୨୦୨୪ ନିର୍ବାଚନରେ ମୋଦୀଙ୍କୁ ଟକ୍କର ଦେବ କିଏ, ରେସରେ ଏହି ୫ ଜଣ ହେଭିୱେଟ୍, କ'ଣ କହୁଛନ୍ତି ଜନତା?

 
Modi

2024 ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ମାତ୍ର କିଛି ମାସ ବାକି ଅଛି।  ବିଜେପି ଏବଂ କଂଗ୍ରେସ ସମେତ ସମସ୍ତ ଦଳ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବିଜେପି ପୁଣିଥରେ ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଚେଷ୍ଟା କରୁଛି। ଏଥି ସହିତ 26 ଟି ଦଳ ଏକାଠି ହୋଇଛନ୍ତି ବିଜେପିକୁ ପରାସ୍ତ କରିବାକୁ। ବିରୋଧୀ ଦଳର ଏହି ମିଳିତ ମଞ୍ଚର ନାମ INDIA। କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳ 2024 ମସିହାରେ ବିଜେପିର ଧୂଳି ଚାଟେଇବାକୁ ଦାବି କରୁଛି।

Modi

ଅନ୍ୟପକ୍ଷରେ ୯ଟି ରାଜନୈତିକ ଦଳ କୌଣସି ପକ୍ଷରେ ସାମିଲ ନହୋଇ ନିରପେକ୍ଷ ନୀତି ଅବଲମ୍ବନ କରିଥିଲେ। ତେଣୁ ଏହି ନିରପେକ୍ଷ ଦଳମାନେ ଆଗାମୀ ଦିନରେ ରାଜନୀତିର କାୟା ପରିବର୍ତ୍ତନ କରିବାର ସମ୍ଭାବନା ସୃଷ୍ଟି ହୋଇଛି।

ତେବେ ସବୁଠାରୁ ବଡ଼ କଥା ହେଉଛି ଏନଡିଏର ପ୍ରାର୍ଥୀ ନରେନ୍ଦ୍ର ମୋଦୀଙ୍କୁ ଇଣ୍ଡିଆର କେଉଁ ପ୍ରାର୍ଥୀ ମୁକାବିଲା କରିବେ। ରାହୁଲ ଗାନ୍ଧି ନିଜର ଲୋକସଭା ସାଂସଦ ପଦ ହରାଇଥିବାରୁ ତାଙ୍କର ରାଜନୈତିକ ଭବିଷ୍ୟତ ଉପରେ ଖଣ୍ଡା ଝୁଲୁଛି। ଏପରି ସ୍ଥିତିରେ ମମତା ବାନାର୍ଜୀ, ଅରବିନ୍ଦ କେଜ୍ରିୱାଲ, ନୀତିଶ କୁମାର ଓ ପ୍ରିୟଙ୍କା ଗାନ୍ଧିଙ୍କ ନାମକୁ ନେଇ ଅଧିକ ଚର୍ଚ୍ଚା ହେଉଛି। ଯଦି ରାହୁଲ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ଲଢ଼ି ନ ପାରନ୍ତି ତେବେ ଅନ୍ୟ ଜଣଙ୍କୁ ଆଗକୁ ଅଣାଯାଇପାରେ।

Election

ତେବେ ଏହା ମଧ୍ୟରେ ଏକ ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି। ସି-ଭୋଟର ସର୍ଭେ ମୁତାବକ, ମମତାଙ୍କୁ ୧୦ ପ୍ରତିଶତ ଜନତା ବିପକ୍ଷ ମହାମେଣ୍ଟର ପ୍ରଧାନମନ୍ତ୍ରୀ ପଦ ପାଇଁ ଦାବିଦାର ଭାବେ ଗ୍ରହଣ କରିଛନ୍ତି। ସେହିପରି କେଜ୍ରିୱାଲଙ୍କୁ ୧୪ ପ୍ରତିଶତ, ନୀତିଶଙ୍କୁ ୧୪ ପ୍ରତିଶତ ଜନତା ଚାହିଁଛନ୍ତି। ନୀତିଶ ଓ କେଜ୍ରିୱାଲଙ୍କୁ ସମାନ ମାତ୍ରାରେ ଜନତାଙ୍କ ସମର୍ଥନ ମିଳିଛି। ତେବେ ସବୁଠାରୁ ବଡ଼ କଥା ହେଉଛି ପ୍ରିୟଙ୍କାକୁ ସବୁଠାରୁ ଅଧିକ ୩୩ ପ୍ରତିଶତ ଭୋଟ ମିଳିଛି। ଯଦି ରାହୁଲ ଆଗାମୀ ନିର୍ବାଚନ ଲଢ଼ିବେ ତେବେ ତାଙ୍କୁ ଅନ୍ୟ ପ୍ରାର୍ଥୀମାନେ କିପରି ଗ୍ରହଣ କରୁଛନ୍ତି ତାହା ମଧ୍ୟ ଏକ ବଡ଼ ପ୍ରଶ୍ନ। ତେଣୁ ବିନା ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣାରେ ଇଣ୍ଡିଆ ଆସନ୍ତା ନିର୍ବାଚନ ଲଢ଼ିପାରେ।