ପବଜି ଖେଳୁଖେଳୁ ହେଲା ପ୍ରେମ, ସ୍ୱାମୀ ସଂସାର ଛାଡ଼ି ପ୍ରେମିକ ପାଖକୁ ଚାଲିଗଲେ ବିବାହିତା ମହିଳା, ଆଉ ତାପରେ...

ଏବେ ପିଲା ଏବଂ କିଶୋରମାନଙ୍କ ଠାରେ ଅନଲାଇନ ଗେମ୍ ପବଜିକୁ ନେଇ ଉତ୍କଣ୍ଠା କହିଲେ ନସରେ। ଲକ୍ଷ ଲକ୍ଷ ଯୁବକ ଯୁବତୀ ମୋବାଇଲ ଧରି ଏହି ଖେଳ ଖେଳିବାରେ ମସଗୁଲ ଥିବାବେଳେ ଏହି ଗେମ୍ କୁ ନେଇ ଏକ ବିଚିତ୍ର ଘଟଣା ସାମ୍ନାକୁ ଆସିଛି। ପବଜି ଖେଳୁଥିବା ବେଳେ ଜଣେ ଯୁବକଙ୍କ ପ୍ରେମରେ ପଡ଼ି ବିବାହିତା ମହିଳା ସ୍ୱାମୀ ପରିବାର ଛାଡ଼ି ଚାଲିଯାଇଥିବା ଭଳି ଘଟଣା ସାମ୍ନାକୁ ଆସିଛି।
ମିଳିଥିବା ସୂଚନା ଅନୁଯାଇ ପଶ୍ଚିମବଙ୍ଗର ସୁସ୍ମିତା ସରକାର ଓ ତାଙ୍କର ସ୍ଵାମୀ ଗତ କିଛି ବର୍ଷ ହେବ ଉତ୍ତର ପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାର ଶ୍ୟାମଦେଉରବାଁ ଥାନା ଅଞ୍ଚଳରେ ରହି ଆସୁଥିଲେ। ସୁସ୍ମିତା ପବଜି ଖେଳିବାକୁ ପସନ୍ଦ କରୁଥିବା ବେଳେ ସେଠାରେ ବିହାରର ଜଣେ ଯୁବକଙ୍କ ସହିତ ତାଙ୍କର ସାକ୍ଷାତ ହୋଇଥିଲା। ଉଭୟେ ଦୀର୍ଘଦିନ ଧରି ସାଥି ହୋଇ ଖେଳିବା ପରେ ଫୋନ ନମ୍ବର ଦିଆନିଆ ହୋଇଥିଲେ।
ପରବର୍ତ୍ତୀ ସମୟରେ ସେମାନଙ୍କର ଏହି ସମ୍ପର୍କ ପ୍ରେମର ରୂପ ନେଇଥିଲା। ବିବାହିତା ସସ୍ମିତା ନିଜ ପ୍ରେମିକଙ୍କୁ ଦେଖା କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ମାର୍ଚ୍ଚ ୩ ତାରିଖରେ ସେ ଘର ସଂସାର ଛାଡ଼ି ପ୍ରେମିକ ପାଖକୁ ବିହାର ଚାଲି ଆସିଥିଲେ। ସସ୍ମିତାଙ୍କ ସ୍ୱାମୀ ଓ ପରିବାର ଲୋକେ ତାଙ୍କୁ ବହୁତ ଖୋଜିବା ପରେ ଥାନାରେ ଏତଲା ଦେଇଥିଲେ। ତେବେ, ପୋଲିସ ସସ୍ମିତାଙ୍କୁ ବିହାରରୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରିଥିବା ଜଣାଯାଇଛି।