ଭାଇରାଲ୍ ପରେ ଟଙ୍କା ପାଇ ବଢି ଯାଇଥିଲା ଘମଣ୍ଡ, ପୁଣି ଏହି କାରଣରୁ ରାସ୍ତା କଡ଼କୁ ଆସିଗଲେ ବୃଦ୍ଧ ଦମ୍ପତି

 
Baba ka dhaba

ଦିଲ୍ଲୀର ମାଲଭିଆ ନଗର ଅଞ୍ଚଳରେ ଅବସ୍ଥିତ 'ବାବା କା ଢାବା' କୁ ଗତ ବର୍ଷ ଅନେକ ଆଲୋଚନା ହୋଇଥିଲା। ଜଣେ YouTuber ଏହି ବିଷୟରେ ଏକ ଭିଡିଓ ସେୟାର କରିଥିଲେ। ଯେଉଁଥିରେ ଅଶୀ ବର୍ଷ ବୟସ୍କା କାନ୍ତ ପ୍ରସାଦଙ୍କ କାହାଣୀ କୁହାଯାଇଥିଲା, ସେ କିପରି ବ୍ୟବସାୟ ପାଇଁ ସଂଘର୍ଷ କରୁଥିଲେ। ଏହି ଭିଡିଓ ଏତେ ଭାଇରାଲ ହୋଇଥିଲା ଯେ ହଜାର ହଜାର ଲୋକ ଖାଦ୍ୟ ଖାଇବା ପାଇଁ ଢାବାରେ ପହଞ୍ଚିଥିଲେ।  କେବଳ ଏତିକି ନୁହେଁ, 'ବାବା କା ଢାବା' ମଧ୍ୟ ସେଲିବ୍ରିଟିମାନେ ସେମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ପ୍ରୋମୋଟ କରିଥିଲେ। ଏହା ପରେ କାନ୍ତ ପ୍ରସାଦ ଏବଂ ତାଙ୍କ ପତ୍ନୀ ବାଦାମୀ ଦେବୀଙ୍କ ଭାଗ୍ୟ ପୂରା ରାତାରାତି ବଦଳି ଯାଇଥିଲା। 

ଲୋକମାନେ ବାବାଙ୍କୁ ସମର୍ଥନ କରିବା ପାଇଁ ଦାନ କରିବା ଆରମ୍ଭ କଲେ। ଦାନ ଟଙ୍କା ସହିତ କାନ୍ତ ପ୍ରସାଦ ଏକ ନୂତନ ରେଷ୍ଟୁରାଣ୍ଟ ଖୋଲିଥିଲେ। କେବଳ ଏତିକି ନୁହେଁ, ସେ ତାଙ୍କ ଘରର ମରାମତି ମଧ୍ୟ କରିଥିଲେ, ପୁରୁଣା ଋଣ ଭରିଥିଲେ ଏହାପରେ ପୂରା ଜୀବନ ବଦଳିଯାଇଥିଲା ଏହି ବୃଦ୍ଧ ଦମ୍ପତିଙ୍କ। ହେଲେ ଏହାପରେ ସେ ଟଙ୍କା ହେରଫେର କୁ ନେଇ ତାଙ୍କୁ ଫେମସ୍ କରିଥିବା ୟୁଟୁବର ଗୌରଭ ଭାସନଙ୍କ ଉପରେ କେସ୍ କରିଦେଇଥିଲେ। ଯାହାପରେ ଲୋକଙ୍କ ଆଖିରେ ସ୍ୱାର୍ଥପର ପାଲଟି ଯାଇଥିଲେ। ଲୋକମାନେ ବାବା କା ଢାବା ଯିବା ବନ୍ଦ କରି ଦେଇଥିଲେ।

ଲୋକଙ୍କ ଉଦାସୀନତାର ପ୍ରଭାବ ଏପରି ଥିଲା ଯେ ତାଙ୍କ ନୂତନ ରେଷ୍ଟୁରାଣ୍ଟ ବର୍ତ୍ତମାନ ବନ୍ଦ ହୋଇଯାଇଛି ଏବଂ କାନ୍ତ ପ୍ରସାଦ ତାଙ୍କ ପତ୍ନୀଙ୍କ ସହ ପୁରୁଣା ଢାବାକୁ ଫେରିଛନ୍ତି।  କାନ୍ତ ପ୍ରସାଦ କହିଛନ୍ତି ଯେ ସେ ରେଷ୍ଟୁରାଣ୍ଟରେ 5 ଲକ୍ଷ ଟଙ୍କା ବିନିଯୋଗ କରିଛନ୍ତି ଏବଂ ତିନିଜଣ ଶ୍ରମିକଙ୍କୁ ମଧ୍ୟ ନିଯୁକ୍ତି ଦେଇଥିଲେ। ମାସିକ ଖର୍ଚ୍ଚ ପ୍ରାୟ 1 ଲକ୍ଷ ଟଙ୍କା ଥିଲା। ଭଡା ପାଇଁ 35,000, ତିନି କର୍ମଚାରୀଙ୍କ ବେତନ ପ୍ରଦାନ ପାଇଁ 36,000 ଏବଂ ବିଦ୍ୟୁତ୍ ଏବଂ ପାଣି ବିଲ୍ ପାଇଁ 15,000। ଖାଦ୍ୟ ସାମଗ୍ରୀ କିଣିବା ପାଇଁ ଅଲଗା ଏସବୁ ରୋଜଗାରଠାରୁ ଅଧିକ ଥିଲା। ରେଷ୍ଟୁରାଣ୍ଟରେ ପ୍ରବଳ କ୍ଷୟକ୍ଷତି ହୋଇଥିଲା।  ଯେଉଁଥିପାଇଁ ଏହାକୁ ବନ୍ଦ କରିବାକୁ ପଡିଲା।