ଆୟୁଷ ଥାଉଥାଉ ଭକ୍ତ ମଲେ, ଟଙ୍କା ଖାଇ ଦୀଘା ଯାଇଥିବା ସେବାୟତ କହିଲେ- ମୁକ୍ତି ପାଇଗଲେ, ଜାଣନ୍ତୁ ପୁରା‌ ଖବର

ସ୍ତ୍ରୀକୁ ହରାଇ ସ୍ଵାମୀ କାନ୍ଦୁଛି ଆଉ ମାଆକୁ ହରାଇ ପୁଅ କାନ୍ଦୁଛି । ଜଣେ ବରିଷ୍ଠ ସେବାୟତ ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ବରିଷ୍ଠ ସେବାୟତ ଜଣଙ୍କର ବିବେକହୀନ ମନ୍ତବ୍ୟ ଏବେ ଶୁଣିବାକୁ ମିଳୁଛି । ସେବାୟତ ଜଣକ କହିଛନ୍ତି ଯିଏ ମରିଗଲେ ସେ ମୁକ୍ତି ପାଇଗଲେ ।

ଆୟୁଷ ଥାଉ ଥାଉ ଭକ୍ତ ମଲେ । ଦୋଷ ତ୍ରୁଟି କଥା ଭୁଲିଗଲେ । ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଲେ କୋଟି ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଭକ୍ତମାନେ ପବିତ୍ର ରଥଯାତ୍ରାରେ ପୁରୀ ଶ୍ରୀ ମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଥାନ୍ତି । ଆଉ ତାଙ୍କ ପରିବାରର ବ୍ୟକ୍ତିଙ୍କ ସୁଖ କାମନା କରିଥାନ୍ତି । ପୁରୀ ଶରଧାବାଲିକୁ ଅନେକ ଲୋକ ଯାଇଥାନ୍ତି । ଆଉ ଅନେକ ଆଶା ବିଶ୍ୱାସ ନେଇ ପ୍ରଭୁଙ୍କୁ ଡାକି ଥାଆନ୍ତି । ପ୍ରଭୁ ତାଙ୍କ ଡାକ ଶୁଣିବେ ବୋଲି ଭକ୍ତମାନେ ତାଙ୍କୁ ଗୁହାରି କରିଥାନ୍ତି ।

କେହି କେବେ ଶରଧାବାଲିରେ ମରିବାକୁ ଯାଇ ନଥାନ୍ତି । କିନ୍ତୁ ବରିଷ୍ଠ ସେବାୟତ ରାମକୃଷ୍ଣ ଦାସ ମହାପାତ୍ର ଗଣମାଧ୍ୟମ ସାମ୍ନାରେ କହିଲେ ଯିଏ ମରିଗଲେ ସେ ମୁକ୍ତି ପାଇଗଲେ । ସେ ଏହି କଥା ଯେଉଁ ବି ଉଦ୍ଦେଶ୍ୟରେ କୁହନ୍ତୁ ନା କାହିଁକି ଯେଉଁ ପରିବାର ଲୋକ ତାଙ୍କର ପରିବାରର ସଦସ୍ୟ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ଆଉ ଯେଉଁ ଲୋକମାନେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ସେତେବେଳେ ସେବାୟତ ଜଣଙ୍କର ମୁହଁରୁ ଏଭଳି କଥା ବାହାରିବା ଗ୍ରହଣୀୟ ନୁହେଁ ।

ପବିତ୍ର ରଥଯାତ୍ରାରେ ଦଳା ଚକଟାରେ ଭକ୍ତଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଜ୍ୟପାଳ ଦୁଃଖ ପ୍ରକାଶ କରୁଥିବା ବେଳେ ସେବାୟତ ଜଣଙ୍କର ଏଭଳି ମନ୍ତବ୍ୟକୁ ନେଇ ପ୍ରଶ୍ନ ଉଠିବା ସ୍ଵାଭାବିକ କଥା । ପ୍ରଶାସନର ଅବହେଳା ଆଉ ସୁରକ୍ଷା ବ୍ୟବସ୍ଥା ଢିଲା ଥିବାରୁ ଏଭଳି ଅଘଟଣ ଘଟିଲା । ଏହି ଘଟଣାରେ ଜାତୀୟ ସ୍ତରର ନେତା ମଧ୍ୟ ଦୁଃଖ ପ୍ରକାଶ କରିବା ସହ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ କରିଛନ୍ତି । ଜଗା ଦର୍ଶନ ସାରି ଫେରିଥିବା ଅନେକ ଭକ୍ତ ତାଙ୍କର ଅନୁଭୂତି ବଖାଣିଛନ୍ତି । ଭିଡ ନିୟନ୍ତ୍ରଣ ପାଇଁ ପୋଲିସ ନଥିଲା ଆଉ ଏହି କାରଣରୁ ଏଭଳି ହୋଇଗଲା ।