ପରିଚୟ ଲୁଚାଇ ସାଧାରଣ ଟୁରିଷ୍ଟ ହୋଇ ବିଳମ୍ବିତ ରାତିରେ ଅଟୋରେ ବସିଲେ ଏସିପି ସୁକନ୍ୟା, ଘଟିଲା ଏମତି ଘଟଣା
ନିଜକୁ ଜଣେ ସାଧାରଣ ପର୍ଯ୍ୟଟକର ପରିଚୟ ଦେଇ ରାତିର ସ୍ଥିତି ପରଖିଛନ୍ତି ଆଗ୍ରାର ଜଣେ ବରିଷ୍ଠ ମହିଳା ପୁଲିସ୍ ଅଧିକାରୀ। ସହରରେ ମହିଳା କେତେ ସୁରକ୍ଷିତ ଓ ପୁଲିସ୍ ତା' କାମ ଠିକ ଭାବେ କରୁଛି କି ନାହିଁ, ତା'ର ଯାଞ୍ଚ କରିବା ପାଇଁ ଏସିପି ସୁକନ୍ୟା ଶର୍ମା ରାତି ବେଳା ଅଟୋରେ ବୁଲିଛନ୍ତି। ମହିଳାଙ୍କ ସୁରକ୍ଷା ପାଇଁ ଉପଲବ୍ଧ ଥିବା ୧୧୨ ନମ୍ବର ରାତି ବେଳା ସେବା ଯୋଗାଉଛି କି ନାହିଁ, ସେକଥା ମଧ୍ୟ ପରଖିଛନ୍ତି।
ଉତ୍ତରପ୍ରଦେଶର ଆଗ୍ରାଠାରେ ମହିଳାଙ୍କ ସୁରକ୍ଷାକୁ ତଦାରଖ କରିବାକୁ ଯାଇ ଏସପି ସୁକନ୍ୟା ଶର୍ମା ଶୁକ୍ରବାର ରାତିରେ ପର୍ଯ୍ୟଟକ ଭାବେ ଏକ ଅଟୋରେ ବାହାରିଥିଲେ। ମହିଳାଙ୍କ ସୁରକ୍ଷା ପାଇଁ ଉପଲବ୍ଧ ଥିବା ୧୧୨ ନମ୍ବର ରାତି ବେଳା ସେବା ଯୋଗାଉଛି କି ନାହିଁ, ସେକଥା ମଧ୍ୟ ପରଖିଛନ୍ତି। ପ୍ରଥମେ ସେ ରାତି ୧୧ଟା ୩୦ମି.ରେ ଆଗ୍ରା କ୍ୟାଣ୍ଟ ଷ୍ଟେସନରେ ପୋଲିସକୁ ଫୋନ କରି ସାହାଯ୍ୟ ପାଇଁ ମାଗିଥିଲେ।
କଣ୍ଟ୍ରୋଲ୍ ରୁମର ୧୧୨ ନମ୍ବରରେ କଲ କରି କହିଥିଲେ ଯେ ସେ ଆଗ୍ରାକୁ ଆସିଛନ୍ତି। ନିଛାଟିଆ ରାସ୍ତା ଯୋଗୁ ସେ ଭୟଭୀତ ହୋଇପଡିଛନ୍ତି ଏବଂ ତାଙ୍କୁ ସାହାଯ୍ୟ ଦରକାର। ଏହା ପରେ କର୍ମଚାରୀମାନେ ତାଙ୍କୁ ଏକ ସୁରକ୍ଷିତ ସ୍ଥାନରେ ଠିଆ ହେବାକୁ କହିବା ସହ ଲଗାତାର ତାଙ୍କ ସହ କଥାବାର୍ତ୍ତା ହୋଇଥିଲେ। ଏହା ପରେ ତାଙ୍କ ପାଖରେ ଗୋଲାପୀ PRV ଆସି ପହଞ୍ଚିଥିଲା।
ଏକଥା ଦେଖି ସୁକନ୍ୟା ପୂରା ଖୁସି ହୋଇଯାଇଥିଲେ ଓ ପ୍ୟାଟ୍ରୋଲିଂ ଟିମକୁ ନିଜର ପରିଚୟ ଦେଇଥିଲେ। ସେ କହିଥିଲେ ଯେ ମୁଁ କେବଳ ଜରୁରୀ ସେବା କାର୍ଯ୍ୟ କରୁଛି କି ନାହିଁ, ତା’କୁ ଦେଖିବାକୁ ଚାହୁଁଥିଲି। ଆପଣମାନେ ଏଥିରେ ପାସ୍ ହୋଇଛନ୍ତି। ଏହାପରେ ମହିଳା ସୁରକ୍ଷାର ସ୍ଥିତି ଯାଞ୍ଚ ପାଇଁ ସେ ରେଳ ଷ୍ଟେସନରୁ ଗୋଟିଏ ଅଟୋ ଭଡ଼ା କରିଥିଲେ। ଅଟୋ ଆସିବା ପରେ ସେ କେଉଁଠିକୁ ଯିବେ ଡ୍ରାଇଭରଙ୍କୁ କହିଥିଲେ ଓ ଭଡ଼ା ଛିଡ଼ାଇ ସେଥିରେ ବସିଥିଲେ।
ସେ ନିଜର ପରିଚୟ ସାର୍ବଜନୀନ ନ କରି ଅଟୋ ଡ୍ରାଇଭରଙ୍କ ସହ ମହିଳା ସୁରକ୍ଷା ସମ୍ପର୍କରେ କଥା ହୋଇଥିଲେ। ଅଟୋ ଡ୍ରାଇଭର ଜଣଙ୍କ କହିଥିଲେ ଯେ ପୁଲିସ୍ ତାଙ୍କର ଯାଞ୍ଚ କରି ସାରିଛି ଓ ସେ ଖୁବଶୀଘ୍ର ୟୁନିଫର୍ମ ପିନ୍ଧି ଗାଡ଼ି ଚଳାଇବେ। ଏହାପରେ ଅଟୋ ଡ୍ରାଇଭର ଜଣଙ୍କ ସୁରକ୍ଷିତ ଭାବେ ଏସିପି ସୁକନ୍ୟାଙ୍କୁ ତାଙ୍କ ଠିକଣାରେ ଛାଡ଼ିଥିଲେ ଓ ଟେଷ୍ଟରେ ପାସ୍ କରିଥିଲେ।