ଟ୍ରେନରୁ ଓହ୍ଲାଇ ରେଳ ଟ୍ରାକରେ ଛିଡା ହୋଇଥିଲେ ଲୋକେ, ଦେଖୁ ଦେଖୁ ମାଡ଼ି ଆସିଲା ଅନ୍ୟ ଟ୍ରେନ୍, ଜାଣନ୍ତୁ ପୁରା ଘଟଣା

 
Train

ଝାଡଖଣ୍ଡର ଜାମତରା ଜିଲ୍ଲାରେ ଏକ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। ସୂଚନାନୁସାରେ, କାଲଜରିଆ ନିକଟରେ ଏକ ଟ୍ରେନ୍‌ରେ ୧୨ ଜଣଙ୍କ ଉପରେ ଚଢିଯିବାରୁ ସେମାନଙ୍କର ପ୍ରାଣହାନୀ ହୋଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି ଏବଂ ଅନେକ ଲୋକଙ୍କ ଅବସ୍ଥା ଗୁରୁତର ରହିଛି।

Train

ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ରାତିରେ ଆଙ୍ଗ ଏକ୍ସପ୍ରେସ୍ ଟ୍ରେନ୍ରେ ନିଆଁ ଲାଗିବା ଖବର ପାଇବା ପରେ ଏଥିରେ ଥିବା ଯାତ୍ରୀମାନେ ଭୟଭୀତ ହୋଇ ତଳକୁ ଡେଇଁବାକୁ ଲାଗିଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଝାଝା-ଆସାନସୋଲ ପାସେଞ୍ଜର ଟ୍ରେନ୍ ରେଳ ଧାରଣାରେ ପଡ଼ିଥିବା ଯାତ୍ରୀଙ୍କ ଉପରେ ଚଢ଼ି ଯାଇଥିଲା। ଆଙ୍ଗ ଏକ୍ସପ୍ରେସକୁ ମଧ୍ୟ ବନ୍ଦ କରି ଦିଆଯାଇଛି ।

କିଛି ରିପୋର୍ଟରେ କୁହାଯାଇଛି ଯେ ଟ୍ରେନ ମାଡ଼ି ଯିବାରୁ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ କିଛି ରିପୋର୍ଟରେ ୨ ଜଣଙ୍କ ଜୀବନ ଯାଇଥିବା କୁହାଯାଇଛି। କିନ୍ତୁ ରେଳବାଇ ପକ୍ଷରୁ ମୃତ୍ୟୁସଂଖ୍ୟାକୁ ନିଶ୍ଚିତ କରାଯାଇ ନାହିଁ। ଘଟଣାସ୍ଥଳରେ ମେଡିକାଲ ଟିମ ଓ ଉଦ୍ଧାରକାରୀ ଦଳ ପହଞ୍ଚିଛନ୍ତି। ତେବେ ଘଟଣାସ୍ଥଳରେ ଆଲୋକର ବ୍ୟବସ୍ଥା ନଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି। 

Train

ରେଳ ଦୁର୍ଘଟଣା ପରେ ରେଳ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଉଛି। ପୋଲିସ-ପ୍ରଶାସନକୁ ସାହାଯ୍ୟ କରିବା ପାଇଁ ବହୁ ସଂଖ୍ୟକ ସ୍ଥାନୀୟ ଲୋକ ମଧ୍ୟ ଉପସ୍ଥିତ ଅଛନ୍ତି। ସେହିପରି ଘଟଣାସ୍ଥଳରେ ମେଡିକାଲ ଟିମ୍ ଓ ଆମ୍ବୁଲାନ୍ସ ପହଞ୍ଚିଛି।