ଦେଶର ନାଁ ବଦଳାଇବା ଉଚିତ କି ? ପ୍ରେସିଡେଣ୍ଟ ଅଫ୍ ଭାରତ ଲେଖାଯିବାକୁ ନେଇ ସୃଷ୍ଟି ହେଲା ବିବାଦ, ଜାଣନ୍ତୁ ଘଟଣା ବିଷୟରେ

 

ଦେଶର ନାଁ କହିବା ବେଳେ ସାଧାରଣତଃ ଆମ୍ଭେ "ଇଣ୍ଡିଆ" ଅଥବା ଭାରତ ବୋଲି କହିଥାଉ। ତେବେ, ଦେଶର ନାଁ ବଦଳା ଯାଇ କେବଳ 'ଭାରତ' ରଖାଯିବ କି? ଏଥିନେଇ ଚର୍ଚ୍ଚା ଜୋର୍ ଧରିଛି। କ୍ଷମତାରେ ରହିଥିବା ବିଜେପି ସରକାର ଏଭଳି ନିଷ୍ପତ୍ତି ନେଇ ପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି।

ଏପରିକି ଆଗାମୀ ୧୮ରୁ ୨୨ ତାରିଖ ଯାଏଁ ହେବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନରେ ମୋଦି ସରକାର ଏ ସମ୍ପର୍କିତ ପ୍ରସ୍ତାବ ମଧ୍ୟ ଆଣିପାରନ୍ତି। ଦିଲ୍ଲୀରେ ଆଗାମୀ ୯ ତାରିଖରୁ ଆରମ୍ଭ ହେଉଛି ଜି-୨୦ ଶିଖର ସମ୍ମିଳନୀ ପାଇଁ ରାଷ୍ଟ୍ରପତି ଭବନ ତରଫରୁ ହୋଇଥିବା ଆମନ୍ତ୍ରଣ ପତ୍ରରେ ‘ଦି ପ୍ରେସିଡେଂଟ୍ ଅଫ ଇଣ୍ଡିଆ’ ସ୍ଥାନରେ ‘ଦି ପ୍ରେସିଡେଂଟ୍ ଅଫ ଭାରତ’ ଲେଖାଯିବା ପରେ ଏହି ବିବାଦ ଆରମ୍ଭ ହୋଇଛି।

ଭାରତୀୟ ସମ୍ବିଧାନର ପ୍ରଥମ ଅନୁଚ୍ଛେଦରେ ଲେଖା ଯାଇଛି ଯେ ‘ଇଣ୍ଡିଆ ଦ୍ୟାଟ୍ ଇଜ ଭାରତ ସାଲ ବି ଏ ୟୁନିୟନ ଅଫ ଷ୍ଟେଟ୍ସ’। ଅର୍ଥାତ ଇଣ୍ଡିଆ ଯାହାକି ଭାରତ, ରାଜ୍ୟଗୁଡି଼କର ଏକ ସଂଘ ଅଟେ। ସମ୍ବିଧାନରେ ଏହା ଉଲ୍ଲେଖ ରହିଥିବା ବେଳେ କଣ ପାଇଁ ଦେଶର ନାମ ବଦଳାଇବାକୁ ସରକାର ଚେଷ୍ଟା କରୁଛନ୍ତି ତାହା ଚର୍ଚ୍ଚାର ବିଷୟ ପାଲଟିଛି।

ତେବେ, ବିରୋଧୀ ଦଳ ପକ୍ଷରୁ ଏହାର କଡା ନିନ୍ଦା କରାଯିବା ସହିତ ବିରୋଧ ମଧ୍ୟ କରାଯାଉଅଛି। ଯଦି ସଂସଦରେ ଏଭଳି କୌଣସି ପ୍ରସ୍ତାବ ଆସେ ତେବେ ଲୋକସଭାରେ ଆବଶ୍ୟକ ସଂଖ୍ୟା ଗରିଷ୍ଠତା ଥିବାରୁ ଏନଡ଼ିଏକୁ ଏଭଳି ବିଲ୍ ପାସ୍ କରାଇବାକୁ ବେସି କଷ୍ଟ କରିବାକୁ ପଡିବନାହିଁ। 

କିନ୍ତୁ, ରାଜ୍ୟସଭାରେ ଏହି ବିଲ୍ କୁ ପାସ୍ କରାଇବା କଷ୍ଟସାଧ୍ୟ ହେବ ନିଶ୍ଚିତ। ୨୦୨୦ରେ ଏ ସଂପର୍କିତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏଥିନେଇ ହସ୍ତକ୍ଷେପ କରିବାକୁ ମନା କରି ଦେଇଥିଲେ। ଏବେ ଯଦି ସରକାର ଏଭଳି ପ୍ରସ୍ତାବ ଆଣନ୍ତି ଏବଂ ସମ୍ବିଧାନ ସଂଶୋଧନ ଆଣନ୍ତି ତେବେ ଗୋଟିଏ ଦେଶ ଗୋଟିଏ ନାଁ ରହିବ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ଇଣ୍ଡିଆ ମେଣ୍ଟର ଶକ୍ତିରେ ଭୟଭିତ ହୋଇ ମୋଦୀ ସରକାର ଏଭଳି ନିଷ୍ପତ୍ତି ନେଇଥିବା ବିରୋଧୀ ଦଳ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ:- ସେପ୍ଟେମ୍ବରରେ ବୁଧ ଗ୍ରହର ଆଗମନ, ଏହି ତିନୋଟି ରାଶିରେ ହେବ ଧନ ବର୍ଷା, ଜୀବନରେ ଆସିବ ବଡ଼ ପରିବର୍ତ୍ତନ