ଭାରତ ବିପକ୍ଷରେ ନୂଆ ଯୁଦ୍ଧ ଆରମ୍ଭ କରୁଛି ଚାଇନା ! ଶୀଘ୍ର ସଚେତ ନହେଲେ ଭୋଗିବାକୁ ହେବ ଭୟଙ୍କର ପରିଣାମ

 
Cyber attack

ଗଲଭାନ ଉପତ୍ୟାକାରେ ଭାରତୀୟ ସେନା ଦ୍ୱାରା ପରାସ୍ତ ହୋଇଥିବା ଚାଇନା ବର୍ତ୍ତମାନ ଚଲାଇଛି ନୂଆ ଚାଲ୍। ଚାଇନା ବର୍ତ୍ତମାନ ସମୟରେ ସାଇବର ହ୍ୟାକର ମାନଙ୍କ ସହାୟତାରେ ଭାରତର ପ୍ରତିରକ୍ଷା, ଟେଲିକମ୍ ଏବଂ ଏରୋସ୍ପେସ୍ ସମ୍ବନ୍ଧୀୟ ସମ୍ବେଦନଶୀଳ ତଥ୍ୟ ଚୋରି କରିବାକୁ ପ୍ରୟାସ କରୁଥିବା ଜାଣିବାକୁ ମିଳୁଛି।  

ସାଇବର ସୁରକ୍ଷା ସହ ଜଡିତ ଏକ ରିପୋର୍ଟରୁ ଜଣାପଡିଛି ଯେ ଭାରତ ସୀମା ଉପରେ ନଜର ରଖିଥିବା ଚୀନ୍ ସେନାର ଗୁପ୍ତଚର ବିଭାଗ ବର୍ତ୍ତମାନ ଦେଶର ସମ୍ବେଦନଶୀଳ କ୍ଷେତ୍ରକୁ ଟାର୍ଗେଟ କରୁଛି। ଆମେରିକାର ସାଇବର୍ ସୁରକ୍ଷା ସହ ଜଡିତ ଥିବା Recorded future ନାମକ ସଂସ୍ଥା ନିଜ ରିପୋର୍ଟରେ ପ୍ରକାଶ କରିଛି ଯେ ଚାଇନାର ମିଲିଟାରୀ ଇଣ୍ଟେଲିଜେନ୍ସ ୟୁନିଟ୍ ୬୯୦୧୦ ସାଇବର ହ୍ୟାକର୍ସ ମାନଙ୍କ ସହାୟତାରେ ଭାରତ ଉପରେ ନଜ଼ର ରଖୁଛି।

ଚାଇନାର ଏହି ହ୍ୟାକରମାନେ ଗତ କିଛି ମାସ ମଧ୍ୟରେ ଭାରତର ଏରୋସ୍ପେସ୍ ଟେକ୍ନୋଲୋଜି, ପ୍ରତିରକ୍ଷା ଚୁକ୍ତି ଏବଂ ଟେଲିକମ୍ କ୍ଷେତ୍ରକୁ ଟାର୍ଗେଟ କରିଛନ୍ତି। ଗତ ବର୍ଷ ଠାରୁ ଏହି ହ୍ୟାକର୍ସ ଦଳ ସକ୍ରିୟ ରହିଆସିଛି। Recorded future ଏହି ରିପୋର୍ଟରେ ଦାବି କରିଛି ଯେ Red foxtrot ନାମକ ଏହି ସାଇବର ହ୍ୟାକର୍ସ ଦଳ ଗତ ବର୍ଷ ଠାରୁ ଭାରତ ସମେତ ବିଶ୍ୱର ଅନେକ ଦେଶ ବିରୁଦ୍ଧରେ ସକ୍ରିୟ ରହିଛନ୍ତି। ଏହାକୁ ପରିଚାଳନା କରୁଥିବା ଚାଇନାର ମିଲିଟାରୀ ଇଣ୍ଟେଲିଜେନ୍ସ ୟୁନିଟ୍ ୬୯୦୧୦ର ମୁଖ୍ୟାଳୟ ଜିଞ୍ଜିଆଙ୍ଗରେ ଅବସ୍ଥିତ ଅଟେ, ଯାହା ୨୦୧୫ ରେ ସୃଷ୍ଟି ହୋଇଥିଲା ଏବଂ PLA ଷ୍ଟ୍ରାଟେଜିକ୍ ସପୋର୍ଟ ଫୋର୍ସ (PLA-SSF) ଅଧୀନରେ ଏହା କାର୍ଯ୍ୟ କରିଥାଏ।

ତେବେ ସାଇବର ସୁରକ୍ଷା ଏଜେନ୍ସିଙ୍କ ସହ ଜଡିତ ବିଶେଷଜ୍ଞଙ୍କ ଅନୁଯାୟୀ, ଗତ କିଛି ବର୍ଷ ମଧ୍ୟରେ ଚାଇନାର ହ୍ୟାକରଙ୍କ କାର୍ଯ୍ୟକଳାପରେ ଏକ ବଡ଼ ବୃଦ୍ଧି ଘଟିଛି ଏବଂ ଦେଶର ପ୍ରତିରକ୍ଷା ପ୍ରତିଷ୍ଠାନ ସମେତ ଜଟିଳ ଭିତ୍ତିଭୂମି ଉପରେ ଚାଇନାର ସାଇବର ଆକ୍ରମଣ ହେବାର ଆଶଙ୍କା ବହୁତ ମାତ୍ରାରେ ବଢ଼ିଯାଇଛି। ଚାଇନାର ସାଇବର ହ୍ୟାକରମାନେ DRDO ସମେତ ଭାରତର ମହାକାଶ ଏବଂ ଆଣବିକ କାର୍ଯ୍ୟକ୍ରମକୁ କ୍ଷତିଗ୍ରସ୍ତ କରିବା ପାଇଁ ଯୋଜନା କରୁଥାଇ ପାରନ୍ତି ବୋଲି ଏହି ଏଜେନ୍ସି କହିଛି।

ସୁରକ୍ଷା ବିଶେଷଜ୍ଞଙ୍କ ଅନୁଯାୟୀ, ଚୀନ୍‌ର ସାଇବର ହ୍ୟାକର୍ ମାନେ ଯେପରି ଭାବରେ ଭାରତର ପ୍ରତିରକ୍ଷା ଏବଂ ଟେଲିକମ୍ କ୍ଷେତ୍ରକୁ ଟାର୍ଗେଟ କରୁଛନ୍ତି, ଏହା ସ୍ପଷ୍ଟ ଭାବେ ଦର୍ଶାଉଛି ଯେ ଭାରତର ବଢୁଥିବା ଶକ୍ତିକୁ ନେଇ ଚୀନ୍ ଅସୁବିଧାର ସମ୍ମୁଖୀନ ହୋଇଛି। ଭାରତର ପ୍ରତିରକ୍ଷା ପ୍ରସ୍ତୁତି କ’ଣ ଏବଂ ଏରୋସ୍ପେସ୍ କ୍ଷେତ୍ରରେ ଭାରତର କି ପ୍ରକାର ଟେକ୍ନୋଲୋଜି ଅଛି ତାହା ଜାଣିବାରେ ଚୀନ୍ ଏହି ହ୍ୟାକରମାନଙ୍କ ସହାୟତା ନେଉଛି। ସୀମା ବିବାଦ ପରେ ଚୀନ୍ ଟେଲିକମ୍ କ୍ଷେତ୍ର ସହିତ ଭାରତର ପାୱାର୍ ଗ୍ରୀଡ୍ କୁ ମଧ୍ୟ ଟାର୍ଗେଟ କରିପାରେ ବୋଲି ଆଶଙ୍କା କରାଯାଉଛି।