ଅଧ୍ୟାପକ କଣ ମାଗୁଥିଲେ? ଯାହାକୁ ସହି ନ ପାରି ପେଟ୍ରୋଲ ଢ଼ାଳି ନିଜ ଦେହରେ ନିଆଁ ଲଗେଇଦେଲେ ଛାତ୍ରୀ, ଜାଣନ୍ତୁ ପୁରା‌ ଘଟଣା

ଅଧ୍ୟାପକଙ୍କ ଦୁର୍ବ୍ୟବହାର ଅଭିଯୋଗରେ ଛାତ୍ରୀଙ୍କ ଜୀବନ ହାରିବା ଉଦ୍ୟମ । ଏଭଳି ଘଟଣା ସାମ୍ନାକୁ ଆସିଛି ବାଲେଶ୍ୱର ସ୍ଥିତ ଫକୀର ମୋହନ ମହାବିଦ୍ୟାଳୟରେ । କଲେଜର ଜଣେ ଛାତ୍ରୀ ନିଜ ଦେହରେ ନିଆଁ ଲଗାଇ ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି । ଗୁରୁତର ଛାତ୍ରୀଙ୍କୁ ଛାତ୍ରଛାତ୍ରୀ ଓ କଲେଜ କର୍ମଚାରୀ ଉଦ୍ଧାର କରି ପ୍ରଥମେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ପରେ ତାଙ୍କର ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିବାର ସୂଚନା ମିଳିଛି । ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଆଉ ଦୁଇ ଜଣ ଛାତ୍ରୀ ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ବର ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, କିଛି ଦିନ ହେବ ଛାତ୍ରୀ ଜଣଙ୍କୁ କଲେଜରେ ଜଣେ ଅଧ୍ୟାପକ ଦୁର୍ବ୍ୟବହାର କରିଆସୁଥିଲେ । ଏହାକୁ ବିରୋଧ କରିବା ସହ କଲେଜ ଅଧ୍ୟକ୍ଷଙ୍କୁ ମଧ୍ୟ ଜଣାଇଥିଲେ । କିନ୍ତୁ ଅଧ୍ୟାପକଙ୍କ ବିରୋଧରେ କିଛି ପଦକ୍ଷେପ ନିଆଯାଇନଥିଲା । ଯାହାକୁ ନେଇ ସେ ଚାପଗ୍ରସ୍ତ ରହୁଥିଲେ । ଆଉ ଆଜି ଛାତ୍ରୀଙ୍କ ପାଇଁ ସ୍ଥିତି ଅସହ୍ୟ ହେବାରୁ ନିଜ ଦେହରେ ପେଟ୍ରୋଲ ଢାଳି ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ।

ଏହି ଘଟଣାରେ ଛାତ୍ରୀଙ୍କ ୯୦ ପ୍ରତିଶତ ଶରୀର ପୋଡ଼ିଯାଇଥିବା ଜଣାପଡ଼ିଛି । ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ବର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।