ଲୋକଙ୍କ ଭିଡ ବେଳେ ଚିର ନିଦ୍ରାରେ ଥିଲେ ମନ୍ତ୍ରୀ ଓ ପ୍ରଶାସନ! କୁଆଡେ ଯାଇଥିଲେ ୫ ମନ୍ତ୍ରୀ ? ଜାଣନ୍ତୁ

ବଡ଼ଦାଣ୍ଡରେ ଉଜାଗର ଥିଲେ ମହାପ୍ରଭୁ କୁଆଡେ ଯାଇଥିଲେ ୫ ମନ୍ତ୍ରୀ ? ରାତିରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିବା ବେଳେ ଘୋର ନିଦ୍ରାରେ ଥିଲା କି ପ୍ରଶାସନ ? ଭିଆଇପି ଘରକୁ ଫେରିଲେ ଆଉ ବିଶ୍ରାମ ନେବାକୁ ଗଲେ ପୋଲିସ । ଅଚିନ୍ତାରେ ରହିଗଲେ ପ୍ରଶାସକ ଆଉ ଶାନ୍ତିରେ ନିଃଶ୍ୱାସ ଭରିଥିଲେ ସରକାର । ଦଳା ଚକଟାରେ ପ୍ରାଣ ହାରିଲେ ଶ୍ରଦ୍ଧାଳୁ । ଆର୍ତ୍ତ ଚିତ୍କାରରେ ଫାଟି ପଡ଼ିଲା ଶରଧାବାଲି । କୁଆଡେ ଗଲା ମନ୍ତ୍ରୀ ସ୍ତରୀୟ କମିଟି ଦେଖା ମିଳିଲାନି ଦାୟିତ୍ୱରେ ଥିବା ପ୍ରତିନିଧି ।

ଲୋକ ମରିବା ପରେ ମଧ୍ୟ ଆଇନମନ୍ତ୍ରୀଙ୍କ ଯୁକ୍ତି ବଡ଼ଦାଣ୍ଡ ଜଗନ୍ତି ନାହିଁ ମନ୍ତ୍ରୀ । ବଡ ଠାକୁରଙ୍କୁ ପହଡ଼ ପକାଇ ବଡ଼ଦାଣ୍ଡରୁ ଏକାସାଙ୍ଗରେ ଚାଲିଗଲେ ମନ୍ତ୍ରୀ, ପ୍ରଶାସକ ଆଉ ପୋଲିସ । ରାତିରେ ଏକାସାଙ୍ଗରେ ଭକ୍ତ ଆଉ ଭଗବାନ ସତେ ଯେମିତି ଏକାଠି ଶୋଇଲେ ନା ଥିଲା କୌଣସି ପ୍ରତିବନ୍ଧକ ନା ଥିଲା କୌଣସି କଟକଣା । ଏହାପରେ ଭୋର୍ ଚାରି ଘଟିକାରୁ ଭଗବାନଙ୍କୁ ଦେଖିବା ପାଇଁ ଭକ୍ତଙ୍କ ସୁଅ ଛୁଟିଲା । ଆଉ ଏହାପରେ ଅଣ ନିଃଶ୍ବାସୀ ଭଳି ପରିସ୍ଥିତି ଉପୁଜି ଥିଲା ।

ବାରିକେଟିଂ ଭିତରକୁ ପଶିବାକୁ ରାସ୍ତା ଥିଲା କିନ୍ତୁ ବାହାରକୁ ବାହାରିବା ପାଇଁ ରାସ୍ତା ନଥିଲା । ଲୋକମାନେ ପଶି ଚାଲିଲେ ଆଉ ଦଳା ଚକଟା ଆରମ୍ଭ ହୋଇ ଯାଇଥିଲା । ଆଉ ଏହାର ପରିଣତି ଏବେ ସମସ୍ତଙ୍କ ସାମ୍ନାରେ । ଅବ୍ୟବସ୍ଥା ଭିତରେ ତିନିଜଣ ପ୍ରାଣ ହରାଇଲେ । ପୁଅ ମାଆକୁ ହରାଇଲା ଆଉ ସ୍ଵାମୀ ସ୍ତ୍ରୀକୁ ହରାଇଲା । ଏଭଳି ଅନେକ ଘଟଣା ଘଟିଥିଲା । ହୁଏତ ଏହା ହେଉଛି ପ୍ରଥମ ଘଟଣା । ଗୁଣ୍ଡିଚା ସମୟରେ ମହାପ୍ରଭୁଙ୍କ ସାମ୍ନାରେ ୨୦ ହଜାର ଭକ୍ତଙ୍କ ଭିଡ ଭିତରେ ଏଭଳି ଘଟଣା ଘଟିଥିଲା ।

ଭକ୍ତଙ୍କ ଗହଳି ସତ୍ୱେ ନା କେହି ପୋଲିସ ଥିଲେ ନା କେହି ମନ୍ତ୍ରୀ ଥିଲେ । ଉପ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ମନ୍ତ୍ରୀ ଗଠନ କରିଥିଲେ ସରକାର । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଳିକ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଓ ପରିବହନ ମନ୍ତ୍ରୀ ବିଭୂତି ଜେନା । ଏହି ପାଞ୍ଚଜଣ ମନ୍ତ୍ରୀଙ୍କ ଉପରେ ପୁରା ରଥଯାତ୍ରା ଭାର ଥିଲା । ଭକ୍ତଙ୍କ ପ୍ରାଣହାନି ଆଜି ମନ୍ତ୍ରୀଙ୍କ ଦାୟିତ୍ଵ ଉପରେ ପ୍ରଶ୍ନ ଆଣିଛି । ଏହି ଘଟଣା ପାଇଁ ସରକାର ଦାୟୀ ବୋଲି ଅନେକ କଥା ଆସୁଛି ।