କାଠଗଡ଼ାରେ ରାଜ୍ୟ ସରକାର! ପଦ୍ମପୁର ଜିଲ୍ଲା ଗଠନକୁ ଲାଗିଲା ହାଇକୋର୍ଟ ଝଟକା, କ୍ଷୋଭରେ ଜନସାଧାରଣ….

 
Padmapur

ପଦ୍ମପୁରକୁ ଜିଲ୍ଲା ଘୋଷଣା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟ ସରକାର। କିନ୍ତୁ, ଏବେ ଏହାକୁ ନେଇ ହାଇକୋର୍ଟ ପକ୍ଷରୁ ଝଟକା ଲାଗିବା ପରେ ଅଡ଼ୁଆରେ ନବୀନ ସରକାର। ସରକାରଙ୍କର ଏଥିନେଇ କୌଣସି ଆନ୍ତରିକତା ନଥିଲା ବରଂ କେବଳ ଭୋଟ ପାଇବା ପାଇଁ ଏଭଳି ଭେଳିକି କରାଯାଇଥିବା ବିରୋଧୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି।

Padmapur

"ମୁଁ କଥା ନୁହେଁ, କାମରେ ବିଶ୍ୱାସ କରେ। ପଦ୍ମପୁର ଜିଲ୍ଲା ଆପଣମାନଙ୍କର ଦାବି ଥିଲା। ୨୦୨୩ରେ ଆପଣମାନଙ୍କ ସ୍ୱପ୍ନ ସାକାର ହେବ"। ମଞ୍ଚ ଉପରେ ଠିଆ ହୋଇ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ପ୍ରତିଶୃତି ଦେଇଥିଲେ। ଏହାପରେ ବିଜେଡିକୁ ଭୋଟ ମଧ୍ୟ ମିଳିଥିଲା। କିନ୍ତୁ, ଏପର୍ଯ୍ୟନ୍ତ ଜିଲ୍ଲା ଘୋଷଣା ତ ଦୂରର କଥା ଏଥିନେଇ କୌଣସି ଅଗ୍ରଗତି ମଧ୍ୟ ହୋଇପାରିନାହିଁ।

Highcourt

ଏହା ବ୍ୟତୀତ ହାଇକୋର୍ଟଙ୍କ ବିନା ଅନୁମତିରେ ରାଜ୍ୟ ସରକାର କୌଣସି ନୂଆ ଜିଲ୍ଲା ଗଠନ କରିପାରିବେ ନାହିଁ ବୋଲି ଘୋଷଣା କରାଯାଇଛି। ରାଇରଙ୍ଗପୁର ଜିଲ୍ଲା ଗଠନ ଦାବି ନେଇ ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣିରେ ହାଇକୋର୍ଟ ଏହା ସ୍ପଷ୍ଟ କରିଛନ୍ତି। ତେବେ, ବିନା କୌଣସି ଗାଇଡ଼ଲାଇନ କିମ୍ବା କମିଟି ବିନା ରାଜ୍ୟ ସରକାର ଖୋଲାଖୋଲି କିପରି ଭାବରେ ଏପରି ଘୋଷଣା କରିଥିଲେ ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବିଜୁ ପଟ୍ଟନାୟଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ୧୯୯୨ରୁ ୯୩ ଭିତରେ ଯେତେବେଳେ ରାଜ୍ୟର ଜିଲ୍ଲା ସଂଖ୍ୟା ୧୩ରୁ ୩୦ ହେଲା, ତା’ର ଯଥେଷ୍ଟ ପୂର୍ବରୁ ୯୧ ମସିହାରେ ସରକାର ପ୍ରଥମେ ଏଥିପାଇଁ କ୍ୟାବିନେଟ୍ ସବକମିଟି ଗଢି ପ୍ରକ୍ରିୟା ଆରମ୍ଭ କରିଥିଲେ। ଏବଂ ସେଇ କ୍ୟାବିନେଟ୍ ସବକମିଟିର ସୁପାରିଶ ଆଧାରରେ ହିଁ ଆଉ ୧୭ଟି ଜିଲ୍ଲା ଗଠନ ହୋଇଥିଲା। କିନ୍ତୁ, ଏପରି କିଛି ନ କରି ଏବେକାର ରାଜ୍ୟ ସରକାର ୨୦୨୩ ଡିସେମ୍ବର ୩୧ ସୁଦ୍ଧା ଜିଲ୍ଲା ଗଠନ ହେବ ବୋଲି ଘୋଷଣା କରି ଦେଇଥିଲେ ଯାହାକି ସମ୍ଭବ ହୋଇ ପାରିବନାହିଁ।

Naveen

ଏବେ ଆଗକୁ ନିର୍ବାଚନ ରହିଥିବା ବେଳେ ପଦ୍ମପୁର ଜିଲ୍ଲା ଗଠନକୁ ହାଇକୋର୍ଟ ଝଟକା ଲାଗିଛି। ଯେଉଁଥିପାଇଁ ସାରା ପଶ୍ଚିମ ଓଡ଼ିଶାରେ ଶାସକ ଦଳ ବ୍ୟାକ୍‌ଫୁଟକୁ ଠେଲି ହୋଇ ଯାଇଛି। ଆଗାମୀ ନିର୍ବାଚନରେ ଜିଲ୍ଲା ଗଠନ ନ ହୋଇପାରିବାର କ୍ଷୋଭକୁ ଶାସକ ଦଳ କିପରି ଭାବରେ ସାମ୍ନା କରିବ ତାହା ଦେଖିବାକୁ ବାକି ରହିଛି।

ଆହୁରି ପଢ଼ନ୍ତୁ:- ଏଠି ଥଣ୍ଡା ଦିନରେ ବି ବାହାରୁଛି ଗରମ ପାଣି, ସ୍ନାନ କରିବାକୁ ଲାଗୁଛି ଲୋକଙ୍କ ପ୍ରବଳ ଭିଡ଼, ଜାଣନ୍ତୁ କେଉଁ ଜାଗା କେମିତି ଯିବେ