ଚାମ୍ପିୟନସ ଟ୍ରଫିରେ ବିରାଟଙ୍କ ଆଉଟ୍ ହେବା ପରେ ହାର୍ଟ ଆଟାକରେ ଚାଲିଗଲା ଛାତ୍ରୀଙ୍କ ଜୀବନ, ଜାଣନ୍ତୁ ପୁରା ଘଟଣା
ଚାମ୍ପିୟନ ଟ୍ରଫି ୨୦୨୫ ର ଫାଇନାଲ୍ ଗତ ରବିବାର, ୯ ମାର୍ଚ୍ଚରେ ଖେଳାଯାଇଥିଲା । ଯେଉଁଥିରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୪ ୱିକେଟ୍ରେ ପରାସ୍ତ କରି ଇତିହାସ ସୃଷ୍ଟି କରିଥିଲା। ସେହି ମ୍ୟାଚ୍ ଦୁବାଇରେ ଖେଳାଯାଇଥିଲା। ଫାଇନାଲରେ ମାତ୍ର ଗୋଟିଏ ରନ କରିବା ପରେ ବିରାଟ ଆଉଟ ହେବା ପରେ ସହିପାରିନଥିଲେ ୧୪ ବର୍ଷୀୟା ପ୍ରିୟାଂଶୀ । ବିରାଟ କୋହଲିଙ୍କ ଆଉଟ୍ ଶୁଣି ଏତେ ଆଶ୍ଚର୍ୟ୍ୟ ହୋଇଯାଇଥିଲା ଯେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା।
ରିପୋର୍ଟ ଅନୁଯାୟୀ ପ୍ରିୟାଂଶୀ ତାଙ୍କ ପରିବାର ସହିତ ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍ ଦେଖୁଥିଲେ। ପ୍ରିୟାଂଶୀଙ୍କ ବାପାଙ୍କ ନାମ ଅଜୟ ପାଣ୍ଡେ ଏବଂ ସେମାନେ ସମସ୍ତେ ଟିମ୍ ଇଣ୍ଡିଆକୁ ସମର୍ଥନ କରିବାରେ ବହୁତ ଉତ୍ସାହୀ ଥିଲେ। ଫାଇନାଲରେ ଯେତେବେଳେ ବିରାଟ କୋହଲି ୧ ରନ କରି ଆଉଟ ହୋଇଥିଲେ, ପ୍ରିୟାଂଶୀ ପ୍ରଥମେ ବେହୋସ ହୋଇଯାଇଥିଲେ ଏବଂ ପରେ ହୃଦଘାତ ଯୋଗୁଁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଡାକ୍ତରମାନେ ନିଶ୍ଚିତ କରିଛନ୍ତି ଯେ ପ୍ରିୟାଂଶୀଙ୍କ ମୃତ୍ୟୁର କାରଣ ହୃଦଘାତ ଥିଲା।
ପ୍ରଥମ ଇନିଂସ ଶେଷ ହେବା ପରେ ପ୍ରିୟାଂଶୀଙ୍କ ବାପା ଅଜୟ ପାଣ୍ଡେ ବଜାର ଯାଇଥିଲେ। ଯେତେବେଳେ ଦ୍ୱିତୀୟ ଇନିଂସ ଆରମ୍ଭ ହେଲା, ପ୍ରିୟାଂଶୀ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ମ୍ୟାଚ୍ ଉପଭୋଗ କରିବା ଆରମ୍ଭ କଲେ। ଅଜୟ ପାଣ୍ଡେ ଫୋନ୍ ମାଧ୍ୟମରେ ପ୍ରିୟାଂଶୀ ଚେତାଶୂନ୍ୟ ହୋଇଯିବା ବିଷୟରେ ଜାଣିବା ମାତ୍ରେ ସେ ଶୀଘ୍ର ଘରକୁ ଫେରି ତାଙ୍କ ଝିଅକୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହସ୍ପିଟାଲରେ ପହଞ୍ଚିବା ପରେ ୧୪ ବର୍ଷୀୟା ପ୍ରିୟାଂଶୀଙ୍କୁ ମୃତ ଘୋଷଣା କରାଯାଇଥିଲା। ଅଜୟ ପାଣ୍ଡେ ତାଙ୍କ ଝିଅର ପୋଷ୍ଟମର୍ଟମ କରାଇ ନଥିଲେ।
ଘରକୁ ଫେରିବା ପରେ, ପ୍ରିୟାଂଶୀଙ୍କ ଶବଦାହ କରାଯାଇଥିଲା। ହେଲେ ବିରାଟ ଆଉ ହେବା କାରଣରୁ ପ୍ରିୟାଂଶୀଙ୍କର ହୃଦଘାତ ହୋଇଥିବା କଥା ତାଙ୍କ ବାପା ଅଜୟ ପାଣ୍ଡେ ବିଶ୍ୱାସ କରିନାହାନ୍ତି । ସେ ସ୍ପଷ୍ଟ ଭାବରେ କହିଥିଲେ ଯେ କ୍ରିକେଟ୍ ଏବଂ ତାଙ୍କ ଝିଅର ହଠାତ୍ ମୃତ୍ୟୁ ମଧ୍ୟରେ କୌଣସି ସମ୍ପର୍କ ନାହିଁ। ତାଙ୍କ ପଡ଼ୋଶୀ ଅମିତ ଚନ୍ଦ୍ର କହିଛନ୍ତି ଯେ ଯେତେବେଳେ ପ୍ରିୟାଂଶୀଙ୍କ ହୃଦଘାତ ହୋଇଥିଲା, ସେତେବେଳେ ଭାରତୀୟ ଦଳ କୌଣସି ପ୍ରକାରେ ଖରାପ ଖେଳୁ ନଥିଲା ଏବଂ କୌଣସି ୱିକେଟ୍ ହରାଇ ନଥିଲା।