ସଲମାନଙ୍କୁ ଅଟକାଇ ଅଡୁଆରେ ପଡ଼ିଗଲେ ଓଡ଼ିଆ ଯବାନ ସୋମନାଥ, CISF ତାଙ୍କ ବିରୁଦ୍ଧରେ ନେଲା ଏହି କାର୍ଯ୍ୟାନୁଷ୍ଠାନ

 
Salman khan

ବଲିଉଡ଼ର ନାମୀ ତାରକା ସଲମାନ ଖାନ୍ କିଛି ଦିନ ତଳେ ଫିଲ୍ମ ସୁଟିଂ ପାଇଁ ବିଦେଶ ଯାଉଥିବା ବେଳେ ତାଙ୍କୁ ବିମାନ ବନ୍ଦରରେ ଅଟକାଇ ଦେଇଥିଲେ ଓଡ଼ିଆ ସିଆଇଏସ୍ଏଫ୍ ଏଏସ୍ଆଇ ସୋମନାଥ ମହାନ୍ତି। ଏହି ଘଟଣା କ୍ୟାମେରାରେ ରେକର୍ଡ଼ ହେବା ପରେ ଏହାର ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା। ଫଳରେ ସେ ରାତା ରାତି ଜଣେ ଚର୍ଚ୍ଚିତ ଚେହେରା ପାଲଟିଯାଇଥିଲା ବେଳେ ତାଙ୍କର କର୍ତ୍ତବ୍ୟନିଷ୍ଠାକୁ ଦେଖି ବିଭିନ୍ନ ମହଲରୁ ସାବାସୀ ମଧ୍ୟ ମିଳିଥିଲା। କିନ୍ତୁ, ଏହାକୁ ନେଇ ଏବେ ଅଡୁଆରେ ପଡିଛନ୍ତି ସୋମନାଥ।

Cisf somnath

ପ୍ରକୃତରେ ଏହି ଘଟଣାର ଭିଡ଼ିଓ ଭାଇରାଲ ହେବା ପରେ ସୋମନାଥଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ କିଛି ଗଣମାଧ୍ୟମ ପ୍ରତିନିଧି। ସୋମନାଥ ଫୋନ କଲ୍ ସାହାଯ୍ୟରେ ନିଜର ପ୍ରତିକ୍ରିୟା ମଧ୍ୟ ଦେଇଥିଲେ। କିନ୍ତୁ, ଏପରି କରିବା ତାଙ୍କୁ ଏବେ ମହଙ୍ଗା ପଡିଛି। ଘଟଣା ସଂପର୍କରେ ଗଣମାଧ୍ୟମକୁ ଜଣାଇବା ସିଆଇଏସ୍ଏଫ୍ ପ୍ରୋଟକଲ ଖିଲାପ ହୋଇଥିବାରୁ ତାଙ୍କ ମୋବାଇଲ ଜବତ କରି ନିଆଯାଇଛି। ସେ ଆଗକୁ ଯେପରି ଗଣମାଧ୍ୟମ ସହିତ ସମ୍ପର୍କରେ ନ ଆସି ପାରିବେ ସେଥିପ୍ରତି ଧ୍ୟାନ ଦିଆଯିବା ସହିତ ତାଙ୍କ ଫୋନଟିକୁ ଜବତ କରାଯାଇଥିବା ସିଆଇଏସ୍ଏଫ୍ ପକ୍ଷରୁ କୁହାଯାଇଛି।

Odia jawan

ଏଠାରେ ଉଲ୍ଲେଖଯୋଗ୍ୟ ଯେ ସଲମାନ ତାଙ୍କର ଆଗାମୀ ଚଳଚିତ୍ର ଟାଇଗର-୩ ର ସୁଟିଂ ପାଇଁ ଋଷିଆ ଯାଉଥିଲେ। ତେବେ, ମୁମ୍ବାଇ ଏୟାରପୋର୍ଟରେ ସୋମନାଥ ସିକ୍ୟୁରିଟି ଚେକ୍ ପାଇଁ ସଲମାନଙ୍କୁ ଅଟକାଇଥିଲେ ଯାହାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଗୋଟିଏ ପଟେ ନିଜ କାମ ପାଇଁ ସୋମନାଥଙ୍କୁ ଲୋକେ ପ୍ରଶଂସା କରୁଥିବା ବେଳେ ଏବେ ସିଆଇଏସ୍ଏଫ୍ ପ୍ରୋଟୋକଲ ଭାଙ୍ଗିଥିବାରୁ ତାଙ୍କୁ ହଟହଟା ହେବାକୁ ପଡିଛି।