କଲେକ୍ଟରଙ୍କ ଦାଦାଗିରି, ବିନା ଦୋଷରେ ଯୁବକକୁ ଚାପୁଡ଼ା ମାରି ଭାଙ୍ଗିଦେଲେ ମୋବାଇଲ, ଆଉ ତାପରେ ଦେଖନ୍ତୁ ଭିଡିଓ

 
Collector young man

କରୋନା ସଂକ୍ରମଣ କୁ ରୋକିବା ପାଇଁ ବିଭିନ୍ନ ରାଜ୍ୟରେ ଲକଡାଉନ ଘୋଷଣା କରି ଦିଆଯାଇଥିବା ବେଳେ ଏହାକୁ କଡ଼ାକଡ଼ି ଭାବରେ ପାଳନ କରାଯାଉଛି। କିନ୍ତୁ କେତେକ ସ୍ଥାନରେ ପୋଲିସ ଏବଂ କିଛି ପ୍ରଶାସନିକ ଅଧିକାରୀ ନିଜର କ୍ଷମତାର ଅପବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ଏହିଭଳି ଏକ ଘଟଣା ଛତିଶଗଡର ସୁରଜପୁର ଜିଲ୍ଲାରେ ଦେଖିବାକୁ ମିଳିଥିଲା ଯେଉଁଠାରେ ଜଣେ କଲେକ୍ଟର ବିଚ୍ ରାସ୍ତାରେ ଜଣେ ଯୁବକଙ୍କୁ ଚାପୁଡ଼ା ମାରୁଥିବାର ଭଡ଼ିଓ ସାମ୍ନାକୁ ଆସିଥିଲା।

ଛତିଶଗଡର ସୁରଜପୁର ଜିଲ୍ଲାରେ ତାଲାବନ୍ଦକୁ ତଦାରଖ କରିବାକୁ ଆସିଥିବା କଲେକ୍ଟର ଜଣେ ଯୁବକଙ୍କୁ ଚାପୁଡ଼ା ମାରିବା ପରେ ଏହି ଘଟଣାକୁ ଗୁରୁତର ସହ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ସୁରଜପୁର କଲେକ୍ଟର ରଣବୀର ଶର୍ମାଙ୍କୁ ତୁରନ୍ତ ପ୍ରଭାବ ସହିତ ତାଙ୍କ ପଦରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।  ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ କହିଛନ୍ତି ଯେ କୌଣସି ଅଧିକାରୀଙ୍କ ଏଭଳି ଆଚରଣ ଗ୍ରହଣୀୟ ନୁହେଁ। ଏହି ଘଟଣା ପାଇଁ ମୁଁ ଦୁଃଖିତ ଏବଂ ଯୁବକ ଏବଂ ତାଙ୍କ ପରିବାରକୁ କ୍ଷମା ମାଗୁଛି। ଦେଖନ୍ତୁ ଭିଡ଼ିଓ-

ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ଟ୍ୱିଟ କରି କହିଥିଲେ ଯେ, "ସୋସିଆଲ ମିଡିଆ ଜରିଆରେ ସୁରଜପୁର କଲେକ୍ଟର ରଣବୀର ଶର୍ମା ଜଣେ ଯୁବକଙ୍କୁ ଅସଦାଚରଣ କରିଥିବା ମାମଲା ମୋ ନଜରକୁ ଆସିଛି। ଏହା ଅତ୍ୟନ୍ତ ଦୁଃଖଦାୟକ ଏବଂ ନିନ୍ଦନୀୟ। ଛତିଶଗଡରେ ଏଭଳି କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ। ତେଣୁ କଲେକ୍ଟର ରଣବୀର ଶର୍ମାଙ୍କୁ ତତ୍କାଳ ପ୍ରଭାବ ସହିତ ତାଙ୍କ ପଦରୁ ହଟାଇ ଦେବାକୁ ନିର୍ଦେଶ ଦିଆଯାଇଛି"।

ଏହି ଘଟଣା ମୁତାବକ ଯୁବକ ଜଣକ ଲକଡାଉନ ବେଳେ ଔଷଧ କିଣିବାକୁ ବଜ଼ାରକୁ ଯାଉଥିଲେ। ସେତିକିବେଳେ କଲେକ୍ଟର ରଣବୀର ଶର୍ମାଙ୍କ ଆଖି ଯୁବକଙ୍କ ଉପରେ ପଡିଥିଲା। ସେ ବାହାରେ ବୁଲିବାର କାରଣ ପଚାରିବାରୁ ଯୁବକ ଜଣକ ମୋବାଇଲରୁ ଔଷଧର ଚିଠା ଦେଖାଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଶ୍ରୀ ଶର୍ମା ପ୍ରଥମେ ଯୁବକଙ୍କ ମୋବାଇଲ ଫିଙ୍ଗି ଦେଇଥିଲେ ଏବଂ ପରେ ଚାପୁଡ଼ା ମାରିଥିଲେ। ଏହି ଘଟଣାର ଭିଡ଼ିଓ କ୍ୟାମେରାରେ କଏଦ ହୋଇଥିଲା ଏବଂ ପରେ ଏହା ଭାଇରାଲ ହୋଇଯାଇଥିଲା।