ଇନଷ୍ଟାଗ୍ରାମ ପ୍ରେମିକାକୁ ବାହା ହେବାକୁ ବରଯାତ୍ରୀ ନେଇ ଯାଇଥିଲା ବର, ହେଲେ ଠକିଦେଲା କନ୍ୟା, ଜାଣନ୍ତୁ ପୁରା ଘଟଣା
ବେଳେ ବେଳେ ଫେସବୁକ୍, ଇନଷ୍ଟାଗ୍ରାମ, ହ୍ବାଟ୍ସ୍ ଆପରେ ଅଜଣା ଝିଅଙ୍କ ସହିତ ବନ୍ଧୁତା ହୁଏ। ତା'ପରେ ଯଦି ବନ୍ଧୁତା ପ୍ରେମରେ ପରିଣତ ହୁଏ ଏବଂ ବିବାହ ସ୍ଥିର ହୋଇଯାଏ ତେବେ ତୁମର ଜୀବନରେ ପ୍ରେମ ସଫଳ ହେଲା ବୋଲି ଭ୍ରମରେ ରୁହନାହିଁ। କାରଣ ଧୋକା ମଧ୍ଯ ମିଳିପାରେ।
ମୁଣ୍ଡରେ ପଗଡି ପିନ୍ଧି ବରବେଶରେ ସଜେଇ ହେଲେ । ୧୫୦ ଜଣ ବରଯାତ୍ରୀଙ୍କ ସଙ୍ଗେ କନ୍ୟା ଘର ଅଭିମୁଖେ ବାହାରିଲେ । ଭାବିଥିଲେ ମଣ୍ଡପରେ ପହଞ୍ଚିବା ବେଳେକୁ କନ୍ୟା ଘର ଲୋକେ ମର୍ଯ୍ୟାଦାର ସହିତ ସ୍ବାଗତ କରିବେ । ହେଲେ ଉକ୍ତ ସ୍ଥାନରେ ଏଭଳି କିଛି ଘଟିଲା ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ବର ପହଞ୍ଚିଲା ବେଳେକୁ ନା ଥିଲା କନ୍ୟା ନା ଥିଲା ମଣ୍ଡପ । ଅନଲାଇନ ପ୍ରେମିକାର ଠକାମୀର ଶିକାର ହୋଇ ବାହା ହେବାକୁ ବରଯାତ୍ରୀ ନେଇ ଯାଇଥିବା ଯୁବକ ଶେଷରେ ଶିଶୁପାଳ ହୋଇ ଫେରିଛନ୍ତି।
ପଞ୍ଜାବର ଜଲନ୍ଧରରୁ ଏପରି ଖବର ସାମ୍ନାକୁ ଆସିଛି। ଦୁବାଇରେ ଶ୍ରମିକ ଭାବେ କାମ କରୁଥିବା ୨୪ ବର୍ଷୀୟ ଦୀପକ କୁମାର ବର ବେଶରେ ୧୫୦ ବର ଯାତ୍ରୀଙ୍କୁ ବାହା ହେବାକୁ ମୋଗା ସହରରେ ପ୍ରେମିକା ଦେଇଥିବା ଠିକଣାରେ ପହଞ୍ଚିଥିଲେ। କିନ୍ତୁ ସେଠାରେ ନା ଥିଲା ମଣ୍ଡପ ନା ଥିଲେ ପ୍ରେମିକା।
ଦୀପକଙ୍କ ଅଭିଯୋଗ ଅନୁସାରେ ସେ ଗତ ୬ ବର୍ଷ ଧରି ଦୁବାଇରେ କାମ କରୁଛନ୍ତି। ଚାରି ବର୍ଷ ପୂର୍ବେ ଇନଷ୍ଟାଗ୍ରାମରେ ସେ ମୋଗାର କୋଟ ମୋହାଲାରେ ରହୁଥିବା ଝିଅ ମନପ୍ରୀତ କୌରଙ୍କ ସହ ବନ୍ଧୁ ହୋଇଥିଲେ। ପରେ ସେମାନଙ୍କର ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା ଏବଂ ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ଏକ ମାସ ପୂର୍ବରୁ ଦୁବାଇରୁ ଫେରି ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଡିସେମ୍ବର ୬ରେ ସେ ବରଯାତ୍ରୀଙ୍କ ସହିତ ମୋଗାରେ ପହଞ୍ଚିଥିଲେ। ହେଲେ ସେଠାରେ ପହଞ୍ଚିବା ପରେ ତାଙ୍କୁ କୁହାଯାଇଥିବା ବିବାହ ମଣ୍ଡପ ମିଳିନଥିଲା। ଏପରିକି ସେମାନଙ୍କୁ ନେବା ପାଇଁ କନ୍ଯା ପକ୍ଷରୁ ମଧ୍ଯ କେହି ଆସିନଥିଲେ।