ଲକଡାଉନ ସମୟରେ ପୋଲିସ କୁ କଡ଼ା ନିର୍ଦେଶ ଦେଲେ କୋର୍ଟ, କହିଲେ ତାଲାବନ୍ଦ ବେଳେ ଲାଠିଚାର୍ଜ କରିବ ନାହିଁ, ନହେଲେ...

 
ଲକଡାଉନ ସମୟରେ ପୋଲିସ କୁ କଡ଼ା ନିର୍ଦେଶ ଦେଲେ କୋର୍ଟ, କହିଲେ ତାଲାବନ୍ଦ ବେଳେ ଲାଠିଚାର୍ଜ କରିବ ନାହିଁ, ନହେଲେ...

ଦେଶରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଏଥିରୁ ବାଦ୍ ପଡିନି କର୍ଣ୍ଣାଟକ। ବଢୁଥିବା ସଂକ୍ରମଣକୁ ନଜ଼ର ରେ ରଖି କର୍ଣ୍ଣାଟକ ସରକାର ରାଜ୍ୟରେ ଲକଡାଉନ ଏବଂ କର୍ଫ୍ୟୁ ଘୋଷଣା କରିଥିଲେ। ଏପରି ଅବସ୍ଥାରେ କର୍ଣ୍ଣାଟକ ପୋଲିସ ଘରୁ ବାହାରୁଥିବା ଲୋକମାନଙ୍କ ଉପରେ ଲାଠିଚାର୍ଜ ପରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ତେବେ ପୋଲିସର ଏପରି କଡ଼ା କାର୍ଯ୍ୟାନୁଷ୍ଠାନ କୁ ନେଇ ଜନସାଧାରଣରେ ଅସନ୍ତୋଷ ବଢିଥିଲା। ଏପରି ପରିସ୍ଥିତିରେ କର୍ଣ୍ଣାଟକ ହାଇକୋର୍ଟ ଏକ ମାମଲାର ଶୁଣାଣି କରି ଲକ୍‌ଡାଉନ୍‌ ପାଳନ ବେଳେ ଲାଠିଚାର୍ଜ ନ କରିବାକୁ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଆହୁରି ମଧ୍ୟ ଏଥିପାଇଁ ଏକ ନୂଆ ଗାଇଡ଼ଲାଇନ ପ୍ରସ୍ତୁତ କରିବାକୁ ପୋଲିସ ମହାନିର୍ଦ୍ଦେଶକଙ୍କୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି।

ମଙ୍ଗଳବାର କୋଭିଡ-୧୯ ସମ୍ପର୍କିତ ମାମଲାରେ ଶୁଣାଣି ବେଳେ ହାଇକୋର୍ଟ ମୁଖ୍ୟ ବିଚାରପତି ଅଭୟ ଶ୍ରୀନିବାସଙ୍କ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଘରୁ ଲୋକେ ବାହାରିଲେ ପୋଲିସ ଲାଠିଚାର୍ଜ କରୁଛି ବୋଲି ଓକିଲମାନେ ତର୍କ ରଖିବା ସହ ଏହାର କେତେକ ଭାଇରାଲ ଭିଡ଼ିଓ ମଧ୍ୟ କୋର୍ଟରେ ଉପସ୍ଥାପନ କରିଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରାଳର ସୂଚନା ଅନୁସାରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୯,୫୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କରୋନାରେ ୪୮୦ ଜଣଙ୍କର ମୃତ୍ୟୁ ଘଟିଛି।