ୍କୁ ନିଲମ୍ବନ କରିଛୁ ବୋଲି ଭାରପ୍ରାପ୍ତ କୂଳପତି ପ୍ର. ଦାସ କହିଛନ୍ତି । ଏହି ଘଟଣା ପରେ ଏବେ ରାଜ୍ୟ ରାଜନୀତି ଆହୁରୀ ଚଳଚଞ୍ଚଳ ହେବ ବୋଲି ଅନୁମାନ କରାଯାଉଛି ।