୨ବର୍ଷ ଜେଲ ଦଣ୍ଡ ଶୁଣି ରାହୁଲ କହିଲେ "ମୁଁ ଭାରତ ପାଇଁ ଲଢ଼ୁଛି, ଏଥିପାଇଁ ଯେକୌଣସି ମୂଲ୍ୟ ଦେବୀ ମାତ୍ର ମୋଦି ସରକାର..."

 
rahul gandhi

ରାହୁଲ ଗାନ୍ଧୀଙ୍କୁ ସୁରଟ କୋର୍ଟରୁ ଏକ ବଡ଼ ଝଟ୍‌କା ଲାଗିଛି। ମୋଦୀଙ୍କ ସାଙ୍ଗିଆକୁ ନେଇ ତାଙ୍କ ବିରୁଦ୍ଧରେ ଚାଲିଥିବା ମାନହାନୀ ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୧୯ରେ କର୍ଣ୍ଣାଟକରେ ଲୋକସଭା ନିର୍ବାଚନ ସମୟରେ ରାହୁଲ ଗାନ୍ଧୀ ଏହି ମନ୍ତବ୍ୟ ଦେଇଥିଲେ।

ଏହା ପରେ ଲୋକସଭାରୁ ତାଙ୍କ ସଦସ୍ୟତା ବାତିଲ ହେଲା, ତାପରେ ସେ ପ୍ରତିକ୍ରିୟା ରଖିଛନ୍ତି ଏବଂ ଏକ ଟୁଇଟ୍ କରି ସେ କହିଛନ୍ତି, ମୁଁ ଭାରତର ସ୍ୱର ପାଇଁ ଲଢ଼ୁଛି । ଏଥିପାଇଁ ଯେକୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ ।

ସଦସ୍ୟ ପଦ ରଦ୍ଦ ହେବା ପରେ ରାହୁଲ ନିଜ ମା’ ସୋନିଆ ଗାନ୍ଧି, କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେ ଓ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଭେଟି ପରବର୍ତ୍ତୀ କାର୍ଯ୍ୟପନ୍ଥା ସଂପର୍କରେ ଆଲୋଚନା କରିଛନ୍ତି । ତେବେ ଏହି ଆଲୋଚନାବେଳେ କଂଗ୍ରେସର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ ।

rahul

ଏହା ପଛରେ ଷଡ଼ଯନ୍ତ୍ର ଥିବା କଂଗ୍ରେସ ଅଭିଯୋଗ କରିଛି । କଂଗ୍ରେସ ଦାବି କରିଛି ଯେ ରାହୁଲ ଗାନ୍ଧି ସରକାରଙ୍କୁ କଠୋର ପ୍ରଶ୍ନ ପଚାରୁଥିବାରୁ ତାଙ୍କୁ ଚୁପ୍ କରାଯାଉଛି। ଅନ୍ୟପକ୍ଷରେ ବିଜେପି ଏହି ପଦକ୍ଷେପକୁ ଆଇନ ସମ୍ମତ ବୋଲି କହିଛି। ତାଙ୍କ ମନ୍ତବ୍ୟକୁ ନେଇ ରୁଜୁ ହୋଇଥିବା ମ‌ାମଲାକୁ ବିଚାର କରି ଅଦାଲତ ରାୟ ଶୁଣାଇଛନ୍ତି। ସେ ସମଗ୍ର ପଛୁଆ ବର୍ଗ (ଓବିସି) ସମ୍ପ୍ରଦାୟକୁ ଅପମାନିତ କରିଛନ୍ତି ବୋଲି ବିଜେପି ଦାବି କରିଛି ।

ସୂଚନାଯୋଗ୍ୟ ଯେ, ୨୦୧୯ର ଏକ ମାନହାନି ମାମଲାରେ ଗତକାଲି ସୁରଟର ଏକ କୋର୍ଟ ରାହୁଲଙ୍କୁ ୨ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ । ଏହା ପରେ ରାହୁଲଙ୍କ ସାଂସଦ ପଦ ରଦ୍ଦ ହୋଇଯାଇଛି । ଲୋକସଭା ସଚିବାଳୟ କେରଳର ତାଙ୍କ ନିର୍ବାଚନ ମଣ୍ଡଳୀ ୱାୟନାଡକୁ ଖାଲି ଘୋଷଣା କରିଛି। ନିର୍ବାଚନ ଆୟୋଗ ଏବେ ଏହି ଆସନରେ ଉପନିର୍ବାଚନ ଘୋଷଣା କରିପାରନ୍ତି। ରାହୁଲ ଗାନ୍ଧିଙ୍କୁ ଦିଲ୍ଲୀରେ ଥିବା ତାଙ୍କ ସରକାରୀ ବଙ୍ଗଳା ଖାଲି କରିବା ପାଇଁ ଏକ ମାସ ସମୟ ମିଳିବ।