ଗୋପାଳପୁରରେ ଲଜ୍ଜା । ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ବେଳାଭୂମିକୁ ବୁଲିବାକୁ ଆସିଥିବା ଜଣେ ଛାତ୍ରୀ ଗଣ ବଳାତ୍କାରର ଶିକାର ହୋଇଥିବାନେଇ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଏକ ମାମଲା ରୁଜ୍ଜୁ କରିବା ସହ ୧୦ ଜଣଙ୍କୁ ଅଟକ ରଖିଛି ।
ଅଭିଯୋଗ ମୁତାବକ ଗତକାଲି ଅପରାହ୍ନରେ ବ୍ରହ୍ମପୁରର ଜଣେ ଛାତ୍ର ବନ୍ଧୁଙ୍କ ସହ ପୀଡିତା ଛାତ୍ରୀ ଜଣକ ଗୋପାଳପୁର ବୁଲିବାକୁ ଆସିଥିଲେ ।
ପାନ୍ଥ ନିବାସ ବେଳାଭୂମି ନିକଟରେ ଉଭୟ ବସି ଗପସପ କରୁଥିଲେ । ସନ୍ଧ୍ୟା ପ୍ରାୟ ୭ଟା ସମୟରେ ୧୦ ଯୁବକ ୩ଟି ମୋଟର ସାଇକେଲରେ ଆସି ବେଳାଭୂମିରେ ପହଞ୍ଚିଥିଲେ । ଆଉ ସେଠାରେ ମଦ୍ୟପାନ କରି ଛାତ୍ରୀ ଜଣଙ୍କୁ ଅସଦାଚରଣ କରିଥିଲେ । ପୁରୁଷ ବନ୍ଧୁ ଜଣଙ୍କ ଏହାର ପ୍ରତିବାଦ କରିବାରୁ ତାଙ୍କୁ ଯୁବକମାନେ ଆକ୍ରମଣ କରି ବାନ୍ଧି ଦେଇଥିଲେ ଏବଂ ଛାତ୍ରୀଙ୍କୁ ସେଠାରୁ ଟେକି ନେଇ ଗଣ ବଳାତ୍କାର କରିଥିଲେ । ଏନେଇ ଯୁବତୀ ଏବଂ ପୁରୁଷ ବନ୍ଧୁ ଗୋପାଳପୁର ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଜଣାଇବା ସହ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଘଟଣାରେ ସମ୍ପୃକ୍ତ ଯୁବକମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା ।
ପୀଡିତାଙ୍କୁ ମେଡିକାଲ ପରୀକ୍ଷା ପାଇଁ MKCG ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଯାଇଛି । ଏହି ଘଟଣା ଉପରେ ସାମାଜିକ ଗଣମାଧ୍ୟମରେ ତୀବ୍ର ପ୍ରତିକ୍ରିୟା ଦେଖାଯାଉଛି । ସ୍ଥାନୀୟ ଲୋକମାନେ ଦାବି କରୁଛନ୍ତି ଯେ ଗୋପାଳପୁର ବେଳାଭୂମିରେ ଆଲୋକ ବ୍ୟବସ୍ଥା, ପ୍ରହରୀ ନିଯୁକ୍ତି ଓ ସୁରକ୍ଷା ବୃଦ୍ଧି ହେବା ଦରକାର । ଏହି ଘଟଣା ପରେ ଗୋପାଳପୁର ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସୂଚନା ପ୍ରକାରେ ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ଏଭଳି ଘଟଣା ବଢିବାରେ ଲାଗିଛି ।ଗତ ୩ ତାରିଖ ଦିନ ଗୋଳନ୍ଥରା ଥାନା ଅଞ୍ଚଳରେ ଦୁଇ ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବା ବେଳେ ୭ ତାରିଖରେ ଚାରି ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ସେହିପରି ଗତ ୧୧ ତାରିଖ ଦିନ ଦିଗପହଣ୍ଡି ଥାନା ଅଞ୍ଚଳରେ ଜଣେ ପିଶାଚ ବାପା ନିଜ ଝିଅ ସହ କୁକର୍ମ କରିବା ଅଭିଯୋଗରେ ଗିରଫ ହୋଇଛି ।ଏବେ ପୁଣି ଗୋପାଳପୁର ବେଳାଭୂମି ବୁଲିବାକୁ ଆସିଥିବା ଜଣେ ଯୁବତୀ ଦୁଷ୍କର୍ମର ଶିକାର ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।