ସରକାରୀ ନିୟମରେ ଆସିଲା ବଡ ପରିବର୍ତ୍ତନ, ଯାହାକୁ ଶୁଣି ଚିନ୍ତାରେ ପଡିଲେ ଶିକ୍ଷକ ଶିକ୍ଷୟିତ୍ରୀ, ଜାଣନ୍ତୁ ପୁରା‌ ଖବର

ନୂତନ ନିୟମ ଅନୁସାରେ, କୌଣସି ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀଙ୍କୁ ନିଜ ଜିଲ୍ଲାରେ ନିଯୁକ୍ତି ଦିଆଯିବ ନାହିଁ। ଯଦି କାହାକୁ କଦଚିତ୍ ନିଜ ଜିଲ୍ଲାରେ ନିଯୁକ୍ତି ମିଳେ, ତାଙ୍କୁ ସେହି ଜିଲ୍ଲାର ନିଜ ବ୍ଲକରେ କାମ କରିବାକୁ ଅନୁମତି ଦିଆଯିବ ନାହିଁ। ଜିଲ୍ଲା କ୍ୟାଡରର ଅଧିକାରୀ ଓ କର୍ମଚାରୀମାନେ ଯେଉଁ ସ୍ଥାନରେ ନିଯୁକ୍ତ ହେବେ, ସେଠାରେ ଅତି କମରେ ୩ ବର୍ଷ କାର୍ଯ୍ୟ କରିବା ପରେ ହିଁ ବଦଳି ପାଇବାର ଯୋଗ୍ୟତା ଅର୍ଜନ କରିବେ।

ଏକ ସ୍ଥାନରେ ୬ ବର୍ଷରୁ ଅଧିକ ସମୟ ରହିବାର ଅନୁମତି ରହିବ ନାହିଁ। ଯେଉଁ ଅଧିକାରୀମାନେ ନିଜ ଚାକିରିର ୫ ବର୍ଷ ଅବିଭକ୍ତ କୋରାପୁଟ, ଗଜପତି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ଅତିବାହିତ କରିଛନ୍ତି, ସେମାନେ ଅନ୍ୟ ଜିଲ୍ଲାକୁ ବଦଳି ହୋଇପାରିବେ। ଅନ୍ୟ ଜିଲ୍ଲାରେ ୧୦ ବର୍ଷ କାର୍ଯ୍ୟ କରିସାରିଥିବା ଅଧିକାରୀମାନେ ଅବିଭକ୍ତ କୋରାପୁଟ, ଗଜପତି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ନିଯୁକ୍ତ ହେବେ।

ଦମ୍ପତି ଉଭୟ ଯଦି ସରକାରୀ କର୍ମଚାରୀ ହୋଇଥାଆନ୍ତି, ତେବେ ସେମାନଙ୍କୁ ପରସ୍ପରର ନିକଟସ୍ଥ କିମ୍ବା ପାଖାପାଖି ଅଞ୍ଚଳରେ ନିଯୁକ୍ତି ଦିଆଯାଇପାରିବ। ଅବସର ଗ୍ରହଣ କରିବାକୁ ମାତ୍ର ଦୁଇ ବର୍ଷ ବାକି ଥିବା ଅଧିକାରୀଙ୍କୁ ସେମାନଙ୍କ ବର୍ତ୍ତମାନ କାର୍ଯ୍ୟସ୍ଥଳୀରେ ରଖାଯିବ କିମ୍ବା ନିଜ ଜିଲ୍ଲାକୁ ବଦଳି କରାଯିବ। ବଦଳି ଓ ନିଯୁକ୍ତି ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ପାଇଁ ଏକ କମିଟି ମାଧ୍ୟମରେ କାର୍ଯ୍ୟ କରାଯିବ ବୋଲି ବିଭାଗ ସ୍ତରରେ ନିଷ୍ପତ୍ତି ନିଆଯାଇଛି।