ସତ ନା ଚୀନର ନୂଆ ଷଡଯନ୍ତ୍ର? ଉତ୍ପତ୍ତି ସ୍ଥଳକୁ ଫେରିଲା କରୋନା, ଚାଇନା ସରକାର ନେଲା ଏହି ବଡ଼ ପଦକ୍ଷେପ

 
China corona

କରୋନାର ଉତ୍ପତ୍ତି ସ୍ଥଳ ଚାଇନାରେ କିଛିଦିନ ହେବ କରୋନା ସଂକ୍ରମଣ କାବୁରେ ଥିବାବେଳେ ବର୍ତ୍ତମାନ ଏଠାରେ ପୁଣି ଏହି ସଂକ୍ରମଣ ବଢ଼ିବାରେ ଲାଗିଛି। ଦୀର୍ଘ ଦିନ ଧରି ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉ ନଥିଲା, କିନ୍ତୁ ଚାଇନାରେ ବର୍ତ୍ତମାନ କରୋନା ସଂକ୍ରମଣ ବଢ଼ିବା ସାରା ବିଶ୍ୱକୁ ଚିନ୍ତାରେ ପକାଇଛି।

କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବା ପରେ ଚାଇନାର ସବୁଠାରୁ ଜନବହୁଳ ଗୁଆଙ୍ଗଜୋ ସହରରେ ଲକଡାଉନ ଘୋଷଣା କରାଯାଇଛି। ଏଠାରେ କମ୍ପାଉଣ୍ଡ ଏବଂ ରାସ୍ତା ଗୁଡିକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି ଏବଂ ଅନ୍ୟ ଦେଶରୁ ଆସୁଥିବା ଲୋକଙ୍କ ପାଇଁ କରୋନା ସଂକ୍ରମଣର ନେଗେଟିଭ ରିପୋର୍ଟ ଆଣିବାକୁ ବାଧ୍ୟତାମୂଳକ କରାଯାଇଛି। 

କଡା ନିୟମ ପ୍ରଣୟନ କରି କରୋନା ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ସେଠାକାର ପ୍ରଶାସନ ସମସ୍ତ ଉଦ୍ୟମ କରୁଥିବା କଥା ସାମ୍ନାକୁ ଆସୁଛି। ଚାଇନାର ଗୁଆଙ୍ଗଜୋ ଏବଂ ଫୋଶାନ ଭଳି ପ୍ରମୁଖ ସହରରେ ସଂକ୍ରମଣ ବୃଦ୍ଧି ହେତୁ ମୋଟ ୫୧୯ ଟି ବିମାନକୁ ବାତିଲ କରିଛନ୍ତି ଚାଇନା ସରକାର। ଏହି ସହରରେ ଯେଉଁଠାରେ ସଂକ୍ରମଣ ଅଧିକ ବ୍ୟାପିଛି, ସେଠାରେ ଲୋକଙ୍କୁ ଘରେ ରହିବାକୁ କଡା ନିର୍ଦ୍ଦେଶ ଦିଆଯିବା ସହ ସମସ୍ତ ବଜାର ଏବଂ ସର୍ବସାଧାରଣ ସ୍ଥାନକୁ ବନ୍ଦ କରିଦିଆ ଯାଇଛି।

ହଂକଂ ନିକଟସ୍ଥ ଗୁଆଙ୍ଗଜୋ ଅଞ୍ଚଳରେ ଏପର୍ଯ୍ୟନ୍ତ କରୋନା ସଂକ୍ରମଣର ୪୧ ଟି ମାମଲା ସୁନିଶ୍ଚିତ ହୋଇଛି। ଯଦିଓ ବିଶ୍ୱର ଅନ୍ୟାନ୍ୟ ସ୍ଥାନରେ ମିଳୁଥିବା କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ତୁଳନାରେ ଏହି ସଂଖ୍ୟା ବହୁତ କମ୍ ଅଟେ, ତଥାପି ନୂତନ ମାମଲା ବୃଦ୍ଧି ଚୀନ୍ ସରକାରଙ୍କ ଚିନ୍ତା ବଢାଇଦେଇଛି।