ପୂର୍ବରୁ ଏମିତି ଅଭିଯୋଗ କହିଥିଲେ ପୀଡ଼ିତା, ଅଧ୍ୟାପକଙ୍କ ନାଁ ରେ ମିଡିଆ ଆଗରେ କ’ଣ କହିଥିଲେ ପୀଡ଼ିତା ଛାତ୍ରୀ ଦେଖନ୍ତୁ

ଏଫ୍ଏମ୍ ସ୍ବୟଂଶାସିତ କଲେଜରେ ଘଟିଥିବା ମାମଲାରେ ପୀଡ଼ିତା ଛାତ୍ରୀ ସୌମ୍ୟାଶ୍ରୀ ବିଶି ଇଣ୍ଟିଗ୍ରେଟେଡ଼ ବିଏଡ଼ କରୁଥିଲେ। ସେ ଭୋଗରାଇ ଅଞ୍ଚଳର ଝିଅ। ଏବିଭିପି ସହ ସେ ୨୦୨୧-୨୨ ରୁ ଜଡିତ ଥିଲେ । ସେ ମାର୍ଶାଲ ଆର୍ଟରେ ସେଲ୍ଫ ଡିଫେନ୍ସ ଟ୍ରେନିଂ ନେଇଥିଲେ । ବିଭିନ୍ନ କଲେଜକୁ ଯାଇ ସେ ଅନ୍ୟମାନଙ୍କୁ ସେଲ୍ଫ ଡିଫେନ୍ସ ଟ୍ରେନିଂ ଦେଉଥିଲେ।

ଅନ୍ୟଙ୍କୁ ଆତ୍ମରକ୍ଷା ତାଲିମ ଦେଉଥିବା ଛାତ୍ରୀ ଜଣଙ୍କ ନିଜେ ଅସହାୟ ହୋଇ ଶେଷରେ ନିଜ ଜୀବନ ନେବାକୁ ସହଜ ମଣି ଚରମ ପଦକ୍ଷେପ ନେଇଥିଲେ। ଅନ୍ୟଙ୍କୁ ଲଢ଼ିବାକୁ ଶିକ୍ଷା ଦେଉଥିବା ଛାତ୍ରୀ ନିଜେ ଆଉ ଲଢ଼ି ପାରି ନଥିଲେ। ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।

ସୌମ୍ୟାଶ୍ରୀ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରୁଥିଲେ। ପ୍ରତିବର୍ଷ ଏବିଭିପି ପକ୍ଷରୁ ହେଉଥିବା ପ୍ରତିଭା ସଙ୍ଗମ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ। ଅଭିନୟରେ ଅନେକ ପୁରସ୍କାର ପାଇଛନ୍ତି ସେ । ଗତବର୍ଷ ଅର୍ଥାତ ୨୦୨୪ ପ୍ରତିଭା ସଙ୍ଗମ କାର୍ଯ୍ୟକ୍ରମ ନିଜେ ଆୟୋଜନ କରିଥିଲେ ସୌମ୍ୟାଶ୍ରୀ ।

ସେ ପାଠ ପଢ଼ିବା ପାଇଁ ପ୍ରାଇଭେଟ ମେସ୍ ରେ ସାଙ୍ଗଙ୍କ ସହ ରହୁଥିଲେ। ଏବିଭିପିର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଥିଲେ । ସେ ଏବିଭିପି ପାଇଁ ସଦସ୍ୟ ସଂଗ୍ରହ ମଧ୍ୟ କରୁଥିଲେ। ଗତ କିଛିମାସ ହେବ ତାଙ୍କୁ ବିଏଡ୍‌ ବିଭାଗର ବିଭାଗୀୟ ମୁଖ୍ୟ (ଏଚ୍‌ଓଡି) ତଥା ସହକାରୀ ପ୍ରଫେସର ସମୀର କୁମାର ସାହୁ ହଇରାଣ କରିଆସୁଥିଲେ। ତାଙ୍କୁ ଅସଦାଚରଣ ସହ ପରୋକ୍ଷରେ ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରୁଥିବା ନେଇ ସେ ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି)ରେ ଜୁଲାଇ ୧ରେ ଅଭିଯୋଗ କରିଥିଲେ। ପ୍ରାୟ ୩ ଦିନ ତଳେ କମିଟି ଏ ନେଇ କଲେଜର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷଙ୍କୁ ରିପୋର୍ଟ ପ୍ରଦାନ କରିଥିଲା। ତେବେ, ଏଥିରେ ଅଭିଯୁକ୍ତ ଏଚ୍‌ଓଡି ସମୀର କୁମାରଙ୍କୁ ସୁହାଇଲା ଭଳି ରିପୋର୍ଟ ପ୍ରଦାନ ସହ ମାମଲାର ସମାଧାନ ପାଇଁ ଛାତ୍ରୀଙ୍କ ଉପରେ ଚାପ ପକାଯାଇଥିଲା ବୋଲି କୁହାଯାଉଛି।