ବାଙ୍କୀ ରାତାଗଡ଼ ମହାନଦୀରେ ମହିଳା ଜଣକ ଭାସି ଯାଇନଥିଲେ। ବରଂ ବିବାହିତ ପ୍ରେମିକ ସହିତ ହୋଇ ଯାଇଥିଲେ ଫେରାର। ବାଙ୍କୀ ରାତାଗଡ଼ ଅଂଚଳରେ ଖୁଦୁରୁକୁଣୀ ଠାକୁରାଣୀ ବିସର୍ଜନ କରିବାକୁ ଯାଇ ମହାନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିବାର ଖବର ଆସିଥିଲା। କିନ୍ତୁ ଏହି ଘଟଣାରେ ଆସିଛି ନୂଆ ମୋଡ଼। ମହିଳା ଜଣକ ନିକ ପ୍ରେମିକ ସହ ପୁରୀ ପଳାଇଯାଇଥିଲେ।
ମହିଳା ଜଣକ ତାଙ୍କ ପ୍ରେମିକ ଜଣଙ୍କ ପୁରୀ ଚୁଡ଼ଙ୍ଗସାହିରେ ରହୁଥିବାବେଳେ ଏବେ ପୁଲିସ ଉଭୟଙ୍କୁ ଧରିବା ପରେ ଘଟଣା ଉପରୁ ପରଦା ଉଠିଛି। ବାସ୍ତବରେ ଗତ ରବିବାର ପାହାନ୍ତିଆରେ ଖୁଦୁରୁକୁଣୀ ଓଷାର ଦୁହୁରୀ ଭସାଇବାକୁ ଯାଇ ନଦୀରେ ଭାସିଯାଇଥିଲେ ମହିଳା। ନଦୀ ବନ୍ଧରେ ପିନ୍ଧା ଲୁଗା ସହ ଚପଲ ଏବଂ ପୂଜା ପାଇଁ ଫୁଲ ଥୋଇ ଗାଧୋଇ ଆଉ ଫେରି ନଥିଲେ।
ସାଙ୍ଗରେ ଯାଇଥିବା ଅନ୍ୟ ମହିଳା କିଛି ଦୂରରେ ଗାଧୋଇ ଥିବାବେଳେ ପହରା ଶିଖିଥିବାରୁ କିଛି ଦୂରକୁ ଚାଲି ଯାଇଥିଲେ ପିଙ୍କି ସ୍ୱାଇଁ। ପୂର୍ବ ଯୋଜନା ଅନୁଯାୟୀ ପ୍ରେମିକ ଜଣକ ବନ୍ଧରେ ଲୁଚିରହିଥିବାବେଳେ ତାଙ୍କ ସହ ଫେରାର ହୋଇଯାଇଥିଲେ। ଶାଶୁ ଘର ଲୋକେ ବାଙ୍କୀ ଥାନାରେ ଏତଲା ଦେବା ପରେ ଏସଡିପିଓ ବାଳକୃଷ୍ଣ କହଁରଙ୍କ ସହିତ ଆଇଆଇସି ଦିଲ୍ଲୀପ ଭୂଇଁଆ ଓ ଦମକଳ ବାହିନୀ ଖୋଜିଲା ପରେ ପିଙ୍କି ମିଳି ନଥିଲେ।
ପୁଲିସ ତଦନ୍ତ କଲାପରେ ଜାଣିବାକୁ ପାଇଥିଲେ ନିଜ ବିବାହିତ ପ୍ରେମିକ ସହିତ ସେ ଫେରାର ହୋଇଯାଇଛନ୍ତି। ଉଭୟ ବିବାହିତା ହୋଇଥିଲାବେଳେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଶାଶୁଘର ତରଫରୁ ପ୍ରେମିକ ଠିକଣା ପାଇ ପୁରୀଟାଉନ ଥାନା ଅନ୍ତର୍ଗତ ଚୁଡ଼ଙ୍ଗ ସାହିରେ ଚଢ଼ାଉ କରିଥିଲା ପୁଲିସ। ଏବେ ଉଭୟଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଛି।