ତାଲିବାନର ଅଜବ୍ ନିୟମ! ମହିଳାଙ୍କ ପାଇଁ ନର୍କ ପାଲଟିଛି ଜୀବନ, ଏକାଠି ପାର୍କ ଓ ରେଷ୍ଟୁରାଣ୍ଟ ଯାଇ ପାରିବେନାହିଁ ସ୍ୱାମୀ-ସ୍ତ୍ରୀ, ଜାଣନ୍ତୁ ପୂରା ଖବର
ଆଫଗାନିସ୍ତାନରେ ପୁନର୍ବାର ତାଲିବାନ ଶାସନ କରିବା ପରେ ସେଠାରେ ସାଧାରଣ ଜନସାଧାରଣଙ୍କ ଅବସ୍ଥା ସଙ୍ଗୀନ ହେବାରେ ଲାଗିଛି। ଖାଦ୍ୟ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଭଳି ମୌଳିକ ସୁବିଧା ମିଳୁନାହିଁ। କିନ୍ତୁ, ଦିନକୁ ଦିନ ଲାଗୁ କରାଯାଉଥିବା ନୂଆ ନୂଆ କଟକଣା ଆଫଗାନବାସୀଙ୍କର ଜୀବନକୁ ବ୍ୟତିବ୍ୟସ୍ତ କରି ପକାଉଛି।
କିଛିଦିନ ତଳେ ଏଠାରେ ଏକ ନୂଆ ଆଇନ ଲାଗୁ କରାଯାଇଛି ଯେଉଁଥିରେ ଯୁବକ ଯୁବତୀ ମାନଙ୍କୁ ଏକାଠି ପାର୍କ ଏବଂ ରେଷ୍ଟୁରାଣ୍ଟ ଯିବାକୁ ବାରଣ କରାଯାଇଛି। ଏପରିକି ସ୍ୱାମୀ ସ୍ତ୍ରୀ ମଧ୍ୟ ଏକାଠି କୌଣସି ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଇ ପାରିବେ ନାହିଁ ବୋଲି ଅଜବ ନିୟମ ଲାଗୁ କରାଯାଇଛି। ଏହା ପୂର୍ବରୁ ଏଭଳି ଅନେକ ନିୟମ ଲାଗୁ କରାଯାଇଛି। ଖାସ୍ କରି ଆଫଗାନ ମହିଳାମାନେ ତାଲିବାନ ଶାସନରେ ଅଧିକ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାଯାଇଛି।
ଲାଗୁ କରାଯାଇଥିବା ନୂଆ ନିୟମ ଅନୁଯାଇ ସପ୍ତାହ ସାରା ପୁରୁଷ ଏବଂ ମହିଳା ମାନଙ୍କ ପାଇଁ ପୃଥକ ପୃଥକ ଦିନ ଧାର୍ଯ୍ୟ କରାଯାଇଛି। ସପ୍ତାହର ଗୁରୁବାର, ଶୁକ୍ରବାର ଓ ଶନିବାର ମହିଳାମାନେ ଏବଂ ସୋମ, ମଙ୍ଗଳ ଓ ବୁଧବାର ଦିନ ପୁରୁଷମାନଙ୍କୁ ପାର୍କ ଓ ରେଷ୍ଟୁରାଣ୍ଟ ଯିବା ପାଇଁ ଅନୁମତି ଦିଆଯାଇଛି। ଏଥିନେଇ ସଦାଚାର ପ୍ରଚାର ପ୍ରସାର ମନ୍ତ୍ରଣାଳୟ ତରଫରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି।