ଟ୍ରେନ ଭିତରେ କେବଳ ଗଞ୍ଜି ଅଣ୍ଡରୱେଅର୍ ପିନ୍ଧି ବୁଲୁଥିଲେ ଜେଡ଼ିୟୁ ବିଧାୟକ, ବିରୋଧ କରିବାରୁ କହିଲେ ମୁଁ ସେତେବେଳେ...

 
MLA in Underwear

ବିହାର ଜନତା ଦଳର ବିଧାୟକ ଗୋପାଳ ମଣ୍ଡଳ ଯାତ୍ରୀରେ ଭରପୂର ଥିବା ଏକ ଟ୍ରେନରେ କେବଳ ଅନ୍ତଃବସ୍ତ୍ର ପିନ୍ଧି ବୁଲୁଥିବାର ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗୁରୁବାର ପାଟନାରୁ ନୂଆଦିଲ୍ଲୀ ଯାଉଥିବା ତେଜସ୍ ରାଜଧାନୀ ଏକ୍ସପ୍ରେସରେ ଗୋପାଳ ଅର୍ଦ୍ଧନଗ୍ନ ଅବସ୍ଥାରେ ବୁଲୁଥିବା ଦେଖିବାକୁ ମିଳିଥିଲା।


କେବଳ ଏତିକି ନୁହେଁ ବରଂ ଏପରି ଅବସ୍ଥାରେ ବୁଲୁଥିବାରୁ ତାଙ୍କୁ କେତେକ ଲୋକେ ବିରୋଧ କରିବାରୁ ସେମାନଙ୍କୁ ବିଧାୟକ ଜଣକ ଧମକାଇ ଥିବା ମଧ୍ୟ କୁହାଯାଉଛି। ଉକ୍ତ ଟ୍ରେନରେ ଯାତ୍ରା କରୁଥିବା ପ୍ରସାଦ ପାଶ୍ବାନ୍ ନାମକ ଯାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଯେଉଁମାନେ ତାଙ୍କୁ ବିରୋଧ କରିଥିଲେ ସେମାନଙ୍କୁ ଗାଳିମନ୍ଦ କରିବା ସହ ଗୁଳି ମାରିଦେବି ବୋଲି  ବିଧାୟକ ଧମକ ଦେଇଥିଲେ। ଏହାପରେ ଯାତ୍ରୀମାନେ ଆରପିଏଫ କର୍ମୀଙ୍କୁ ଏ ନେଇ ଅଭିଯୋଗ କରିବା ପରେ ମଣ୍ଡଳଙ୍କୁ ଅନ୍ୟ ଏକ କମ୍ପାର୍ଟମେଣ୍ଟକୁ ସ୍ଥାନାନ୍ତରିତ କରାଯାଇଥିଲା।


ଏହି ମାମଲା ଗଣମାଧ୍ୟମରେ ପ୍ରଚାର ହେବାପରେ ରାଜନେତାଙ୍କ ସହ ସାଧାରଣ ଲୋକେ ମଧ୍ୟ ଏହାକୁ ବିରୋଧ କରିଥିଲେ। ଅନ୍ୟପକ୍ଷରେ ଏହି ମାମଲାରେ ବିଧାୟକ ମଧ୍ୟ ନିଜର ପକ୍ଷ ରଖିଛନ୍ତି। ତାଙ୍କ କହିବା ମୁତାବକ ଟ୍ରେନ ଚଢ଼ିବା ପରେ ପରେ ତାଙ୍କର ପେଟ ଖରାପ ହୋଇଯାଇଥିଲା। ଯେଉଁଥିପାଇଁ ସେ କେବଳ ଅଣ୍ଡରୱେଅର୍ ପିନ୍ଧି ପାଇଖାନା ଯାଉଥିବା କହିଛନ୍ତି। ସେଠାରେ କିଛି ଯାତ୍ରୀ ତାଙ୍କୁ ଆକଟ କରିଥିଲେ ହେଁ ଅନ୍ୟ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନଥିବା ମଣ୍ଡଳ କହିଛନ୍ତି।